ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧର ଘନଘଟା ଭିତରେ ଏବେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଉ ଏହି ଦୁଃଖଦ ଖବର କ’ଣ ଜାଣନ୍ତି...ଏଠାକାର କୋମଳମତି ଛୋଟଛୋଟ ପିଲା । ମାନେ ଯୁଦ୍ଧରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଛୋଟ ପିଲା। ଜାତିସଂଘର ଶିଶୁ ସଂସ୍ଥା (ୟୁନିସେଫ୍) ସତର୍କ କରାଇ ଦେଇଛି ଯେ, କ୍ରମାଗତ ଭାବରେ ବଢ଼ୁଥିବା ହିଂସା ଯୋଗୁଁ ଲକ୍ଷ ଲକ୍ଷ ପିଲାଙ୍କ ଜୀବନ ବିପଦରେ ଅଛି। ଏହି ସମୟରେ, ଇରାନର ରାଷ୍ଟ୍ରପତି ମଧ୍ୟ ଶାନ୍ତିର କଥା କହିଛନ୍ତି ଏବଂ ଯୁଦ୍ଧ ସମାପ୍ତ କରିବା ପାଇଁ କିଛି ସର୍ତ୍ତ ରଖିଛନ୍ତି।

ୟୁନିସେଫ୍ କହିଛି ଯେ, ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସଂଘର୍ଷ ସମଗ୍ର ପଶ୍ଚିମ ଏସିଆର ପିଲା ମାନଙ୍କ ପରିସ୍ଥିତିକୁ ଅସ୍ତବ୍ୟସ୍ତ କରିଦେଇଛି। ଏଜେନ୍ସି ଅନୁଯାୟୀ, ଫେବୃଆରୀ ୨୮ ତାରିଖରୁ ହିଂସାରେ ଏଯାଏଁ ୧୧୦୦ ରୁ ଅଧିକ ପିଲା ଆହତ କିମ୍ବା ନିହତ ହୋଇଛନ୍ତି। ଏଥିମଧ୍ୟରୁ ଇରାନରେ ପ୍ରାୟ ୨୦୦ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଲେବାନନରେ ୯୧ ପିଲାଙ୍କ ମୃତ୍ୟୁ ହୋଇଛି। ଏହା ସହିତ, ଇସ୍ରାଏଲରେ ୪ ଜଣ ଏବଂ କୁୱେତରେ ଜଣେ ପିଲାଙ୍କ ମୃତ୍ୟୁ ହୋଇଛି।

ହିଂସା ଜାରି ରହିଲେ ସଂଖ୍ୟା ଆହୁରି ବଢ଼ିପାରେ...

ୟୁନିସେଫ୍ ଚେତାବନୀ ଦେଇଛି ଯେ, ଯଦି ଏହି ହାରରେ ହିଂସା ଜାରି ରହେ, ତେବେ ମୃତ ଏବଂ ଆହତ ପିଲାଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ସଂଗଠନ ଏହା ମଧ୍ୟ କହିଛି ଯେ, ଏହି ସଙ୍କଟ ଯୋଗୁଁ ଲକ୍ଷ ଲକ୍ଷ ପିଲା ସ୍କୁଲ ଯାଇପାରୁନାହାଁନ୍ତି। ନିରନ୍ତର ବୋମାମାଡ଼ ଯୋଗୁଁ ଲକ୍ଷ ଲକ୍ଷ ପରିବାର ଘରୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି ଏବଂ ଲକ୍ଷ ଲକ୍ଷ ପିଲା ବାସହୀନ ହୋଇଛନ୍ତି। ୟୁନିସେଫ୍ କହିଛି ଯେ, ପିଲା ମାନଙ୍କୁ ହତ୍ୟା କିମ୍ବା ଆହତ କରିବା କୌଣସି ପରିସ୍ଥିତିରେ ଯଥାର୍ଥ ହୋଇପାରିବ ନାହିଁ। ସଂଗଠନ ଏହା ମଧ୍ୟ କହିଛି ଯେ, ପିଲା ମାନଙ୍କ ପାଇଁ ଅତ୍ୟାବଶ୍ୟକୀୟ ସେବା ଗୁଡ଼ିକୁ ନଷ୍ଟ କରିବା କିମ୍ବା ବାଧା ସୃଷ୍ଟି କରିବା ମଧ୍ୟ ଭୁଲ। ୟୁନିସେଫ୍ ଅନୁଯାୟୀ, ସମଗ୍ର ଅଞ୍ଚଳରେ ପ୍ରାୟ ୨୦ କୋଟି ପିଲା ଅଛନ୍ତି ଏବଂ ସେମାନେ ଆଶା କରୁଛନ୍ତି ଯେ, ବିଶ୍ୱ ଶୀଘ୍ର ପଦକ୍ଷେପ ନେବ । 

ଇରାନ୍ ଶାନ୍ତି ପାଇଁ ଆହ୍ୱାନ କରିଛି...

ଏହି ସମୟରେ, ମାସୁଦ୍ ପେଜେସ୍କିୟାନ୍ କହିଛନ୍ତି ଯେ ତେହେରାନ୍ ଶାନ୍ତି ପାଇଁ ପ୍ରତିବଦ୍ଧ। ସେ କହିଛନ୍ତି ଯେ ଯୁଦ୍ଧ ଶେଷ କରିବା ପାଇଁ ତିନୋଟି ସର୍ତ୍ତ ଆବଶ୍ୟକ। ତାଙ୍କ ଅନୁସାରେ, ଏହି ସଂଘର୍ଷ ଯିହୁଦୀ ଶାସନ ଏବଂ ଆମେରିକା ଦ୍ୱାରା ଆରମ୍ଭ ହୋଇଥିଲା ଏବଂ ଏହାକୁ ସମାପ୍ତ କରିବା ପାଇଁ ଇରାନର ଅଧିକାରକୁ ସ୍ୱୀକୃତି ଦେବା ଅତ୍ୟନ୍ତ ଜରୁରୀ।

ଏହା ସହ ପଢନ୍ତୁ : ଯୁଦ୍ଧର ଘନଘଟା ଭିତରେ ଇରାନର ଚେତାବନୀ, ଯଦି ଆମର କୌଣସି ଦ୍ବୀପପୁଞ୍ଜ ଉପରେ ଆକ୍ରମଣ ହୁଏ, ତେବେ ରକ୍ତରେ ଲାଲ୍ ହେବ ପାର୍ସିଆନ ଉପସାଗର...