ଆମେ ସମସ୍ତେ ଜାଣିଛେ ଯେ, କ୍ଷୀର ଆମ ସ୍ୱାସ୍ଥ୍ୟପାଇଁ କେତେ ଲାଭଦାୟକ । ପିଲାଦିନରୁ ହିଁ ଆମକୁ କ୍ଷୀରର ଉପକାରିତା ବିଷୟରେ କୁହାଯାଇଥାଏ । ଘରର ବଡ଼ମାନେ ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀର ପିଇବାକୁ ପରାମର୍ଶ ମଧ୍ୟ ଦେଇଥାନ୍ତି । ଅଧିକାଂଶ ଲୋକ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ଗରମ କ୍ଷୀର ପିଇବାକୁ କହିଥାନ୍ତି । ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ ଅଫ୍ ରିସର୍ଚ୍ଚ ଆଣ୍ଡ୍ ରିଭ୍ୟୁ (IJRR)ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କ୍ଷୀର ସବୁଠାରୁ ପୁଷ୍ଟିକର ଖାଦ୍ୟ ମଧ୍ୟରୁ ଗୋଟିଏ।
କ୍ଷୀର କ୍ୟାଲସିୟମର ସର୍ବୋତ୍ତମ ଉତ୍ସ । ଏହା ହାଡ଼କୁ ମଜବୁତ କରେ, କର୍କଟ, ଗଣ୍ଠି ଯନ୍ତ୍ରଣା, ମାଇଗ୍ରେନ୍, ରକ୍ତଚାପ, ଟାଇପ୍-୨ ମଧୁମେହ, ହୃଦରୋଗ ଏବଂ ପ୍ରିମେନଷ୍ଟ୍ରୁଆଲ୍ ସିଣ୍ଡ୍ରୋମ୍ ଭଳି ରୋଗର ଆଶଙ୍କା କମାଇଥାଏ । ଏପରି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ, ଆମେ ଗୋଟିଏ ଦିନରେ ଯେତେ ଇଚ୍ଛା କ୍ଷୀର ପିଇପାରିବା କି ? ଏହାର କୌଣସି ସୀମା ଅଛି କି ଏବଂ ଏହାକୁ ପିଇବାର ସଠିକ ସମୟ କଣ? ଆସନ୍ତୁ ସେ ବିଷୟରେ ଜାଣିବା ।

ଏକ କପ୍ କ୍ଷୀରରେ ରହିଥାଏ କେତେ ଶକ୍ତି-
ଏକ କପ୍ କ୍ଷୀରରେ ୨୪୪ ଗ୍ରାମ୍ କ୍ୟାଲୋରୀ, ୧୪୬ ଗ୍ରାମ୍ ପ୍ରୋଟିନ୍, ୮ ଗ୍ରାମ୍ ଫ୍ୟାଟ୍, ୭.୮୧ ଗ୍ରାମ୍ କାର୍ବୋହାଇଡ୍ରେଟ୍, ୧୧.୦୪ ଗ୍ରାମ୍ କ୍ୟାଲସିୟମ୍, ୩୦୦ ଗ୍ରାମ୍ ପୋଟାସିୟମ୍, ୩୬୬ ଗ୍ରାମ୍ ଫସ୍ଫରସ୍, ୨୪୬ ଗ୍ରାମ୍ ମ୍ୟାଗ୍ନେସିୟମ୍, ୨୧୫ ଗ୍ରାମ୍ ଭିଟାମିନ୍ ସହ ୧ ମିଲିଗ୍ରାମ୍ ଜିଙ୍କ, ୨୧୫ ଗ୍ରାମ୍ ପାଣି,ଭିଟାମିନ୍ ଡି, ଭିଟାମିନ୍ ବି୧୨, ରିବୋଫ୍ଲାଭିନ୍ ମଧ୍ୟ ରହିଥାଏ ।
କ୍ଷୀର ପିଇବା ସ୍ୱାସ୍ଥ୍ୟପାଇଁ କେତେ ଲାଭଦାୟକ-
