ଭୁବନେଶ୍ୱର,୦୪/୧୦: ଚଳିତ ବର୍ଷ କ୍ଷୁଦ୍ର ଶସ୍ୟ ମିଲେଟ ସୁଆଁ ଦେବ ଚାଷୀଙ୍କୁ ଭଲ ଆୟ । ଏଭଳି ଆଶା ବ୍ୟକ୍ତ କରିଛନ୍ତି କୋରାପୁଟ ଜିଲ୍ଲା ମୁଖ୍ୟାଳୟଠାରୁ ୫ କିଲୋମିଟର ଦୂର ମାନବର ଗାଁର ପୁରୁବ ଗୌଡ଼ । ପୁରୁବ ଗତ ବର୍ଷ ନିଜର ୨ ଏକର ଜମିରେ ସୁଆଁ ଲଗାଇ ୧୪ କୁଇଣ୍ଟାଲ ଅମଳ କରିଥିଲେ । ଯାହାକୁ ସେ କିଲୋପ୍ରତି ୨୫ ଟଙ୍କାରେ ବିକ୍ରି କରିଥିଲେ । ଏ ବର୍ଷ ଭଲ ଅମଳ ହୋଇଥିବାରୁ ସେ ୧୬ କୁଇଣ୍ଟାଲ ଅମଳ ଆଶା ରଖିଛନ୍ତି । ପୁଣି ଏ ବର୍ଷ ବିକ୍ରି ଦର କିଲୋପ୍ରତି ୪୦ ଟଙ୍କା ଲେଖାଏଁ ଚାଲିଥିବାରୁ ଅଧିକ ଦୁଇ ପଇସା ପାଇବେ ବୋଲି ପୁରୁବ କହିଛନ୍ତି ।
କେବଳ ପୁରୁବ ନୁହଁନ୍ତି ମାନବର ଗାଁରେ ଚଳିତ ବର୍ଷ ପାଖାପାଖି ୭୦ ଜଣ ଚାଷୀ ସୁଆଁ ଚାଷ କରିଛନ୍ତି । ଯେଉଁଥିରେ ବଡ଼ସୁଆଁ, ଧଳା ସୁଆଁ, କଳା ସୁଆଁ, କୁସୁମ, ଗୁରୁଜି, ଚୁପା ଆଦି କିସମ ରହିଛି । ପୁରୁବ କହନ୍ତି ‘କୁସୁମ’ କିସମ ଭଲ ଅମଳ ଦେଉଥିବାରୁ ଓ ଏହାର ଓଜନ ଅଧିକ ରହୁଥିବାରୁ ମୁଁ ଏହାକୁ ଲଗାଇଛି । ଅମଳ ପରେ ଆମେ ସୁଆଁକୁ ଏକ ଘରୋଇ ପ୍ରକ୍ରିୟାକରଣ ୟୁନିଟ୍କୁ ଦେଉ । ଯେଉଁମାନେ କି ସୁଆଁକୁ ପ୍ରକ୍ରିୟାକରଣ କରି ସାରିବା ପରେ କିଲୋପ୍ରତି ୧୦୦ରୁ ୧୨୦ ଟଙ୍କାରେ ବଡ଼ ବଜାରରେ ବିକ୍ରି କରିଥାନ୍ତି ।
ସୁଆଁ ଦେଖିବାକୁ ଖୁବ୍ ଛୋଟ ଥିବା ବେଳେ ପୁଷ୍ଟିସାରରେ ଭରପୁର । ଭାରତର ବିଭିନ୍ନ ସ୍ଥାନରେ ସାମା ଓ କୁଟକି କିସମ ଚାଷ ହୋଇଥାଏ । ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାରେ କ୍ଷୁଦ୍ରଶସ୍ୟ ମିଲେଟ ବିଶେଷ ଭାବେ ଚାଷ ହୋଇଥାଏ । ଯାହାକୁ ଲୋକେ ମାଣ୍ଡିଆ ଭାତ ଓ ମାଣ୍ଡିଆ ଜାଉ କରି ଖାଇଥାନ୍ତି । ପୂର୍ବରୁ ଓଡ଼ିଶାର ଲୋକମାନେ ସୁଆଁକୁ ଏଣେତେଣେ ନିଜର ଡଙ୍ଗର ଜମିରେ ଚାଷ କରୁଥିଲେ । ମାତ୍ର ୨୦୧୭ ମସିହା ପରେ ରାଜ୍ୟ ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଓଡ଼ିଶା ମିଲେଟ ମିଶନ କାର୍ଯ୍ୟ କଲା ପରେ ଏହାକୁ ସଠିକ୍ ପ୍ରଣାଳୀରେ (ଏସ୍ଏମ୍ଆଇ ପଦ୍ଧତିରେ) ଲଗାଯିବା ଆରମ୍ଭ ହେଲା । ସରକାରଙ୍କ ହସ୍ତକ୍ଷେପରୁ ଏବେ ରାଜ୍ୟର ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକର ଚାଷୀମାନେ କୋଦା ଓ କାଙ୍ଗୁ ଭଳି କ୍ଷୁଦ୍ରଶସ୍ୟ ମିଲେଟକୁ ନିଜ ଜମିରେ ଲଗାଇବାକୁ ଆଗ୍ରହ ଦେଖାଇଲେ । ଯାହାକି ଓଡ଼ିଶାର କ୍ଷୁଦ୍ରଶସ୍ୟ ଅମଳର ପରିମାଣକୁ ବୃଦ୍ଧି ଦିଗରେ ସାହାଯ୍ୟ କଲା ବୋଲି କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ହିମାଂଶୁ ମୋହନ ମିଶ୍ର କହିଛନ୍ତି ।
ଏସ୍ଏମ୍ଆଇ ପଦ୍ଧତିରେ ଚାଷ ଦ୍ୱାରା ଜମିରେ ଉପଯୁକ୍ତ ବ୍ୟବଧାନ, ବିହନ ପ୍ରକ୍ରିୟାକରଣ, ବିଶୋଧନ, ଜୈବିକ ଖତ ଓ ଅନ୍ୟାନ୍ୟ କୃଷି ପ୍ରଣାଳୀ ଦ୍ୱାରା ମିଲେଟ ଉତ୍ପାଦନ ବୃଦ୍ଧି ପାଇଛି । କୃଷକମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଇ ଓଡ଼ିଶା ମିଲେଟ ମିଶନ ଏସ୍ଏମ୍ଆଇ ପଦ୍ଧତିରେ ଚାଷୀଙ୍କୁ ଚାଷ ପାଇଁ ପ୍ରବର୍ତ୍ତାଉଛି । କୋରାପୁଟ କୃଷକ ସଂଘ ଏବଂ ଜିଲ୍ଲା କୃଷି ବିଭାଗ ମିଳିତ ଭାବେ ଚାଷୀଙ୍କୁ ଏସ୍ଏମ୍ଆଇ ପଦ୍ଧତିରେ କ୍ଷୁଦ୍ରଶସ୍ୟ ମିଲେଟ ଚାଷ କରିବାକୁ ଉତ୍ସାହିତ କରୁଛନ୍ତି । ଏ ବାବଦରେ କୋରାପୁଟ କୃଷକ ସଂଘ ସମ୍ପାଦକ ଶରତ ପଟ୍ଟନାୟକ କହନ୍ତି, ଏହି ପଦ୍ଧତି ଦ୍ୱାରା କ୍ଷୁଦ୍ରଶସ୍ୟ ମିଲେଟ ଅମଳର ପରିମାଣ ଏକର ପିଛା ୭ରୁ ୮ କୁଇଣ୍ଟାଲ ବୃଦ୍ଧି ପାଉଛି । ତେଣୁ ଚାଷୀମାନେ ବି ଏ ଦିଗରେ ମନ ବଳାଉଛନ୍ତି । କୋରାପୁଟରେ ଚାଷୀମାନେ ୯ ପ୍ରକାର କ୍ଷୁଦ୍ରଶସ୍ୟ ମିଲେଟ ଯଥା ଧଳା, କଳା, ଚଇତିମୁଣ୍ଡି, ମଛାରୀ, ବଡ଼, ରଙ୍ଗା ଆଦି କିସମ କରୁଛନ୍ତି । ବର୍ତ୍ତମାନ ଜିଲ୍ଲାରେ ପାଖାପାଖି ୧୫ ହଜାର ହେକ୍ଟର ଜମିରେ କ୍ଷୁଦ୍ରଶସ୍ୟ ମିଲେଟ ଚାଷ ହେଉଛି ।
ଗଣ୍ଡ, ଭୁମିଜ, କନ୍ଧ ଓ ପରଜା ସମ୍ପ୍ରଦାୟର ଆଦିବାସୀ ଚାଷୀ ଏହାକୁ ଚାଷ କରୁଥିବା ବେଳେ ଏଥିରେ ମରୁଡ଼ି ପ୍ରତିରୋଧକ ଓ କୀଟ ପ୍ରତିରୋଧକ କ୍ଷମତା ରହିଛି । ଏହା ସବୁଠୁ କମ୍ ବର୍ଷା (୩୦୦ରୁ ୩୫୦ ମିମି) ଆବଶ୍ୟକ କରେ ଓ ପ୍ରାୟତଃ ସାର ଆବଶ୍ୟକତା କରେ ନାହିଁ ବୋଲି କୋରାପୁଟ ଦାୟିତ୍ୱରେ ଥିବା ବ୍ଲକ୍ ଯୋଜନା ଅଧିକାରୀ ତାପସ ରାୟ କହିଛନ୍ତି । ଯଦି ଜଣେ ଚାଷୀ ନିଜର ଅଢ଼େଇ ଏକର ଜାଗାରେ ଯେକୌଣସି ପ୍ରକାର କ୍ଷୁଦ୍ରଶସ୍ୟ ଅମଳ କରେ, ତାକୁ ପ୍ରଥମ ବର୍ଷ ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ମିଳିବ । ଦ୍ୱିତୀୟ ବର୍ଷରେ ୭ ହଜାର ୫୦୦ ଓ ତୃତୀୟ ବର୍ଷରେ ୫୦୦୦ ଟଙ୍କା ମିଳିବ । ଚତୁର୍ଥ ଓ ୫ମ ବର୍ଷରେ ଚାଷୀକୁ ୪୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିବାର ପ୍ରାବଧାନ ରହିଛି ବୋଲି ଶ୍ରୀ ରାୟ କହିଛନ୍ତି ।
କ୍ଷୁଦ୍ରଶସ୍ୟ ମିଲେଟରେ ପ୍ରୋଟିନ, ଫାଇବର ଓ ମିନେରାଲ୍ସ ଆଦି ଭରପୁର ମାତ୍ରାରେ ରହିଛି । କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବବିବିଧତା ସଂରକ୍ଷଣ ପ୍ରାକୃତିକ ସମ୍ପଦ ବିଭାଗର ପ୍ରଫେସର ଡକ୍ଟର ଦେବବ୍ରତ ପଣ୍ଡା କହିଛନ୍ତି, କୋରାପୁଟ ଜିଲ୍ଲାରୁ ଆମେ ପାଖାପାଖି ୧୫ ପ୍ରକାର କ୍ଷୁଦ୍ରଶସ୍ୟ ମିଲେଟ ସଂଗ୍ରହ କରିଛୁ । ଏକ ଗ୍ରାମ ଚାଉଳରେ ୦.୯୯ ମିଲିଗ୍ରାମ ଖଣିଜଲବଣ ରହୁଥିବା ବେଳେ କ୍ଷୁଦ୍ରଶସ୍ୟ ମିଲେଟରେ ଏହା ୯.୩୮ ମିଲିଗ୍ରାମ ।