ଜଗତସିଂହପୁର ୨୦/୧୨: ପୁଲିସର ଥାର୍ଡ ଡିଗ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ୧୫ ବର୍ଷର ନାବାଳକ । ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଏହି ନାବାଳକ ଛାତ୍ରଙ୍କ ପାଦ, ହାତ ସହ ସ୍ପର୍ଶକତାର ଅଙ୍ଗକୁ ଆଘାତ କରାଯାଇଛି । ମାଡ଼ ଯୋଗୁଁ ବର୍ତ୍ତମାନ ସେ ଭଲ ଭାବେ ଚାଲି ପାରୁନାହାନ୍ତି । ନିର୍ଦ୍ଦିଷ୍ଟ କିଛି ପୁଲିସ ଅଧିକାରୀଙ୍କ ନିର୍ଦ୍ଦେଶରେ ପରିବାର ଲୋକଙ୍କ ଜରିଆରେ ଗତକାଲି ସ୍କୁଲକୁ ଆସିଥିବାବେଳେ ଛାତ୍ରଙ୍କୁ ଡକାଇ ନିଆଯାଇଥିଲା । ଜଗତସିଂହପୁର ଥାନା ପରିବର୍ତ୍ତେ ଅନ୍ୟ ଏକ କୋଠରୀରେ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏହି ମର୍ମରେ ରାଜ୍ୟ ମାନବାଧିକାର କମିଶନ ଓ ପୁଲିସ ଡିଜିଙ୍କୁ ଦରଖାସ୍ତ କରାଯାଇଥିବା ଛାତ୍ରଙ୍କ ମା’ ପ୍ରମେୟକୁ କହିଛନ୍ତି ।
ଅଭିଯୋଗ ମୁତାବକ, ଗତ ୧୧ ତାରିଖରୁ ପୁଲିସ ଏହି ଛାତ୍ରଙ୍କ ପରିବାର ପଛରେ ପଡ଼ିଛି । କେବଳ ନାବାଳକ ଛାତ୍ର ନୁହନ୍ତି ପୁଲିସ ନିର୍ଯାତନାର ଶିକାର ହୋଇଛନ୍ତି ତାଙ୍କ ମା’ ଓ ଅନ୍ୟ ଦୁଇ ଭାଇ । ପ୍ରଥମେ ଏକ ଚୋରି ମାମଲାର ଛାନ୍ଭିନ୍ କରିବାକୁ ପୁଲିସ ସଂପୃକ୍ତ ମହିଳାଙ୍କ ଘରକୁ ଯାଇଥିଲେ । ଉକ୍ତ ଚୋରିରେ ଛାତ୍ରଙ୍କ ବାପା ସଂପୃକ୍ତ ଥିବା ସନ୍ଦେହ କରି ପୁଲିସ ପୂରା ପରିବାର ଲୋକଙ୍କୁ ଜେରା କରିଥିଲେ । ହାତ ଉଠାଇଥିଲେ । ଗତକାଲି ପୁଣି ନାବାଳକ ଛାତ୍ରଙ୍କୁ ପୁଲିସ ଧରିନେଇ ଅକଥନୀୟ ନିର୍ଯାତନା ଦେଇ ପରିବାର ଜିମା ଦେଇଥିଲେ । ଉଭୟ ଆହତ ପିଲା ଓ ମା’ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇଥିବା ଖବର ମିଳିଛି । ପ୍ରକୃତରେ ଯଦି ଛାତ୍ରଙ୍କ ବାପା କୌଣସି ଅପରାଧରେ ଜଡ଼ିତ ରହିଛନ୍ତି, ଏ କ୍ଷେତ୍ରରେ ନାବାଳକ ପିଲା ପ୍ରତି ପୁଲିସ ଅତ୍ୟାଚାର କରିବା ସାଧାରଣରେ ଆଲୋଡ଼ନ ଖେଳାଇଛି । ଏମିତିକି ପରିବାରର ମୁଖ୍ୟ ତଥା ଛାତ୍ରଙ୍କ ବାପାଙ୍କୁ ଡକାଇବାକୁ ପରିବାରକୁ ଦୁଇ ଦିନ ମହଲତ ଦେଇଛି ପୁଲିସ । ନଚେତ୍ ପୂରା ପରିବାର ବିରୋଧରେ କେସ୍ ଠୁଙ୍କି ଦିଆଯିବାର ନାଲିଆଖି ଦେଖାଯାଇଛି । ଘରେ ବୁଲ୍ଡୋଜର୍ ଲଗାଇ ମାଟିରେ ମିଶାଇ ଦିଆଯିବାର ଧମକ ଦିଆଯାଇଥିବା ଅଭିଯୋଗ ଅଣାଯାଇଛି ।
