କେନ୍ଦ୍ରାପଡ଼ା, ୧।୨: ଚାଷୀମାନେ ଧାନ ବିକ୍ରିବେଳେ ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ମଣ୍ଡିରେ ଆବଶ୍ୟକ ସୁବିଧା ଉପଲବ୍ଧ ହେବ । ଧାନବିକ୍ରି ପୂର୍ବରୁ ଅଖା ସେମାନଙ୍କ ପାଖରେ ପହଞ୍ଚିବ । ଅର୍ଥାତ ଧାନ ଅମଳ ସମୟରେ ଅଖା ପାଖରେ ପହଞ୍ଚିବା କଥା । ଅଖା ତ ଠିକ୍ ସମୟରେ ମିଳିଲାନି । ବହୁ ବିଳମ୍ବରେ କେଉଁ ମିଲର୍ ଅଖା ଦେଲେ ତ ଆଉ କିଏ ଦେଲେ ନାହିଁ । ଆଉ ଯେଉଁ ଅଖା ମିଳିଛି ସେଥିରୁ ଅର୍ଦ୍ଧାଧିକ ଚିରାଫଟା । ଯେଉଁ କିଛି ଅଖା ସାମାନ୍ୟ ଚଳିବ ସେଥିରେ ୫୦ କିଲୋ ଧାନ ପଶୁନାହିଁ । ଏଣେ ଚିରାଫଟା ଅଖା କାମରେ ଲାଗୁନଥିବାବେଳେ ଅଖା ବାବଦକୁ କିଲୋ ପିଛା ଧାନ କାଟି ରଖୁଛନ୍ତି । ଯେତେବେଳେ କି ପ୍ରତି ୫୦ କେଜି ଅଖା ପିଛା ମିଲର୍ସଙ୍କୁ ୧୦ରୁ ୧୨ ଟଙ୍କା ମିଳୁଛି । ପୁଣି ମଣ୍ଡି ଧାନ ନେଇ ମିଲର୍ସକୁ ଦେବାର ବ୍ୟବସ୍ଥା ଥିବାବେଳେ ମଣ୍ଡି କର୍ତ୍ତୃପକ୍ଷ ମିଲର୍ସ ପାଖରେ ନେଇ ଧାନ ଦେବାକୁ କହୁଛନ୍ତି । ଏଫ୍ଏକ୍ୟୁ ମାନର ଧାନ ନମିଳିବା ଓ ଅଖା ଓ ଅନ୍ୟାନ୍ୟ ବାବଦକୁ ଖୁଣ କାଢ଼ି କୁଇଣ୍ଟାଲ ପିଛା ୫ରୁ ୭ କିଲୋ ଲେଖାଏଁ କାଟି ରଖୁଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଚଳିତ ବର୍ଷ ଜାନୁୟାରୀ ମାସ ୯ ତାରିଖଠାରୁ ଖରିଫ୍ ଧାନକିଣା ଆରମ୍ଭ ହୋଇଥିଲା । ନିୟନ୍ତ୍ରିତ ବଜାର କମିଟି(ଆରଏମ୍ସି) କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦ୍ଘାଟନ ହେବା ପରେ ଅନ୍ୟ ସମସ୍ତ ପ୍ୟାକ୍ସରେ ଧାନ କ୍ରୟ କରାଯିବ ବୋଲି କୁହାଯାଇଥିଲା । ଚଳିତ ବର୍ଷ ଜିଲ୍ଲାର ୫୨ ହଜାର ୯୨ଜଣ ଚାଷୀ ପଞ୍ଜୀକୃତ ଚାଷୀଙ୍କଠାରୁ ୧୨୦ ମଣ୍ଡିର ୧୨୪ କେନ୍ଦ୍ର ଓ ୨୯ଟି ମିଲ୍ ମାଧ୍ୟମରେ ଉତ୍ପାଦିତ ଧାନ କ୍ରୟ କରିବାର ବ୍ୟବସ୍ଥା କରାଯାଇଛି । ଆଳି ବ୍ଲକ୍ରେ ୧୧, ଡେରାବିଶ ବ୍ଲକ୍ରେ ୧୦, କେନ୍ଦ୍ରାପଡ଼ା ବ୍ଲକ୍ ୧୧, ମାର୍ଶାଘାଇ ବ୍ଲକ୍ ୧୦, ଗରଦପୁରରେ ୯, ମହାକାଳପଡ଼ାରେ ୨୪, ରାଜକନିକା ବ୍ଲକ୍ରେ ୧୬, ପଟ୍ଟାମୁଣ୍ଡାଇ ବ୍ଲକ୍ରେ ୧୪, ରାଜନଗରରେ ୧୩ଟି ପ୍ୟାକ୍ସ ଜରିଆରେ ଜମି ପଞ୍ଜୀକରଣ କରାଯାଇଥିଲା । ସପ୍ତାହକୁ ୩ ଦିନ ମଣ୍ଡି ପରିଚାଳନା ଓ ସକାଳ ୮ଟାରୁ ଅପରାହ୍ନ ୨ଟା ମଧ୍ୟରେ ଚାଷୀମାନେ ମଣ୍ଡିରେ ଧାନ ପହଞ୍ଚାଇବା ଆଦି ବ୍ୟବସ୍ଥା କରାଯାଇଛି । ମୋଟ୍ ୯ଟି ତହସିଲକୁ ୨ଟି ଭାଗରେ ପୃଥକ କରାଯାଇଛି । କେଉଁ ବ୍ଲକ୍ରେ କେଉଁ ଦିନ ଧାନ କିଣାଯିବ ତାର ତାଲିକା ପ୍ରସ୍ତୁତ କରାଯାଇଛି । ଗୋଟିଏ ଭାଗରେ ୪ଟି ବ୍ଲକ୍ ରଖାଯାଇ ସୋମବାର, ବୁଧବାର ଏବଂ ଶନିବାର ଓ ଅନ୍ୟଟିରେ ୫ଟି ବ୍ଲକ୍ ରଖାଯାଇ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଧାନ କିଣା ଯିବା ପାଇଁ ଯୋଜନା ହୋଇଛି ।

ଚଳିତ ବର୍ଷ ପ୍ରଥମ କିସ୍ତିରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୮୧ ହଜାର ୨୦୦ ମେଟ୍ରିକ ଟନ୍ ଧାନ ଚାଷୀଙ୍କଠାରୁ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଆଜି ଅର୍ଥାତ ଜାନୁଆରୀ ୩୧ ତାରିଖ ସୁଦ୍ଧା ମୋଟ୍ ୨ ଲକ୍ଷ ୯୪ ହଜାର ୫୦୦ କୁଇଣ୍ଟାଲ ଧାନ ଚାଷୀମାନଙ୍କଠାରୁ କିଣାଯାଇଛି । ଏଣେ ଧାନମଣ୍ଡି କାର୍ଯ୍ୟକ୍ଷମ ହେବାକୁ ୨ ସପ୍ତାହରୁ ଅଧିକ ଦିନ ବିତିଯାଇଥିବାବେଳେ ଅଦ୍ୟାବଧି ସମସ୍ତ ମଣ୍ଡି କିନ୍ତୁ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଚାଷୀ ଟୋକନ୍ ଧରି ବସିଥିବାବେଳେ ଅବଧି ସରିବାକୁ ବସିଲାଣି । ସମୟ ଗଡ଼ିଚାଲିଛି ଓ ମଣ୍ଡି ଖୋଲୁନଥିବାରୁ ଚାଷୀକୁଳ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ଟୋକନ୍ ଧାର୍ଯ୍ୟ ଅବଧି ମଧ୍ୟରେ ଧାନ କିଣା ହୋଇପାରିବ କି ନାହିଁ ସନ୍ଦେହରେ ଅଛନ୍ତି । ମୋଟ୍ ୭ ହଜାର ୬୩୧ ଚାଷୀ ଧାନ ଦେଇପାରିଛନ୍ତି । ଏସବୁ ଭିତରେ ଚାଷୀଙ୍କ ଯନ୍ତ୍ରଣା ବଢ଼ାଇଛି ମିଲର୍ସଙ୍କ ଜୁଲମ୍ । ମଣ୍ଡିଠାରୁ ମିଲ୍ ଯାଏ ବଢ଼ିଛି ଅତ୍ୟାଚାର । ଆଜି ତାରିଖ ସୁଦ୍ଧା ଧାନକିଣାରେ ଭାଗ ନେଇଥିବା ସବୁ ମିଲର୍ସ ଚାଷୀଙ୍କ ପାଖରେ ଅଖା ପହଞ୍ଚାଇବାକୁ ସମର୍ଥ ହେଶଇପାରିଲେନି । କେଉଁ ମଣ୍ଡିକୁ ଅଖା ମିଳିଛି ତ କାହାକୁ ମିଳିନାହିଁ । ଯେଉଁସବୁ ମଣ୍ଡିକୁ ବି ଅଖା ଦେଇଛନ୍ତି ପ୍ରଥମ କଥା ହେଲା ତାହାର ମାନ ଭଲ ନୁହେଁ ।

କେଉଁ ଅଖା ଫାଟି ଆଁ କରିଛି ତ କେଉଁଟା ଚିରି ଯାଇଥିବାରୁ ଧାନ ରଖିବାକୁ ଅସମର୍ଥ । ଯେଉଁ କିଛି ଅଖା ସାମାନ୍ୟ ଭଲ ବୋଲି କୁହାଯାଉଛି ସେଥିରେ ୫୦ କିଲୋ ଧାନ ପଶୁନାହିଁ । ୪୦ରୁ ୪୫ କିଲୋ ଧାନ ପଶୁଥିବାରୁ କୁଇଣ୍ଟାଲେ ଧାନ ପୂରାଇବାକୁ ୩ରୁ ୪ଟି ଅଖା ଲାଗିଯାଉଛି । ପ୍ରଶ୍ନ ଉଠୁଛି ମିଲର୍ସମାନେ ଚାଷୀଙ୍କୁ ମାଗଣାରେ ତ ଅଖା ଦେଉନାହାନ୍ତି । ତା’ ବଦଳରେ ସେମାନେ ଅର୍ଥ ପାଉଛନ୍ତି । ଚିରାଫଟା ଅଖା ଦେଇ ବଦଳରେ କୁଇଣ୍ଟାଲ ପିଛା କିଲୋରୁ ୨ କିଲୋ ଧାନ କାଟି ରଖିବାର କାରଣ କ’ଣ? ପୁଣି ପ୍ୟାକ୍ସ କର୍ତ୍ତୃପକ୍ଷ କୁଇଣ୍ଟାଲ ପିଛା ୪ କିଲୋ ଓ ପରେ ମିଲର ୨ରୁ ୩ କିଲୋ କାଟି ରଖିବାରୁ ପ୍ରାୟ ୧୦ କିଲୋ ପର୍ଯ୍ୟନ୍ତ ଧାନ କଟ୍ନି ଛଟ୍ନିରେ ଯାଉଛି । ଚାଷୀଙ୍କୁ ଶୋଷଣ କରିବାରୁ କୌଣସି ମାଧ୍ୟମ ଛାଡ଼ିନାହାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ(ସିଏସ୍ଓ) ବେଣୁଧର ପାଣିଗ୍ରାହୀଙ୍କୁ ପଚାରିବାରୁ କହିଛନ୍ତି ଯେ ଏବାବଦରେ ମିଲର୍ସମାନନଙ୍କ ସହ କଥା ହେବା ସହ ଅଭିଯୋଗର ଅନୁଧ୍ୟାନ ପୂର୍ବକ ପଦକ୍ଷେପ ଗ୍ରହଣ କରାଯିବ ।

ଆହୁରି ପଢ଼ନ୍ତୁ... ୨୧ ହଜାର ଜୀବନ ରକ୍ଷା କରିଛନ୍ତି ଅଗ୍ନିଯୋଦ୍ଧା, ଉଦ୍ଧାର କରିଛନ୍ତି ୫୦ ହଜାରୁ ଅଧିକ ପଶୁ​​​​​​​