- ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ରହିଛି ୩୦୦ ଫ୍ଲାଟ
- ସବୁଜ ବଳୟ ସୃଷ୍ଟି ପାଇଁ ଯୋଜନା
- ନିର୍ମାଣ ହେବ ୫୦ କୋଠରି ବିଶିଷ୍ଟ କ୍ଲବ୍ ହାଉସ୍
- ଜଳ ସଂରକ୍ଷଣ ଏବଂ ସ୍ୱରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର, ୧୮।୩ : ଭୁବନେଶ୍ୱରରେ ନିର୍ମାଣାଧୀନ ବିଧାୟକ ଆବାସିକ କମ୍ପ୍ଲେକ୍ସ କାର୍ଯ୍ୟ ଜୁନ ୩୦ ସୁଦ୍ଧା ଶେଷ ହେବ। କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ବରିଷ୍ଠ ଅଧିକାରୀ ଏବଂ ଠିକା ସଂସ୍ଥାକୁ ପୂର୍ତ୍ତ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି । ଏଥିସହ ନିର୍ମାଣଧୀନ ଅଞ୍ଚଳ ବୁଲି ଦେଖିଛନ୍ତି।
୬ଟି ଟାୱାରବିଶିଷ୍ଟ ଏହି ଆବାସିକ କମ୍ପ୍ଲେକ୍ସରେ ମୋଟ ୩୦୦ଟି ଫ୍ଲାଟ ରହିଛି । ସେଥି ମଧ୍ୟରୁ ୧୦୫ଟି ଟାଇପ୍ ୭ ଫ୍ଲାଟ୍ ରହିଥିବାବେଳେ ୧୯୫ଟି ଟାଇପ୍ ୬ ଫ୍ଲାଟ୍ ବ୍ୟବସ୍ଥା ରହିଛି । କମ୍ପ୍ଲେକ୍ସରେ ୧୩୦ ଜଣ ବିଧାୟକ ଏବଂ ୧୭୦ ଜଣ ବରିଷ୍ଠ ଅଧିକାରୀ ରହିବା ଭଳି ବ୍ୟବସ୍ଥା ରହିବ । ଏଥି ସହିତ ପରିସରରେ ସ୍ୱରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ଏବଂ ଭୂତଳ ଜଳ ସଂରକ୍ଷଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ସହ ପରିସରକୁ ସବୁଜ ବଳୟରେ ପରିଣତ କରବା ପାଇଁ ବଡ଼ ବଡ଼ ଉପାଦେୟ ଗଛ ଲଗାଯିବ । ସେହିଭଳି ଅତିଥିମାନଙ୍କ ପାଇଁ ୫୦ କୋଠରିବିଶିଷ୍ଟ ଏକ କ୍ଲବ୍ ହାଉସ୍ ନିର୍ମାଣ ନେଇ ଆଲୋଚନା ହୋଇଥିଲା ।
ଏହି ବୈଠକରେ ବିଧାୟକ ବାବୁ ସିଂ, ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଅନୁପମ୍ ସାହାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ମୁଖ୍ୟଯନ୍ତ୍ରୀ ଏବଂ ଠିକା ସଂସ୍ଥାର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।