ନୂଆଦିଲ୍ଲୀ, ୨୬।୫: ପଶ୍ଚିମବଙ୍ଗର ଶୁଭେନ୍ଦୁ ଅଧିକାରୀଙ୍କ ସରକାର ରାଜ୍ୟରେ ‘ଡିଟେକ୍ଟ-ଡିଟେନ୍-ଡିପୋର୍ଟ’ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି । ମାଲଦାର ଏକ ହୋଲଡିଂ ସେଣ୍ଟରକୁ ୩ ଜଣ ମହିଳା ଓ ୬ ଶିଶୁଙ୍କୁ ପଠାଯିବା ସହ ମୁର୍ଶିଦାବାଦରୁ ଜଣେ ବ୍ୟକ୍ତିଙ୍କୁ ବାଂଲାଦେଶ ପଠାଯିବା ପରେ ଏହି ପ୍ରସଙ୍ଗ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ କେବଳ ପଶ୍ଚିମବଙ୍ଗ ବା ଆସାମ ନୁହେଁ, ବରଂ ଉତ୍ତର ପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡ ସମେତ ଦେଶର ସବୁ ରାଜ୍ୟରେ ଏଭଳି ହୋଲଡିଂ ସେଣ୍ଟର ବା 'ବିଦେଶୀ ଜେଲ୍' ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
କେମିତି ହେବ ଏହି ‘ବିଦେଶୀ ଜେଲ୍’ ?
ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ଏହି ହୋଲଡିଂ ସେଣ୍ଟରଗୁଡ଼ିକରେ କେତେକ ସ୍ୱତନ୍ତ୍ର ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ରହିବ । ସେଣ୍ଟର ଚାରିପାଖରେ କଣ୍ଟାତାର ଘେରା ୧୦ ଫୁଟ୍ ଉଚ୍ଚର ବାଉଣ୍ଡ୍ରି ୱାଲ୍ ରହିବ । ମହିଳା ଏବଂ ପୁରୁଷମାନଙ୍କ ପାଇଁ ଅଲଗା ଅଲଗା ରହିବା ସ୍ଥାନ ପ୍ରସ୍ତୁତ କରାଯିବ । ତେବେ ଗୋଟିଏ ପରିବାରର ସଦସ୍ୟମାନଙ୍କୁ ଏକାଠି ରଖାଯିବ, ସେମାନଙ୍କୁ ଅଲଗା କରାଯିବ ନାହିଁ । ସେଣ୍ଟର ଭିତରେ ଖୋଲା ସ୍ଥାନ, ଏଲପିଜି ଗ୍ୟାସ୍ ସଂଯୋଗ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଡିସପେନସେରୀର ସୁବିଧା ରହିବ । ଏଠାରେ ରଖାଯାଉଥିବା ସମସ୍ତ ବେଆଇନ ଅନୁପ୍ରବେଶକାରୀଙ୍କ ବାୟୋମେଟ୍ରିକ ଡାଟା ଏବଂ ସମ୍ପୂର୍ଣ୍ଣ ମେଡିକାଲ ରେକର୍ଡ ରଖାଯିବା ବାଧ୍ୟତାମୂଳକ । ଯଦି ସରକାରୀ ଜମି ଉପଲବ୍ଧ ନାହିଁ, ତେବେ ରାଜ୍ୟ ସରକାରମାନେ ବେସରକାରୀ ବିଲ୍ଡିଂ ଭଡ଼ାରେ ନେଇ ମଧ୍ୟ ଏହି ସେଣ୍ଟର କରିପାରିବେ ।
୩୦ ଦିନ ଭିତରେ ନାଗରିକତା ଯାଞ୍ଚ କରିବେ ଜିଲ୍ଲା ମାଜିଷ୍ଟ୍ରେଟ୍:
ନୂଆ ନିୟମ ଅନୁଯାୟୀ, ସନ୍ଦେହଜନକ ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରତି ଜିଲ୍ଲାରେ ଏକ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରାଯିବ । ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କୁ ୩୦ ଦିନ ଭିତରେ ଭାରତୀୟ ନାଗରିକତାର ବୈଧ ଦଲିଲ୍ ଦେଖାଇବାକୁ ପଡ଼ିବ । ଯଦି ସେ ନିଜକୁ ଅନ୍ୟ କୌଣସି ରାଜ୍ୟର ଅଧିବାସୀ ବୋଲି ଦାବି କରନ୍ତି, ତେବେ ଯାଞ୍ଚ ପାଇଁ ସର୍ବାଧିକ ୯୦ ଦିନ ସମୟ ମିଳିବ । ଏହି ପ୍ରକ୍ରିୟାର ସମ୍ପୂର୍ଣ୍ଣ ଦାୟିତ୍ୱ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦିଆଯାଇଛି । ସମୟ ସୀମା ମଧ୍ୟରେ ପ୍ରମାଣ ନମିଳିଲେ ଦେଶାନ୍ତର ବା ଡିପୋର୍ଟେସନ ପ୍ରକ୍ରିୟା ଆରମ୍ଭ ହେବ ।
ବିଶେଷଜ୍ଞ ଏବଂ ପୂର୍ବତନ BSF ଅଧିକାରୀଙ୍କ ଚିନ୍ତା: କାହିଁକି ବଢ଼ୁଛି ଆଶଙ୍କା ?
ଏହି ସମଗ୍ର ପ୍ରକ୍ରିୟାକୁ ନେଇ ସୁରକ୍ଷା ବିଶେଷଜ୍ଞ ଏବଂ ବିଏସଏଫର ଜଣେ ପୂର୍ବତନ ମହାନିର୍ଦ୍ଦେଶକ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ:
୧. ପ୍ରକୃତ ଭାରତୀୟ ହଇରାଣ ହେବାର ଭୟ: ଭାରତରେ ଏମିତି ଲକ୍ଷ ଲକ୍ଷ ଗରିବ ଓ ପଛୁଆ ଶ୍ରେଣୀର ବୈଧ ନାଗରିକ ଅଛନ୍ତି, ଯାହାଙ୍କ ପାଖରେ ଜନ୍ମ ପ୍ରମାଣପତ୍ର କିମ୍ବା ଆନୁଷଙ୍ଗିକ କାଗଜପତ୍ର ନାହିଁ । ଯାଞ୍ଚ ପ୍ରକ୍ରିୟା ସ୍ୱଚ୍ଛ ନହେଲେ ସେମାନେ ଅଯଥାରେ ହଇରାଣ ହେବେ ।
୨. ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଏବଂ ଉଦାହରଣ: ବିଗତ ଦିନରେ ଦିଲ୍ଲୀରୁ ବେଆଇନ ଅନୁପ୍ରବେଶକାରୀ ଦର୍ଶାଇ ବାଂଲାଦେଶ ପଠାଯାଇଥିବା ସୁନାଲୀ ଖାତୁନ ନାମକ ଜଣେ ମହିଳାଙ୍କୁ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଭାରତ ଫେରାଇ ଅଣାଯାଇଥିଲା, କାରଣ ସେ ପ୍ରକୃତ ଭାରତୀୟ ଥିଲେ । ଏଭଳି ଭୁଲ୍ ପୁନରାବୃତ୍ତି ନେଇ କୋର୍ଟରେ ଏବେ ମଧ୍ୟ ଶୁଣାଣି ଚାଲିଛି ।
୩. ‘ଦେଶହୀନ’ ହେବାର ସଙ୍କଟ: ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି ସେଣ୍ଟରରେ ରଖାଯାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବାଂଲାଦେଶ କିମ୍ବା ମିଆଁମାର ନିଜର ନାଗରିକ ବୋଲି ଗ୍ରହଣ ନକରେ, ତେବେ ସେମାନେ କୁଆଡ଼େ ଯିବେ ? ସେଭଳି ସ୍ଥିତିରେ ସେମାନେ କୌଣସି ଦେଶର ହୋଇ ରହିବେ ନାହିଁ ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଡିଟେନସନ ସେଣ୍ଟରରେ ବନ୍ଦୀ ହୋଇ ରହିଯିବେ ।
ଦେଶର ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ, କୌଣସି ନିରୀହ ଭାରତୀୟ ଯେପରି ଏହାର ଶିକାର ନହେବେ, ତାହା ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି ।
ଆହୁରି ପଢ଼ନ୍ତୁ... ହୋର୍ମୁଜ୍ ସଙ୍କଟ ମଧ୍ୟରେ ଦିଲ୍ଲୀରେ ‘କ୍ୱାଡ୍’ ମହାମନ୍ଥନ; ଜୟଶଙ୍କର କହିଲେ– "ସମୁଦ୍ରରେ ବିନା ବାଧାରେ ହେବ ଜାହାଜ ଚଳାଚଳ"