ଭୁବନେଶ୍ୱର,୧୫/୧୦: କେନ୍ଦ୍ର ଜଳ  ଶକ୍ତି ମନ୍ତ୍ରଣାଳୟ ତରଫରୁ ସୋମବାର ପଞ୍ଚମ  ଜାତୀୟ ଜଳ ପୁରସ୍କାର-୨୦୨୩ ଘୋଷଣା  କରାଯାଇଛି । ଏଥିରେ ଓଡ଼ିଶାକୁ ଅପୂର୍ବ ସଫଳତା ମିଳିଛି । ଜଳ ସଂରକ୍ଷଣ ଦିଗରେ  ବ୍ୟାପକ କାମ କରୁଥିବା ଯୋଗୁ ଓଡ଼ିଶାକୁ  ଶ୍ରେଷ୍ଠ ରାଜ୍ୟ ଭାବେ ମାନ୍ୟତା ମିଳିଛି । ସେହିପରି ବଲାଙ୍ଗିରକୁ ଶ୍ରେଷ୍ଠ ଜିଲ୍ଲା, ପୁରୀକୁ  ଶ୍ରେଷ୍ଠ ସହରାଞ୍ଚଳ ସଂସ୍ଥା ଓ ମୟୂରଭଞ୍ଜର  ଖଇରବାଣି ଆଶ୍ରମ ସ୍କୁଲକୁ ଶ୍ରେଷ୍ଠ ବିଦ୍ୟାଳୟ  ଭାବେ ମନୋନୀତ କରାଯାଇଛି । ଏହି ୪ଟି  ବର୍ଗରେ ଓଡ଼ିଶା ଜାତୀୟ ଜଳ ପୁରସ୍କାର  ପାଇବ । 

ଗତ କିଛିବର୍ଷ ମଧ୍ୟରେ ଜଳ ସଂରକ୍ଷଣକୁ  ନେଇ ଓଡ଼ିଶା ଆଖିଦୃଶିଆ କାମ କରିଛି ।  ସେଥିମଧ୍ୟରେ ୫୩ହଜାର ଜଳ ସଂରକ୍ଷଣ ଓ  ବର୍ଷା ଜଳ ଅମଳ ପ୍ରକଳ୍ପ, ୧୧ହଜାର ଜଳାଶୟରେ ପ୍ରାୟ ୧୦,୮୦୦ଟି ଜଳ ଅମଳ ଭିତ୍ତିଭୂମି,  ୬୮୭୦୦ ଜଳ ବିକାଶ ପ୍ରକଳ୍ପ, ୨୧ହଜାର  ବର୍ଜ୍ୟଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟ ତିଆରି ହୋଇଛି ।  ସେହିପରି ୧୮ଶହ କିମି ଡ୍ରେନେଜ ଚ୍ୟାନେଲ୍‌  ନିର୍ମାଣ କରାଯାଇଛି । ୩୯ହଜାର ହେକ୍ଟର  ଚାଷଜମିକୁ ଜଳବନ୍ଦୀରୁ ଉଦ୍ଧାର କରାଯାଇଥିବା  ବେଳେ ୯୦,୯୦୦ ହେକ୍ଟରରୁ ଅଧିକ ଜମିକୁ  ଜଳସେଚନ ଅଞ୍ଚଳରେ ପରିଣତ କରାଯାଇଛି । ଯଦ୍ଦ୍ୱାରା ରାଜ୍ୟର ୮୭ହଜାର କୃଷକ ଲାଭାନ୍ୱିତ  ହୋଇଛନ୍ତି । ଏଥିସହ କ୍ଷୁଦ୍ର ଜଳସେଚନ  ଓ ଚେକଡ୍ୟାମ୍‌ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା କାର୍ଯ୍ୟକ୍ଷମ  ହେଉଛି । ପୁରୀ ପ୍ରଥମ ପୌର ସଂସ୍ଥା ଭାବେ  ସହରସାରା ୨୪ଘଣ୍ଟିଆ ଜଳ ଯୋଗାଣ କରିଛି । ବଲାଙ୍ଗିରରେ ମଧ୍ୟ ଜଳ ସଂରକ୍ଷଣକୁ ନେଇ  ପାଣି ପଞ୍ଚାୟତ, ଜଳାଶୟ ଖନନ ଭଳି ଅନେକ  କାମ ହୋଇଥିବା କୁହାଯାଇଛି । ଆସନ୍ତା ୨୨  ତାରିଖରେ ଦିଲ୍ଲୀ ବିଜ୍ଞାନଭବନରେ ରାଜ୍ୟକୁ  ପୁରସ୍କୃତ କରାଯିବ ।