ନୂଆଦିଲ୍ଲୀ,୨୯।୩: ମାସକରେ ପହଁଞ୍ଚିଲାଣି ମଧ୍ୟପ୍ରାଚ୍ୟ ଯୁଦ୍ଧ। ଏହା ଭିତରେ ଆମେରିକା ସହିତ ଆଲୋଚନା ପାଇଁ ଇରାନ ସର୍ତ୍ତମୂଳକ ସମ୍ମତି ଦେଇଛି। ଏହି ଆଲୋଚନା ପାକିସ୍ତାନ ମାଧ୍ୟମରେ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଜାରି ଉତ୍ତେଜନା ମଧ୍ୟରେ ଏହି ପଦକ୍ଷେପକୁ ଏକ ପ୍ରମୁଖ କୂଟନୈତିକ ପଦକ୍ଷେପ ବୋଲି କୁହାଯାଉଛି। ସୂତ୍ର ଅନୁଯାୟୀ, ଇରାନ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଛି। ଏଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଇରାନ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରାଯାଉ। ଆମେରିକା ଏବଂ ଇସ୍ରାଏଲ ଏହି ଭରସା ଦିଅନ୍ତୁ ଯେ, ଆଗକୁ ଯେପରି କୌଣସି ଆକ୍ରମଣ ହେବ ନାହିଁ।
ଏହି ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ବୈଠକ ମାର୍ଚ୍ଚ ୨୯-୩୦ ତାରିଖରେ ଇସଲାମାବାଦରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପାକିସ୍ତାନ, ସାଉଦି ଆରବ, ତୁର୍କୀ ଏବଂ ଇଜିପ୍ଟ ଆଲୋଚନାରେ ଅଂଶଗ୍ରହଣ କରିବେ। ଏହି ଦେଶଗୁଡ଼ିକ ମଧ୍ୟରେ ମଧ୍ୟସ୍ଥତା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଇରାନ ପୂର୍ବରୁ ଆମେରିକା ଦ୍ୱାରା ପ୍ରସ୍ତାବିତ ୧୫-ସୂତ୍ରୀ ଚୁକ୍ତିନାମାକୁ ଗ୍ରହଣ କରିବାକୁ ମନା କରିସାରିଛି। ଏବେ ଚାହୁଁଛି ଯେ ଆମେରିକା ଆଲୋଚନା ଟେବୁଲକୁ ଫେରିବା ପୂର୍ବରୁ ତାର ପାଞ୍ଚଟି ସର୍ତ୍ତ ଗ୍ରହଣ କରୁ।
କ’ଣ ରହିଛି ଇରାନର ପ୍ରମୁଖ ସର୍ତ୍ତ
-ଇରାନ ଚାହୁଁଛି ଯେ ଆକ୍ରମଣ ତୁରନ୍ତ ବନ୍ଦ ହେଉ।
- ଭବିଷ୍ୟତରେ କୌଣସି ଆକ୍ରମଣ ନ କରିବାର ଗ୍ୟାରେଣ୍ଟି ଦାବି କରୁଛି ଇରାନ ।
-ପାକିସ୍ତାନ, ସାଉଦି ଆରବ, ତୁର୍କୀ ଏବଂ ଇଜିପ୍ଟ ସୁନିଶ୍ଚିତ କରିବା ଉଚିତ ଯେ ଆମେରିକା ଇରାନର ଚିନ୍ତାକୁ ଗମ୍ଭୀରତାର ସହ ଶୁଣୁ।
- ଇରାନର ନୂତନ ଦାବି ହେଉଛି ସେ ହର୍ମୁଜ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଚାହେଁ।
ଯଦି ଆମେରିକା ଏହି ସର୍ତ୍ତଗୁଡ଼ିକୁ ଗ୍ରହଣ କରେ, ତେବେ ଏକ ଅସ୍ଥାୟୀ ଅସ୍ତ୍ରବିରତି ହୋଇପାରେ ଏବଂ ଇରାନ ଆନୁଷ୍ଠାନିକ ଭାବରେ ଆଲୋଚନାରେ ଯୋଗ ଦେଇପାରେ। ଏହି ସମୟରେ, ପାକିସ୍ତାନ ତାର କୂଟନୈତିକ ପ୍ରୟାସକୁ ଆହୁରି ବଢାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବେ ଇରାନ ରାଷ୍ଟ୍ରପତି ମାସୁଦ ପାଜେଶକିୟାନଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି ଏବଂ ଉତ୍ତେଜନା ହ୍ରାସ ପାଇଁ ପ୍ରୟାସକୁ ସମର୍ଥନ ଜଣାଇଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ସହ ଇସଲାମାବାଦ ବୈଠକର ଏଜେଣ୍ଡା ବିଷୟରେ ଆଲୋଚନା କରିଛନ୍ତି। ବର୍ତ୍ତମାନର ପରିସ୍ଥିତି ସମୀକ୍ଷା କରିବା ପାଇଁ ତୁର୍କୀ, ଇଜିପ୍ଟ ଏବଂ ସାଉଦି ଆରବର ବୈଦେଶିକ ମନ୍ତ୍ରୀଙ୍କ ସହିତ ଇସଲାମାବାଦରେ ଏକ ବୈଠକ ଚାଲିଛି। ଇରାନ ଆମେରିକା ସହିତ ସିଧାସଳଖ ସମ୍ପର୍କ ରଖିବାକୁ ମନା କରିଛି, କିନ୍ତୁ ପରୋକ୍ଷ ଆଲୋଚନାର ରିପୋର୍ଟ ଆସିଛି। ସୂତ୍ର ଅନୁସାରେ, ଯଦି ଇସଲାମାବାଦ ବୈଠକ ସକାରାତ୍ମକ ଫଳାଫଳ ପ୍ରଦାନ କରେ, ତେବେ ମାର୍ଚ୍ଚ ୩୧ ରୁ ଏପ୍ରିଲ ୭ ମଧ୍ୟରେ ଅସ୍ତ୍ରବିରତି ସମ୍ଭବ।
ଆହୁରି ପଢନ୍ତୁ : ଆମେରିକା ଏୟାରଫୋର୍ସର ମେରୁଦଣ୍ଡ ଭାଙ୍ଗିଲା ଇରାନ ମିସାଇଲ୍ ! ଆକ୍ରମଣରେ ନଷ୍ଟ ହେଲା E-3 Sentry ଏୟାରକ୍ରାଫ୍ଟ