ନୂଆଦିଲ୍ଲୀ,୫।୫: ପାକିସ୍ତାନ ସହ ବିବାଦ ଭିତରେ  କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବଡ଼ ପଦକ୍ଷେପ। ବିଭିନ୍ନ ରାଜ୍ୟକୁ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମ୍‌ଏଚଏ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ରାଜ୍ୟମାନେ ୭ ମଇରେ ସୁଚାରୁ ଭାବରେ ନାଗରିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମକ୍ ଡ୍ରିଲ ଆୟୋଜନ କରିବେ। କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ଏହି ନିର୍ଦେଶ ଖୁବ୍ ଗୁରୁତ୍ବପୂରର୍ଣ୍ଣ। କାରଣ ଏଭଳି ନିର୍ଦ୍ଦେଶ ଏହି ସମୟରେ ଜାରି କରାଯାଇଛି, ଯେତେବେଳେ ଭାରତ ଓ ପାକିସ୍ତାନ ଭିତରେ ବିବାଦ ଚରମ ସୀମାରେ ପହଁଞ୍ଚିଛି। ଯେ କୌଣସି ମୂହୂର୍ତ୍ତରେ ଯୁଦ୍ଧ ଆରମ୍ଭ ହୋଇପାରେ। ଏହି ସମୟରେ  ଛାତ୍ର ଏବଂ ନାଗରିକଙ୍କୁ ତାଲିମ ଦେବାକୁ ମଧ୍ୟ କହିଛନ୍ତି ଗୃହମନ୍ତ୍ରଣାଳୟ।

ଏଭଳି ଅଭ୍ୟାସ ୧୯୭୧ରେ ହୋଇଥିଲା। ଯେଉଁ ବର୍ଷ ଭାରତ ପାକିସ୍ତାନ ମଧ୍ୟରେ ଉଭୟ ପକ୍ଷରୁ ଯୁଦ୍ଧ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜ୍ୟକୁ ଏହି ସବୁ ନିର୍ଦ୍ଦେଶ ଜାରି କରିଛନ୍ତି।

୧- ବିମାନ ହମଲା ଚେତାବନୀ ଦେଉଥିବା ସାଇରନ୍‌ର ସଞ୍ଚାଳନ କରିବା

୨-  ଆକ୍ରମଣ ସ୍ଥିତିରେ ନିଜକୁ ବଞ୍ଚାଇବା ପାଇଁ ନାଗରିକ ଏବଂ ଛାତ୍ରଙ୍କୁ ପ୍ରଶିକ୍ଷଣ ଦେବା ।

୩- ଆକ୍ରମଣ ସ୍ଥିତିରୁ କିଭଳି ବଞ୍ଚିବେ ? ଏହାର ଉପାୟ ବିଷୟରେ ଲୋକଙ୍କୁ କହିବା ଏବଂ ପ୍ରଶିକ୍ଷଣ ଦେବା।

୪- ଗୁରୁତ୍ବପୂର୍ଣ୍ଣ ୟୁନିଟ୍/ପ୍ରତିଷ୍ଠାନକୁ ଯୁଦ୍ଧ ସମୟରେ ହମଲା ପୂର୍ବରୁ ବଞ୍ଚିବା ଓ ସଂରକ୍ଷିତ କରିବାର ଚେଷ୍ଟା କରିବା।

୫- ସ୍ଥାନାନ୍ତର ଯୋଜନାକୁ ଅପଡେଟ୍ ଏବଂ ଅଭ୍ୟାସ କରାଯିବ।

ଏହା ପୂର୍ବରୁ ରବିବାର ଫିରୋଜପୁର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ୩୦ ମିନିଟ୍ ପାଇଁ ବ୍ଲାକଆଉଟ୍ ଅଭ୍ୟାସ କରାଯାଇଥିଲା ଯେଉଁଥିରେ ରାତି ୯ଟାରୁ ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ସମସ୍ତ ଲାଇଟ୍ ବନ୍ଦ କରାଯାଇଥିଲା। ଯଦି କୌଣସି ଯାନର ଲାଇଟ୍ ଜଳୁଥିବାର ଦେଖାଯାଉଥିଲା, ତେବେ ସେଗୁଡ଼ିକୁ ବନ୍ଦ କରିଦିଆଯାଉଥିଲା। ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଥିଲା ଏବଂ ପ୍ରତ୍ୟେକ ଛକରେ ନିୟୋଜିତ ହୋଇଥିଲା। ପହଲଗାମ୍ ହମଲା ପରେ   ଗୃହମନ୍ତ୍ରାଣାଳୟ ଏହି ନିର୍ଦେଶ ଦେଇଛି। ଆତଙ୍କୀଙ୍କ ଆକ୍ରମଣରେ ଜାମ୍ମୁ-କାଶ୍ମୀରର ପହଲଗାମ୍‌ରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ କେନ୍ଦ୍ର ସରକାର ମାରାଥନ୍ ବୈଠକ କରିବାରେ ଲାଗିଛନ୍ତି।