କ୍ଷୀର ପିିଇବା ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ବୋଲି ଆମେ ସମସ୍ତେ ଜାଣିଛେ । ପ୍ରତିଦିନ କ୍ଷୀର ପିଇବା ଦ୍ୱାରା ମସ୍ତିସ୍କ ଆକ୍ଟିଭ୍ ହୋଇଥାଏ । କେବଳ ସେତିକି ନୁହେଁ, କେଶ ସହ ହାଡ଼ ଏବଂ ମାଂସପେଶୀ ମଧ୍ୟ ମଜବୁତ ହୋଇଥାଏ । ଏହା ସହ ଡିପ୍ରେସନ୍ ଏବଂ ରକ୍ତଚାପ ନିୟନ୍ତ୍ରଣ କରିଥାଏ । ଏଥି ସହିତ ଭଲ ନିଦ ହେବାରେ ମଧ୍ୟ ସାହାଯ୍ୟ କରିଥାଏ । ମଧୁମେହର ଆଶଙ୍କା କମ୍ କରିଥାଏ । ଏବଂ ବିଭିନ୍ନ ପ୍ରକାରର ହୃଦ୍ରୋଗର ଆଶଙ୍କା ମଧ୍ୟ କମ୍ କରିଥାଏ ।

ଗୋଟିଏ ଦିନରେ କେତେ ପରିମାଣର କ୍ଷୀର ପିଇବା ଉଚିତ୍-
ଶରୀରରେ କ୍ଷୀରର ଆବଶ୍ୟକତା ବୟସ, ଓଜନ, ଉଚ୍ଚତା ଏବଂ ଶରୀରର ଆବଶ୍ୟକତାକୁ ନେଇ ଭିନ୍ନ ଭିନ୍ନ ହୋଇଥାଏ । ଏକ୍ସପର୍ଟଙ୍କ ମତ ଅନୁଯାୟୀ, ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ୧୫୦ରୁ ୨୦୦ ମିଲି କ୍ଷୀର ପିଇବା ଉଚିତ । ୟୁନାଇଟେଡ୍ ଷ୍ଟେଟ୍ସରେ ନ୍ୟାସନାଲ୍ ଡାଇଟରୀ ଗାଇଡଲାଇନ୍ ଅନୁଯାୟୀ, ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୩ କପ୍ ଅର୍ଥାତ ୭୦୦ ମିଲି କ୍ଷୀର ପିଇବା ଉଚିତ୍ । ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ୍ ଅନୁଯାୟୀ, ଛୋଟ ପିଲାମାନଙ୍କୁ ୨ରୁ ୩ କପ୍ ଅର୍ଥାତ ୪୦୦ରୁ ୫୦୦ ଗ୍ରାମ୍ କ୍ଷୀର ପିଇବା ଉଚିତ୍ । ଏହା ଦ୍ୱାରା ସେମାନଙ୍କ ଶରୀରରେ କ୍ୟାଲସିୟମ୍ର ପରିମାଣ ଠିକ୍ ରହିଥାଏ ।
କ୍ଷୀର ପିଇବାର ସଠିକ୍ ସମୟ-
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ରାତିରେ ଶୋଇବାର ପ୍ରାୟ ଗୋଟିଏ ଘଣ୍ଟା ପୂର୍ବରୁ କ୍ଷୀର ପିଇବା ସର୍ବୋତ୍ତମ । ଏହା ପାଚନ ପ୍ରଣାଳୀକୁ ଉନ୍ନତ କରିଥାଏ ଏବଂ ଅନେକ ରୋଗର ଆଶଙ୍କା କମ୍ କରିଥାଏ । ରାତିରେ ଉଷୁମ କ୍ଷୀର ସହିତ ଚିମୁଟାଏ ହଳଦୀ ମିଶାଇ ପିଇବା ଶରୀର ପାଇଁ ଅଧିକ ଲାଭଦାୟକ। ଏପରି କରିବା ଦ୍ୱାରା ଭଲ ନିଦ ହୋଇଥାଏ ।