ମୁଙ୍ଗେଲି: ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଯେଉଁଠି ଲୁକ୍କାୟିତ ଧନ ପାଇବାର ଲୋଭରେ ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ତାନ୍ତ୍ରିକ ଅନୁଷ୍ଠାନରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ନାବାଳିକାଙ୍କ ଭାଉଜ ଚିହ୍ନଟ ହୋଇଛନ୍ତି। ଯିଏ ଏକ ତାନ୍ତ୍ରିକଙ୍କ ପରାମର୍ଶରେ ଏହି ଅପରାଧ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଏହି ଜଘନ୍ୟ ହତ୍ୟାକାଣ୍ଡ ଚଳିତ ବର୍ଷ ଏପ୍ରିଲ ୧୧ ତାରିଖରେ ଘଟିଥିଲା ବେଳେ ପୋଲିସ ଅନୁସନ୍ଧାନ କରି ଏହି ହତ୍ୟାକାଣ୍ଡର ଖିଅ ବର୍ତ୍ତମାନ ଖୋଜି ପାଇଛି। ମୃତ ନାବାଳିକା ଜଣକ ନିଜ ମାଙ୍କ ସହ ଶୋଇଥିବା ବେଳେ ଅତ୍ୟନ୍ତ ରହସ୍ୟ ଜନକ ଭାବେ ଗାଏବ ହୋଇଯାଇଥିଲେ। ନାବାଳିକାଙ୍କୁ ଘରଲୋକ ବହୁ ଖୋଜାଖୋଜି କରିବାପରେ ମଧ୍ୟ ନମିଳିବାରୁ ସେମାନେ ବାଧ୍ୟ ହୋଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ।
ଘଟଣା ଅନୁସାରେ, ଅଭିଯୁକ୍ତ ଭାଉଜ ଜଣେ ତାନ୍ତ୍ରିକଙ୍କ କଥାରେ ପ୍ରଭାବିତ ହୋଇ ନାବାଳିକାଙ୍କୁ ଅପହରଣ କରିଥିଲେ। ତାଙ୍କର ମାନସିକତା ଥିଲା ଯେ ଏହି ଅନୁଷ୍ଠାନ ମାଧ୍ୟମରେ ସେ ଲୁକ୍କାୟିତ ଧନ ପାଇବେ। ଅଭିଯୁକ୍ତ ଜଣେ ଅପରାଧୀକୁ ୫୦୦ ଟଙ୍କା ଦେଇ ନାବାଳିକାଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହତ୍ୟା ପରେ ନାବାଳିକାଙ୍କ ମୃତଦେହକୁ ଶ୍ମଶାନ ଘାଟରେ ଫିଙ୍ଗି ଦିଆଯାଇଥିଲା। ପୋଲିସ ଏହାକୁ ଏକ ଅପହରଣ ମାମଲା ଭାବେ ଛାନଭିନ କରୁଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲିସ ହାତରେ କିଛି ଲାଗି ନଥିଲା। ହେଲେ ଏହି ଘଟଣାରେ ପୋଲିସ ଭିନ୍ନଭିନ୍ନ ଦ୍ଗରୁ ଅନୁସନ୍ଧାନ କରିବା ପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ। ପରେ ପୋଲିସ ଉକ୍ତ ନାବାଳିକାଙ୍କର କଙ୍କାଳ ଉଦ୍ଧାର କରିଛି।
ପୁଲିସ ଅନୁସନ୍ଧାନରେ ଜଣାପଡ଼ିଛି ଯେ ଏହି ଅପରାଧରେ ଅନ୍ୟ କିଛି ବ୍ୟକ୍ତି ମଧ୍ୟ ସାମିଲ ଥିଲେ। ଗିରଫ ଅଭିଯୁକ୍ତମାନଙ୍କୁ ଜେରା କରାଯାଉଛି ଏବଂ ଏହି ମାମଲାରେ ଆଗକୁ ଅଧିକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି। ଏହି ଘଟଣା ବିଂଶ ଶତାବ୍ଦୀରେ ମଧ୍ୟ ତାନ୍ତ୍ରିକ କାର୍ଯ୍ୟକଳାପ ଓ ଅନ୍ଧବିଶ୍ୱାସ ଜନିତ ଅପରାଧ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।