ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରାଚ୍ୟରେ ବାଣିଜ୍ୟ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ସେଭଳି ଜଣେ ନିଖୋଜ ହୋଇଛନ୍ତି। କୁହାଯାଉଛି ଯେ, ଏନେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ ବୁଧବାର ଏକ ପ୍ରେସ୍ ବ୍ରିଫିଂରେ ସୂଚନା ଦେଇଛନ୍ତି। ଜୟସୱାଲ କହିଛନ୍ତି, ଏହି ଦୁଃଖଦ ଘଟଣା ବ୍ୟତୀତ ଇସ୍ରାଏଲ ଓ ଦୁବାଇରେ ମଧ୍ୟ ଭାରତୀୟ ନାଗରିକ ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ଭାରତୀୟ ଦୂତାବାସ ଲଗାତାର ସ୍ଥିତି ଉପରେ ନଜର ରଖିଛି। ଏହା ସହ ପୀଡିତଙ୍କ ପରିବାରକୁ ସବୁ ପ୍ରକାର ସାହାଯ୍ୟ ଓ ସୂଚନା ପ୍ରଦାନ କରାଯାଉଛି। ଏହା ସହ ଜୟସୱାଲ କହିଛନ୍ତି ଇରାନକୁ ନେଇ ମଧ୍ୟ ଭାରତ ଚିନ୍ତିତ ରହିଛି।

ଜୟସୱାଲ କହିଛନ୍ତି, ଭାରତ ସରକାର ଉପସାଗରୀୟ ରାଷ୍ଟ୍ରରେ ଥିବା ଭାରତୀୟଙ୍କ କଲ୍ୟାଣ ଓ ସୁରକ୍ଷା ପାଇଁ ପ୍ରତିଶୃତିବଦ୍ଧ ରହିଛି ଓ ସ୍ଥିତି ଉପରେ ନଜର ରଖିଛି। ଉପସାଗରୀୟ ରାଷ୍ଟ୍ରରେ ଚାପପୂର୍ଣ୍ଣ ସମୁଦ୍ର ମାର୍ଗ ଦେଇ ଯାଉଥିବା ବାଣିଜ୍ୟ ଜାହାଜକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣରେ ଜାହାଜରେ ଥିବା ଦୁଇ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଯାଇଥିଲା। ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଭାରତୀୟ ନୌସେନା ଓ ସମ୍ପର୍କିତ ଦେଶର ଉଦ୍ଧକାରାରୀ ଦଳ କରୁଛନ୍ତି। କିନ୍ତୁ ଯୁଦ୍ଧ ସ୍ଥିତି କାରଣରୁ ରେସକ୍ୟୁ ଅପରେସନ୍ରେବାଧା ସୃଷ୍ଟି ହୋଇଛି।

ଜୟସ୍ୱାଲ କହିଛନ୍ତି , ଇରାନ ବିଷୟରେ ଭାରତ ମଧ୍ୟ ଚିନ୍ତିତ, ଯେଉଁଠାରେ ଆମର ୯୦୦୦ ନାଗରିକ ଫସି ରହିଛନ୍ତି। କିଛି ଲୋକ ଆମର ପରାମର୍ଶକୁ ପାଳନ କରି ଘରକୁ ଫେରିଗଲେ, କିନ୍ତୁ ଅନେକ ସେଠାରେ ରହିଛନ୍ତି, ଏବଂ ଦୂତାବାସ ସେମାନଙ୍କ ସହିତ ଯୋଗାଯୋଗ କରୁଛି। ଲୋକମାନେ ଇରାନର ବିଭିନ୍ନ ସ୍ଥାନରେ ଅଛନ୍ତି, ଏବଂ ଦୂତାବାସ ସେମାନଙ୍କ ସହିତ ଯୋଗାଯୋଗ କରୁଛି। କେତେକ ସ୍ଥଳପଥରେ ସୀମା ପାର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେମାନେ ପଡ଼ୋଶୀ ଆର୍ମେନିଆ ଏବଂ ଆଜରବାଇଜାନରେ ପହଞ୍ଚିବା ଏବଂ ତା'ପରେ ବିମାନ ଧରିବାକୁ ଚାହାଁନ୍ତି। ଇସ୍ରାଏଲରେ ଜଣେ ଭାରତୀୟ ମଧ୍ୟ ଆହତ ହୋଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ,ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଆଶ୍ବସ୍ତିର କଥା ଏହା ଯେ, ଏବେ ତାଙ୍କ ସ୍ଥିତିରେ ସୁଧାର ହେଉଛି।