ନୂଆଦିଲ୍ଲୀ, ୩୦/୦୭ : ପୃଥିବୀର ସବୁଠୁ ଗଭୀର ଓ ବିଷାକ୍ତ ସ୍ଥାନ। ଯେଉଁଠି ତିଷ୍ଠିବାର ସମ୍ଭାବନା ଶୂନ । ସେଠାରେ ବିଚରଣ କରୁଛି ଏକ ଅଜବ ସୂକ୍ଷ୍ମଜୀବ। ସବୁଠୁ ଆଶ୍ଚର୍ଯ୍ୟଜନକ ବିଷୟ, ଏହି ବିଷାକ୍ତ ମାଟିକୁ ଖାଇ ମଳ ଜରିଆରେ ସୁନା ନିର୍ଗତ କରୁଛି ଏହି ସୂକ୍ଷ୍ମଜୀବ। ଏହାର ନାଁ କ୍ୟୁପ୍ରିୟାଭିଡସ୍ ମେଟାଲିଡ୍ୟୁରାନ୍ସ । ମାଟି ତଳୁ ଏହି ସୂକ୍ଷ୍ମଜୀବକୁ ଆବିଷ୍କାର କରିଛନ୍ତି ଅଷ୍ଟ୍ରେଲିଆ ଓ ଜର୍ମାନୀର ବୈଜ୍ଞାନିକମାନେ।
କ୍ୟୁପ୍ରିୟାଭିଡସ୍ ମେଟାଲିଡ୍ୟୁରାନ୍ସ ଭାରି ଧାତୁରେ ସମୃଦ୍ଧ ଏକ ସୂକ୍ଷ୍ମ ଧାତୁ-ପ୍ରେମୀ ଜୀବ। ଏହାର ଏକ ଅତ୍ୟଧିକ ଉଚ୍ଚ ମାତ୍ରାର ନିର୍ଦ୍ଦିଷ୍ଟ ମେଟାବଲିଜମ୍ ରହିଛି। ଯାହା ତାକୁ ବିଷାକ୍ତ ପରିବେଶରେ ବଞ୍ଚିବାରେ ସାହାଯ୍ୟ କରେ। ତା’ର ଜିନ୍ରେ ଜଟିଳ ଧାତୁ-ପ୍ରତିରୋଧୀ ମାର୍ଗ ଏବଂ ବିଷମୁକ୍ତ ତନ୍ତ୍ର ରହିଛି । ଯେତେବେଳେ ଏହି ଦ୍ରବ୍ୟ ସୁନା ଆୟନ୍ ସଂସ୍ପର୍ଶରେ ଆସେ ଏହା ଘାତକ, କପ୍ଏ ଓ କ୍ୟୁପ୍ଏ ଭଳି ଏନ୍ଜାଇମ୍ ନିର୍ଗତ କରେ । ଏହି ଏନ୍ଜାଇମ୍ ସୂକ୍ଷ୍ମଜୀବର ଧାତୁ ପ୍ରବାହ ପ୍ରଣାଳୀର ଏକ ଅଂଶ । ଏହି ଏନ୍ଜାଇମ୍ ବିଷାକ୍ତ ଯୌଗିକକୁ ନିଷ୍କ୍ରିୟ କରି ସେଗୁଡ଼ିକୁ ପ୍ରଭାବଶୂନ୍ୟ କରିବାରେ ସାହାଯ୍ୟ କରନ୍ତି । ସୁନା ମାମଲାରେ ଆୟନ୍ କମିଯାଏ ଏବଂ ସୁନାର ସୂକ୍ଷ୍ମ କଣିକା ରୂପେ ବଦଳି କୋଷିକାରୁ ବାହାରିଥାଏ । ଏହି ଅଦ୍ଭୁତ ସୂକ୍ଷ୍ମ ଜୀବ ଭାରି ଧାତୁଗୁଡ଼ିକୁ ଖାଇ ୨୪ କ୍ୟାରେଟ୍ ସୁନାର ଛୋଟ ଛୋଟ ଖଣ୍ଡ ବାହାର କରେ। ସୁନା ଓ ତମ୍ବା ଭଳି ଭାରି ଧାତୁ ସହ ମୁକାବିଲା କରିବା ପାଇଁ ଏହା କିଭଳି ନିଜର ପ୍ରାକୃତିକ ପ୍ରତିରକ୍ଷା ପ୍ରଣାଳୀକୁ ଉପଯୋଗ କରେ ଏବଂ ଏହି ପ୍ରକ୍ରିୟାରେ ଏକ ରସାୟନକୁ ସକ୍ରିୟ କରେ ସେସବୁକୁ ବୈଜ୍ଞାନିକମାନେ ଉଜାଗର କରିଛନ୍ତି।
ବୈଜ୍ଞାନିକଙ୍କ ଅନୁସାରେ, ଏହି ସୂକ୍ଷ୍ମଜୀବର ଆବିଷ୍କାର ପରେ ସୁନା ଖନନ ଉପାୟରେ ପରିବର୍ତ୍ତନ ହୋଇପାରେ । ସୁନା ଖନନରୁ ପରିବେଶର କ୍ଷତି ହେଉଛି । ଏପରି ସ୍ଥିତିରେ ଏହି ସୂକ୍ଷ୍ମଜୀବ ସାହାଯ୍ୟରେ କମ୍ ପ୍ରଦୂଷଣ ଓ ଶସ୍ତାରେ ସୁନା ବାହାର କରାଯାଇପାରିବ । ଏହା ବୈଦ୍ୟୁତିକ ବର୍ଜ୍ୟ ଓ ଖଣିର ବଳକା କ୍ଷେତ୍ରରୁ ବି ସୁନା ବାହାର କରିବାରେ ସାହାଯ୍ୟ କରିବ। ଯାହା ଦ୍ୱାରା ବର୍ଜ୍ୟ କମିବ।