• ବାଦ୍‌ ପଡ଼ିବେ ୬ ମନ୍ତ୍ରୀ!
  • ମନ୍ତ୍ରୀ ହେବାକୁ ପ୍ରବଳ ଲବି, ଆଶାୟୀଙ୍କ ମନରେ ଲଡ଼ୁ
  • ୨ରୁ ମନ୍ତ୍ରୀଙ୍କ ଦକ୍ଷତା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩୧/୦୫: ଯାହା ପ୍ରଦର୍ଶନ ଭଲ, ସିଏ ରହିବେ । ଯିଏ ଦୁର୍ବଳ, ହଟିବା ଥୟ । ଆନୁଗତ୍ୟ ହେଉଛି ଦ୍ୱିତୀୟ ପ୍ରମୁଖ ମାନଦଣ୍ଡ । ସରକାରଙ୍କ ଭାବମୂର୍ତ୍ତିକୁ ଆଞ୍ଚ୍‌ ପହଞ୍ଚାଉଥିବା ନେତାଙ୍କ ସ୍ଥାନ ନାହିଁ ମୋହନ ମନ୍ତ୍ରିମଣ୍ଡଳରେ । ଏମିତି କଠୋର ନୀତି ଧରି ମନ୍ତ୍ରୀମାନଙ୍କର ଦକ୍ଷତା ମୂଲ୍ୟାୟନ କରୁଛନ୍ତି ମୋହନ ସରକାର । ଏଭଳି ଚର୍ଚ୍ଚା ଜୋର୍‌ ଧରିଲାଣି ପାୱାର୍‌ କରିଡର୍‌ରେ । କୁହାଯାଉଛି, ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ପରେ ଜୁନ୍‌ ତୃତୀୟ ସପ୍ତାହ ବେଳକୁ ହୋଇପାରେ ମୋହନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ । ଏ ନେଇ ଆସନ୍ତା ଜୁନ୍‌ ୨ରୁ ମନ୍ତ୍ରୀମାନଙ୍କର ଦକ୍ଷତାର ସିଧା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭାଗୱାରୀ ସମୀକ୍ଷା କରାଯିବ ।

ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ନିଜ ଇଚ୍ଛା ମୁତାବକ ମନ୍ତ୍ରୀ ବାଛିବା ଓ ହଟାଇବା ଲାଗି ମୋହନଙ୍କୁ ଉପର ମହଲରୁ ପୂର୍ଣ୍ଣ ସ୍ୱାଧୀନତା ମିଳି ଯାଇଛି । ଅତି କମ୍‌ରେ ୬ ଜଣଙ୍କ ଦକ୍ଷତା ଓ ଏବଂ ଆନୁଗତ୍ୟ ଉପରେ ମୋହନ ଖୁସି ନାହାନ୍ତି । ଏଣୁ ଏମାନଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି । ଆଉ ୬ଟି ମନ୍ତ୍ରିପଦ ଫାଙ୍କା ପଡ଼ିଛି । ଏହାର ଅର୍ଥ ହେଉଛି ୧୨ଟି ମନ୍ତ୍ରି ପଦ । କାହା ମୁଣ୍ଡରେ ଢଳିବ ମୋହନ କଳସ? ଆଶାୟୀ ଲବି ତେଜିଛନ୍ତି । ଯେଉଁ ଜିଲ୍ଲାରୁ କେହି ମନ୍ତ୍ରୀ ନାହାନ୍ତି, ସେଥିରୁ କେତେକଙ୍କ ମନରେ ମନ୍ତ୍ରୀ ପଦ ଲଡ଼ୁ ଆଶା ବଢ଼ିଛି । ଅନେକ ବଡ଼ ନେତାଙ୍କ ଚକ୍କର କାଟିବାରେ ଲାଗିଛନ୍ତି । କିଏ ମୁଖ୍ୟମନ୍ତ୍ରୀଙ୍କ ଆଖପାଖ ଭାବେ ଜଣାଶୁଣା ନେତାଙ୍କୁ ଖୁସ୍‌ କରାଇ ନିଜ ଯୋଗ୍ୟତା ପ୍ରତିପାଦିତ କରିବାକୁ ଉଦ୍ୟମ କରୁଛି ତ ଆଉ କିଏ ରାଜ୍ୟ ସଭାପତିଙ୍କ ମନ ଜିଣିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ଆଉ କିଏ ସଂଘ ଶରଣ ପଶୁଛନ୍ତି । କିଛି କିଛି ନେତା ସୋସିଆଲ ମିଡିଆରେ ନିଜ ସମର୍ଥକଙ୍କ ମାଧ୍ୟମରେ ଚର୍ଚ୍ଚା ଖେଳାଇବାରେ ଲାଗି ପଡ଼ିଛନ୍ତି । କିନ୍ତୁ, ମୋହନ ସରକାର ପୂରା ମାପିଚୁପି ପରଖୁଛନ୍ତି ଯୋଗ୍ୟତା ।

ଯୋଗ୍ୟତା, ଦକ୍ଷତା ମୂଲ୍ୟାୟନ ପାଇଁ ୧୬ ପୃଷ୍ଠାର ଫର୍ମାଟରେ ନିଜ ବିଭାଗର ୨ବର୍ଷର ସଫଳତା, ଉପଲବ୍ଧି ଉପସ୍ଥାପନ କରିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛ । ପ୍ରଥମ ଦନି ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବିଭାଗର କାର୍ଯ୍ୟକାରିତା ଓ ଦକ୍ଷତାର ସମୀକ୍ଷା କରାଯିବ । ଜୁନ୍‌ ୯ ତାରିଖ ମଧ୍ୟରେ ସମସ୍ତ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ବିଭାଗର ମନ୍ତ୍ରୀ ସରକାରଙ୍କ ସଫଳତା ରାଜ୍ୟବାସୀଙ୍କ ଆଗରେ ରଖିବେ । ରାଜ୍ୟ ବିଜେପି ସରକାରଙ୍କୁ କାର୍ଯ୍ୟକାଳକୁ ଆସନ୍ତା ଜୁନ୍‌ ୧୨ ତାରିଖରେ ୨ ବର୍ଷ ପୂରିବ । ବର୍ଷ ପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ରାଜ୍ୟବାସୀଙ୍କ ଆଗରେ ଦୁଇ ବର୍ଷର ଉପଲବ୍ଧି ଉପସ୍ଥାପନ କରପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାନସଭାରେ ମନ୍ତ୍ରୀଙ୍କ ପ୍ରଦର୍ଶନ କିଭଳି ଥିଲା, ତା’ର ତଥ୍ୟ ମଗାଯାଇଛି । ମନ୍ତ୍ରୀ ପ୍ରଶ୍ନର କିଭଳି ଉତ୍ତର ରଖିଛନ୍ତି, କେତେ ଦକ୍ଷତାର ସହ ବିରୋଧୀଙ୍କୁ ସାମ୍ନା କରିଛନ୍ତି, ସବୁ ପରଖୁଛନ୍ତି ମୁଖ୍ୟମନ୍ତ୍ରୀ । ଲୋଙ୍କ ସମସ୍ୟା, ଅଭିଯୋଗ ଶୁଣାଣି ଓ ସମାଧାନ ଦିଗରେ ନିଆଯାଉଥିବା ପଦକ୍ଷେପକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।

ଜନଶୁଣାଣି ପୋର୍ଟାଲ, ପ୍ରତ୍ୟକ୍ଷ ଶୁଣାଣି ଓ ସୋସିଆଲ ମିଡିଆ ମାଧ୍ୟମରେ ଆସିଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ କେତେ ପ୍ରତିଶତ ଅଭିଯୋଗର ସମାଧାନ କେତେ ଦିନରେ ହୋଇଛି? କେତେ ମାମଲା ଗଡ଼ୁଛି, ସବୁର ହିସାବ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ରଖିବେ ମନ୍ତ୍ରୀ । ପ୍ରଶାସନିକ ନୀତିଗତ ଫାଇଲ ଚୂଡ଼ାନ୍ତ କରିବାକୁ ମନ୍ତ୍ରୀ କେତେ ସମୟ ନେଉଛନ୍ତି, ତା’ର ତଥ୍ୟ ବି ଦେବେ ମନ୍ତ୍ରୀ । ମନ୍ତ୍ରୀମାନେ ନିଜ ସ୍ତରରେ କରିଥିବା ସ୍ୱତନ୍ତ୍ର ମନିଟରିଂ ଓ ମୂଲ୍ୟାଙ୍କନ ସହ ଜିଲ୍ଲା ଗସ୍ତର ସୁଫଳ ବାବଦ ତଥ୍ୟ ଦେବେ । ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି, ପ୍ରଶାସନରେ ଡିଜିଟାଲ ସଂସ୍କାର, ସ୍ୱଚ୍ଛ ଶାସନ ପାଇଁ ନିଆଯାଇଥିବା ନୂଆ ପଦକ୍ଷେପର ମଧ୍ୟ ସମୀକ୍ଷା କରାଯିବ । ନିର୍ବାଚନ ପ୍ରତିଶ୍ରୁତି ପୂରଣରେ କେତେ ସଫଳତା ବିଭାଗ ହାସଲ କରିଛି, ତାହା ମଧ୍ୟ ଅନ୍ୟ ଏକ ମାନଦଣ୍ଡ ରଖାଯାଇଛି । ୨୦୩୬ ଓ ୨୦୪୭ ଭିଜନ ଡକ୍ୟୁମେଣ୍ଟ ଲକ୍ଷ୍ୟ ହାସଲ ପାଇଁ ଆଗାମୀ ୩ ବର୍ଷର ରୋଡମ୍ୟାପ୍‌, ଆଗାମୀ ୧୨ ମାସ ପାଇଁ ବିଭାଗର ୧୦ ପ୍ରାଥମିକତା ଓ ଗତ ଦୁଇ ବର୍ଷର ଶାସନରେ ସବୁଠାରୁ ବଡ଼ ଉପଲବ୍ଧି ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ । ମହିଳା, ଚାଷୀ ଓ ଯୁବପିଢ଼ିଙ୍କ କ୍ଷେତ୍ରରେ ବିଭାଗ ଆଣିଥିବା ରୂପାନ୍ତରଣ ବାବଦରେ ସଫଳ କାହାଣୀ ଉପସ୍ଥାପନ କରିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ- Anti Liquor Movement: ନିଶାମୁକ୍ତି ଆନ୍ଦୋଳନର ଅଗ୍ରଣୀ ସାରଥୀ ଦାଢ଼ିଆ ସାର୍, ୪୦ରୁ ଅଧିକ ମଦ ବେପାରୀଙ୍କୁ ନିଶା ସାମ୍ରାଜ୍ୟରୁ ଫେରାଇ ଆଣିଲେଣି