ଚେନ୍ନାଇ,୦୪/୧୧: ଘରୋଇ ଚାକରାଣୀଙ୍କୁ ନିର୍ଯାତନା ଦେଇ ହତ୍ୟା କରିବା ଅଭିଯୋଗରେ ଚେନ୍ନାଇ ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ଅମିଞ୍ଜକରାଇ ଅଞ୍ଚଳରେ ରହୁଥିବା ସେକେଣ୍ଡ ହ୍ୟାଣ୍ଡ କାର୍‌ ବ୍ୟବସାୟୀ ମହମ୍ମଦ ନିଶାଦ ଓ ତାଙ୍କ ପତ୍ନୀ ନାସିୟା । ସେମାନେ ୧୫ ବର୍ଷୀୟା ନାବାଳିକା ଚାକରାଣୀଙ୍କୁ ଲୁହାରଡ ଓ ସିଗାରେଟରେ ଚେଙ୍କ ଦେଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । 

ପୁଲିସର  ସୂଚନା ଅନୁସାରେ ତାଞ୍ଜାଭୁର ଅଞ୍ଚଳର ଏହି ନାବାଳିକାଙ୍କ ପିତାଙ୍କର ବହୁଦିନ ପୂର୍ବରୁ ମୃତ୍ୟୁ ଘଟିଛି । ଆର୍ଥିକ ଅନଟନ  ଯୋଗୁ ମା’ ତାଙ୍କୁ ନିଶାଦଙ୍କ ଘରେ କାମ କରିବାକୁ ଗତ ୬ମାସ ତଳେ ପଠାଇଥିଲେ । ନାବାଳିକାଙ୍କୁ କାମ କରିବା  ଭିତରେ ନିଶାଦ ଓ ତାଙ୍କ ପତ୍ନୀ ଅମାନୁଷିକ ଭାବେ ଶାରୀରିକ  ନିର୍ଯାତନା ଦେଉଥିଲେ । ତାଙ୍କ ଦେହ ସାରା ଲୁହାରଡ୍‌ ଚେଙ୍କ  ଓ ସିଗାରେଟ ଚେଙ୍କ ଦେଖିବାକୁ ମିଳିଛି ।

ଗତ ଗୁରୁବାର ଦୀପାବଳି ଦିନ ସେମାନେ ନାବାଳିକାଙ୍କୁ ଚେଙ୍କ ଦେଇ  ବାଥରୁମ୍‌ରେ ପୁରାଇ ଦେଇଥିଲେ । କିଛି ସମୟ ଭିତରେ  ତାଙ୍କର ମୃତ୍ୟୁ ଘଟିଥିଲା । ଏକଥା ଜାଣିବା ପରେ ପତିପତ୍ନୀ  ଘରେ ତାଲା ପକାଇ ବନ୍ଧୁ ଘରକୁ ପଳାଇଥିଲେ । ପରେ ସେମାନଙ୍କ ଓକିଲଙ୍କ ସହ ଘଟଣା ସମ୍ପର୍କରେ ଯୋଗାଯୋଗ  କରିଥିଲେ । ଓକିଲ ଜଣକ ପୁଲିସକୁ ସୂଚନା ଦେବା ପରେ  ଅମିଞ୍ଜକରାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା  ସହ ହତ୍ୟା ମାମଲା ରୁଜୁ କରିଛି । ନିଶାଦ ଓ ତାଙ୍କ ପତ୍ନୀଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି ।