ଭୁବନେଶ୍ୱର, ୮।୪: ଏପ୍ରିଲ ଶେଷ ସୁଦ୍ଧା ଖୋଲିବ ସାଲିଆ ସାହି ରାସ୍ତା । ଏନେଇ କାମକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଜୟଦେବ ବିହାରର ପାରାଲେଲ୍ ରାସ୍ତା ଭାବରେ ଏହି ରାସ୍ତା ଆରମ୍ଭ ହୋଇଛି । ଏପ୍ରିଲ୍ ୩୦ ସୁଦ୍ଧା ଏହାକୁ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏହାର ଉଦଘାଟନକୁ ଚାହିଁ ବସିଛନ୍ତି ରାଜଧାନୀବାସିନ୍ଦା । ଜୟଦେବ ବିହାର ପାରାଲଲ ରାସ୍ତା କାମ ଶେଷ ହେବା ପରେ ଏହାର ଉଦଘାଟନ ହେବ ।
ଏହା ବି ପଢ଼ନ୍ତୁ... ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରେକର୍ଡ ସଫଳତା ! ୩,୪୪୪ କୋଟି ବ୍ୟୟରେ ୯୯% କାମ ଶେଷ
ଏପ୍ରିଲ ୩୦ ତାରିଖରେ ଏହାକୁ ଉଦଘାଟନ କରିବା ପାଇଁ ପୂର୍ତ୍ତ ବିଭାଗ ଲକ୍ଷ୍ୟ ରଖିଛି । ଏଥିପାଇଁ ଏହି କାମକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତାର କାମ କିପରି ଚାଲିଛି ଗ୍ରାଉଣ୍ଡ ଜିରୋରୁ ଏହାର ନିରୀକ୍ଷଣ କରିଛନ୍ତି । ତେବେ ଏପ୍ରିଲ ୧୫ ସୁଦ୍ଧା ଏହି କାମ ସାରିବା ପାଇଁ ପୂର୍ବରୁ ନିର୍ଦେଶ ହୋଇଥିବା ବେଳେ ଏହାର ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏହି ରାସ୍ତାରେ ଦୁର୍ଘଟଣା କିପରି ହେବ ନାହିଁ ସେନେଇ ଡିଜାଇନରେ କିଛି ପରିବର୍ତ୍ତନ କରାଯାଇଥିବାରୁ ସମୟକୁ ମଧ୍ୟ ବୃଦ୍ଧି କରାଯାଇଛି । ଆଉ ମାତ୍ର ୨୨ ଦିନ ମଧ୍ୟରେ କାମ ସାରି ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ମନ୍ତ୍ରୀ ନିଜେ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱରରେ ବଢ଼ୁଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏମିତି ଅନେକ ରାସ୍ତା ସରକାର ନିର୍ମାଣ କରିବାକୁ ଯାଉଛନ୍ତି । ସାଲିଆ ସାହି ରାସ୍ତା ହେଉଛି ପ୍ରଥମ ରାସ୍ତା । ଏକାମ୍ର କାନନ ପାର୍ଶ୍ଵ ରାସ୍ତାରୁ ଚୁନକୋଇଲି ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ହେଉଛି । ତେବେ ଏହି କାମ ସରିବା ପରେ ପାଖାପାଖି ୧୧ରୁ ୧୨ କିଲୋମିଟର ପର୍ଯ୍ୟନ୍ତ ୨୦୦ ଫୁଟ୍ର ଚୌଡ଼ା ରାସ୍ତା ରାଜଧାନୀବାସିନ୍ଦା ପାଇବେ । ତେଣୁ ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍ର ଭିଡ଼କୁ କମାଇବା ପାଇଁ ଏହା ନିର୍ମାଣ ହେଉଛି ।
ଅନ୍ୟପଟେ ଏହି ରୋଡ୍ର ଆବଶ୍ୟକତା ବେଶ୍ ଅଧିକ ରହୁଥିବା କହିଛନ୍ତି ରାଜଧାନୀବାସିନ୍ଦା । ଯଥାଶୀଘ୍ର ଏହି ରାସ୍ତା କାମ ଶେଷ କରିବାକୁ ଅନୁରୋଧ କରିଛନ୍ତି । ଏଣିକି ଘଣ୍ଟା ଘଣ୍ଟା ଟ୍ରାଫିକରେ ନ ରହି ଅଳ୍ପ ସମୟରେ କଟକରୁ ଭୁବନେଶ୍ୱର ଆସିପାରିବେ ଲୋକେ । ରାଜଧାନୀର ଭିଡ଼କୁ କମାଇବା ପାଇଁ ମୋଟ୍ ୩୭ଟି ଜାଗାରେ ପାରାଲ୍ ରୋଡ୍ ନିର୍ମାଣ କରିବାର ଲକ୍ଷ୍ୟ ରହିଛି ।