ଦାରିଙ୍ଗବାଡି,୧୨/୦୨: ମେଡିକାଲ ଶୌଚାଳୟରେ ଶିଶୁକୁ ଜନ୍ମ ଦେଲେ ନାବାଳିକା ମାଆ । ପ୍ୟାନ୍‌ରେ ଫସି ରହିଲା ଶିଶୁର ମୁଣ୍ଡ । ମୃତ ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । 

ସୂଚନା ମୁତାବକ, ଦାରିଙ୍ଗବାଡି ଥାନା ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରସବ କରିବା ପାଇଁ ଆସିଥିଲେ। ହେଲେ କୌଣସି ଡାକ୍ତରଙ୍କୁ ପରାମର୍ଶ କରି ନଥିଲେ । ମେଡିକାଲର ଅନ୍ତଃବିଭାଗରେ ରହିଥିବା ଶୌଚାଳୟରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ହେଲେ ପ୍ୟାନ୍‌ ଭିତରେ ଶିଶୁଟିର ମୁଣ୍ଡ ଅଟକି ଯାଇଥିଲା । ଏହି ଦେଖି ନାବାଳିକା ମାଆ ଜଣଙ୍କ ମେଡ଼ିକାଲ ଷ୍ଟାଫଙ୍କୁ ଉକ୍ତ ଘଟଣା ବିଷୟରେ କହିଥିଲେ । ଏହା ପରେ ମେଡ଼ିକାଲ ଅଧିକାରୀ ଦାରିଙ୍ଗବାଡି ଅଗ୍ନିଶମ ବାହିନୀକୁ ଖବର ଦୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର ଏକ ଟିମ୍‌ ମେଡିକାଲରେ ପହଞ୍ଚି ଶୌଚାଳୟର ପ୍ୟାନ୍‌ ଭାଙ୍ଗି ଫସି ରହିଥିବା ଶିଶୁକୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇ ଯାଇଥିଲା । ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । 

ନାବାଳିକା ଜଣଙ୍କ କାହାକୁ କିଛି ନଜଣାଇ ଶିଶୁକୁ ପ୍ରସବ କରି ମାରି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ତେବେ ନାବାଳିକା ଜଣଙ୍କ କାହିଁକି ଡାକ୍ତରଙ୍କ ପରାମର୍ଶ କଲେ ନାହିଁ ? ଶୌଚାଳୟରେ କାହିଁକି ପ୍ରସବ କଲେ ଏବଂ ଏ ସମ୍ପର୍କରେ କିଭଳି କେହି ଜାଣି ପାରିଲେ ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।