ସିନ୍ଧେକେଲା,୧୬/୧୦: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ପୁଟୁପଡା ଗାଁରେ ମାଙ୍କଡ଼ ଆତଙ୍କ । ମାଙ୍କଡ଼ ଆକ୍ରମଣରେ ଜଣେ ୫ ବର୍ଷୀୟା ନାବାଳିକା ଗୁରୁତର ହୋଇଛନ୍ତି । ଝିଅଟିକୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମାସକ ପୂର୍ବରୁ ପୁଟୁପଡା ଗାଁର ସଲ୍ୟ ବଛା ଏବଂ ଦୁଇ ଜଣ ମହିଳା, ଭାନପୁର ଗାଁର କିଛି ଲୋକଙ୍କୁ ଆକ୍ରମଣ କରିଥିବା ବେଳେ ଗୁରୁବାର ସକାଳୁ ଜଣେ ନାବାଳିକାଙ୍କୁ ମାଙ୍କଡ଼ ଆକ୍ରମଣ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଗୁରୁବାର ସକାଳ ୯ଟା ୩୦ରେ ପୁଟୁପଡା ଗାଁର ୫ ବର୍ଷୀୟା ନାବାଳିକା ପାଠ ପଢିବା ପାଇଁ ଶିଶୁ ବାଟିକା ଯାଉଥିଲେ । ଏହି ସମୟରେ ୧୦ରୁ ୧୫ ମାଙ୍କଡ଼ ଗଛ ଡାଳ ଉପରେ ଥିଲେ । ସ୍କୁଲ ଯିବା ବେଳେ ଝିଅଟିକୁ ଦେଖି ଆକ୍ରମଣ କରିଥିଲା ଏବଂ ଡାହାଣ ଗୋଡ଼କୁ କାମୁଡି ଦେଇଥିଲେ । ଯାହା ଫଳରେ ଝିଅଟି ଆହତ ହୋଇ ରାସ୍ତାରେ ପଡ଼ିଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ଖବର ପାଇ ପ୍ରଥମେ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଟିଟିଲାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ତେବେ ଏନେଇ ବଙ୍ଗୋମୁଣ୍ଡା ରେଞ୍ଜର ପି.ଏନ କୁମ୍ଭାରକୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ମୁଁ ସୁରକ୍ଷା ଗାର୍ଡମାନଙ୍କୁ ପଠାଉଛି । ତୁରନ୍ତ ମାଙ୍କଡ଼ମାନଙ୍କୁ ଘଉଡ଼ାଇବା ପାଇଁ ବନ୍ଦୋବସ୍ତ କରିବେ ।