ପାରାଦୀପ,୧୬/୦୬: ପୋଷା କୁକୁର ବାଡ଼ିରେ ପଶି ଯିବାରୁ ୮ ବର୍ଷର ଶିଶୁକୁ ନିସ୍ତୁକ ମାଡ଼। ଗଛରୁ ଡାଳ ଭାଙ୍ଗି ଶିଶୁର ପିଠିକୁ ବାଡେଇ ଫଟେଇ ଦେଇଛନ୍ତି ପରିବାର ସଦସ୍ୟ। ପିଠିରେ ମାଡର ନୋଳା ବସି ଫାଟି ଯିବାରୁ ଶିଶୁର ଦେହରୁ ରକ୍ତ ବାହାରୁଛି। ଏ ନେଇ ଅଭୟଚାନ୍ଦପୁର ଥାନାରେ ଏତଲା ଦେଇଛନ୍ତି ଶିଶୁର ମାଆ ରାଧା ସ୍ଵାଇଁ।
ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା ରଙ୍ଗିଆଗଡ ଅନ୍ତର୍ଗତ ରାମଚଣ୍ଡୀପଡ଼ା ଅଞ୍ଚଳର ରାଧା ସ୍ଵାଇଁ ଏବଂ ସ୍ଵାମୀ ଦିଲ୍ଲୀପ କୁମାର ସ୍ୱାଇଁଙ୍କ ପୋଷା କୁକୁର ପାଖ ପଡ଼ୋଶୀ ଅରୁଣ ମହାନ୍ତିଙ୍କ ବାଡ଼ିରେ ପଶିଯାଇଥିଲା । ରାଧା ସ୍ଵାଇଁଙ୍କ ସାନ ପୁଅ କୁକୁରକୁ ଧରିବା ପାଇଁ ଅରୁଣଙ୍କ ଘରକୁ ଯାଇଥିଲା। ଅରୁଣ ମାହାନ୍ତି, ତାଙ୍କ ପୁଅ ବିଶ୍ୱଜିତ ମହାନ୍ତି ଓ ବୋହୂ ମିଶି ଗଛର ଡାଳ ଭାଙ୍ଗି ସାନ ପୁଅକୁ ନିସ୍ତୁକ ମାଡ଼ ମାରିଥିଲେ। ସାନ ପୁଅ କାନ୍ଦି କାନ୍ଦି ଆସି ରାଧା ସ୍ଵାଇଁଙ୍କୁ କହିବାରୁ ସଙ୍ଗେ ସଙ୍ଗେ ରାଧା ସ୍ଵାଇଁ ଅରୁଣ ଘରକୁ ଯାଇ ପଚାରିଥିଲେ । ଅରୁଣଙ୍କ ପରିବାର ଲୋକେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ରାଧା ସ୍ଵାଇଁଙ୍କୁ ମାରିବାକୁ ଗୋଡାଇଥିଲେ । ରାଧା ସ୍ଵାଇଁ ଉକ୍ତ ଗାଁର ମୁଖିଆଙ୍କୁ ଭେଟି ସବୁକଥା କହିବାରୁ ମୁଖିଆ ରବିବାର ସନ୍ଧ୍ୟାରେ ବୈଠକ ଡାକି ବୁଝାସୁଝା କରୁଥିବା ସମୟରେ ସେହି ଗାଁର ଜଗନ୍ନାଥ ଦାସଙ୍କ ପୁଅ ଆଲୋକ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଧମକ ଚମକ ଥିଲେ । ଏ ନେଇ ରାଧା ସ୍ଵାଇଁ ଅଭୟଚାନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି ।