ନୂଆଦିଲ୍ଲୀ ୨୪/୦୫: ଚୀନ୍ରେ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ୪୪ ବର୍ଷୀୟା ଜଣେ ମହିଳା ୧୨ ମହଲାବିଶିଷ୍ଟ ଏକ ଅଟ୍ଟାଳିକାରୁ ପଡ଼ିବା ପରେ ବି ବଞ୍ଚିଯାଇଛନ୍ତି । ତଳେ ପଡ଼ିବା ପରେ ବି ସେ ନିଜ ସ୍ୱାମୀଙ୍କୁ ସାହାଯ୍ୟ ପାଇଁ ଡାକିବା ଭଳି ଅବସ୍ଥାରେ ଥିଲେ । ଦକ୍ଷିଣ-ପୂର୍ବ ଚୀନ୍ର ଜିୟାଙ୍ଗ୍ଶି ପ୍ରାନ୍ତର ଲେପିଙ୍ଗ୍ ବାସିନ୍ଦା ଫ୍ୟାକ୍ଟ୍ରି କ୍ଲିନର୍ ପେଙ୍ଗ୍ ହୁଇଫେଙ୍ଗ୍ଙ୍କ ସହ ଏହି ଚମତ୍କାର ହୋଇଛି । ତାଙ୍କର ଜୀବିତ ବଞ୍ଚିବାର ଖବର ସ୍ଥାନୀୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।
ଗତ ୧୩ ତାରିଖ ପେଙ୍ଗ୍ ନିଜ ସ୍ୱାମୀଙ୍କୁ ଏକ ଗ୍ରାହକଙ୍କ ବାଲକୋନିକୁ ସିଲ୍ କରିବାରେ ସାହାଯ୍ୟ କରୁଥିଲେ । ସେ କୋଠରୀ ଭିତରେ ସୁରକ୍ଷିତ ଅଛନ୍ତି ଏବଂ ବାଲକୋନିଠୁ ଦୂରରେ ଅଛନ୍ତି ଭାବି ସୁରକ୍ଷା ରଶି ପିନ୍ଧିଲେ ନାହିଁ । ଏହା ତାଙ୍କ ଜୀବନକୁ ବିପଦରେ ପକାଇଦେଲା । ଦମ୍ପତି ଏକ ଓଜନିଆ ଝରକାକୁ ତଳୁ ୧୨ ମହଲା ପର୍ଯ୍ୟନ୍ତ କ୍ରେନ୍ ସାହାଯ୍ୟରେ ନେଉଥିଲେ । ଝରକା ଉପରକୁ ଉଠିବା ସମୟରେ ଗୋଟିଏ ଗଛର ଡାଳରେ ଫସିଗଲା । ଉପରୁ ଝରକାକୁ ଟାଣୁଥିବା ପେଙ୍ଗ୍ ଝରକା ସହିତ ଅଟ୍ଟାଳିକାରୁ ବାହାରକୁ ଚାଲିଗଲେ ଏବଂ ୧୨ ମହଲାରୁ ତଳେ ପଡ଼ିଗଲେ ।
ସାଉଥ୍ ଚାଇନା ମର୍ନିଂ ପୋଷ୍ଟ୍ର ରିପୋର୍ଟ ଅନୁସାରେ, ଘଟଣା ବିଷୟରେ ପେଙ୍ଗ୍ କହିଛନ୍ତି- ମୁଁ କେବଳ ଏତିକି ଭାବୁଥିଲି ଯେ ମୁଁ ମରିବାକୁ ଯାଉଛି । ଏ ଦୁନିଆକୁ ସବୁଦିନ ପାଇଁ ଛାଡୁଛି । କିନ୍ତୁ ଚମତ୍କାର ହେଲା ଭଳି ମୁଁ ବଞ୍ଚିଗଲି । କାରଣ ତଳେ ଯେଉଁଠି ମୁଁ ପଡ଼ିଥାନ୍ତି, ସେଠାରେ କାନୋପି (ଟେଣ୍ଟ୍)ର ଛତା ଭାଙ୍ଗିଯାଇଥିଲା । ତା’ରି ଉପରେ ମୁଁ ପଡ଼ିଲି । ଫଳରେ ଭୂମିରେ ପଡ଼ିବା ପୂର୍ବରୁ ମୋ ବେଗ ବହୁ ମାତ୍ରାରେ କମିଥିଲା । ପେଙ୍ଗ୍ ପଡ଼ିବା ପରେ ସ୍ୱାମୀଙ୍କୁ ଚିତ୍କାର କରି ଡାକିଲେ ଏବଂ କହିଲେ ‘ମୁଁ ଏବେ ମରିନାହିଁ, ୧୨୦ ନମ୍ବର୍ରେ ଫୋନ୍ କର ।’ ଏହା ପରେ ପେଙ୍ଗ୍ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ତାଙ୍କର ଅନେକ କ୍ଷତର ଚିକିତ୍ସା କରାଗଲା । ଦୁଇ ଗୋଡ଼ ଓ ପିଠିର ନିମ୍ନ ଭାଗରେ ଫ୍ରାକ୍ଚର ହୋଇଥିଲା । ଆଗକୁ ତାଙ୍କର ସର୍ଜରି ହେବ ।