ଜଗତସିଂହପୁର ପୌରାଞ୍ଚଳରେ ବସବାସ କରୁଥିବା ଏହି ଛାତ୍ରଙ୍କ ଘରକୁ ଅତର୍କିତ ଭାବେ ଗତ ୧୧ ତାରିଖରେ ଜଣେ ପୁଲିସ ପ୍ରବେଶ କରି ଛାତ୍ରଙ୍କ ମା’ଙ୍କୁ ପ୍ଲାଷ୍ଟିକ୍ ବେଲ୍ଟ୍ ଓ ବୁଟ୍ରେ ମାଡ଼ ମାରିଥିଲେ । ସ୍ୱାମୀକୁ ହାଜର ନକଲେ ପୂରା ପରିବାରକୁ ମିଛ ମାମଲାରେ ଗିରଫ କରି ଜେଲ ପଠାଇ ଦେବାର ଧମକ ଦିଆଯାଇଥିଲା । ଗତକାଲି ଦିନ ସାଢ଼େ ଏଗାରଟାରେ ପୁଣି ପୁଲିସ ଟିମ୍ ମହିଳାଙ୍କ ଘରେ ହାଜର ହୋଇ ମହିଳାଙ୍କ ବଡ଼ ପୁଅକୁ ତୁରନ୍ତ ସାନ ଭାଇକୁ ସ୍କୁଲ୍ରୁ ଆଣି ଏକ ଠିକଣାରେ ପହଞ୍ଚିବାକୁ ତାଗିଦ୍ କରିଥିଲେ । ପରେ ମହିଳାଙ୍କ ବଡ଼ ପୁଅ ସାନ ଭାଇ ପାଠ ପଢୁଥିବା ସ୍କୁଲ୍କୁ ଯାଇଥିଲେ । ପୁଲିସ ଟିମ୍ ବି ପଛେ ପଛେ ଯାଇଥିଲେ । ପୁଲିସ ଭୟରେ ମା’ ଦେହ ଖରାପ ଥିବା କହି ବଡ଼ ଭାଇ ନିଜ ସାନ ଭାଇକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମିଛ କହି ଉକ୍ତ ଠିକଣାରେ ପହଞ୍ଚିଥିଲେ । ନାବାଳକ ଛାତ୍ର ସେ ଜାଗାରେ ବଡ଼ ଭାଇ ସହ ପହଞ୍ଚିବା ପରେ ପ୍ରଥମେ ବିଭିନ୍ନ ଧମକର ସମ୍ମୁଖୀନ ହୋଇଥିଲେ । ପରେ ପୁଲିସ ନାବାଳକଙ୍କ ଦୁଇ ହାତ ପାପୁଲି, ଦୁଇ ପାଦ ସହ ଅଣ୍ଡକୋଷକୁ ପ୍ଲାଷ୍ଟିକ୍ ବେଲ୍ଟରେ ପିଟିଥିଲେ । ପିଲାଟି ଚିତ୍କାର କରୁଥିଲେ ମଧ୍ୟ ଅନ୍ୟ ଜଣେ ବରିଷ୍ଠ ପୁଲିସ ଅଧିକାରୀ ସବୁ ଦେଖି ଏଭଳି ବେନିୟମ କାର୍ଯ୍ୟକୁ ଏକପ୍ରକାର ସମର୍ଥନ କରିଥିଲେ । ପୁଲିସ ଅତ୍ୟାଚାରର ପ୍ରତିବାଦ କରିଥିବା ଛାତ୍ରଙ୍କ ମା’ ମଧ୍ୟ ଧମକଚମକ ସହ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି । ଅନ୍ୟପଟେ ସେଭଳି କିଛି ଘଟଣା ବିଷୟରେ ଜାଣିନଥିବା ଜଗତସିଂହପୁର ଥାନା ପକ୍ଷରୁ କୁହାଯାଇଛି।