ନୂଆଦିଲ୍ଲୀ ୨୪/୦୫: ଚୀନ୍‌ରେ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ୪୪  ବର୍ଷୀୟା ଜଣେ ମହିଳା ୧୨ ମହଲାବିଶିଷ୍ଟ ଏକ ଅଟ୍ଟାଳିକାରୁ ପଡ଼ିବା ପରେ ବି ବଞ୍ଚିଯାଇଛନ୍ତି । ତଳେ ପଡ଼ିବା ପରେ ବି ସେ ନିଜ ସ୍ୱାମୀଙ୍କୁ ସାହାଯ୍ୟ ପାଇଁ ଡାକିବା ଭଳି ଅବସ୍ଥାରେ ଥିଲେ । ଦକ୍ଷିଣ-ପୂର୍ବ ଚୀନ୍‌ର ଜିୟାଙ୍ଗ୍‌ଶି  ପ୍ରାନ୍ତର ଲେପିଙ୍ଗ୍‌ ବାସିନ୍ଦା ଫ୍ୟାକ୍ଟ୍ରି କ୍ଲିନର୍‌ ପେଙ୍ଗ୍‌  ହୁଇଫେଙ୍ଗ୍‌ଙ୍କ ସହ ଏହି ଚମତ୍କାର ହୋଇଛି । ତାଙ୍କର  ଜୀବିତ ବଞ୍ଚିବାର ଖବର ସ୍ଥାନୀୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । 

ଗତ ୧୩ ତାରିଖ ପେଙ୍ଗ୍‌ ନିଜ ସ୍ୱାମୀଙ୍କୁ ଏକ ଗ୍ରାହକଙ୍କ  ବାଲକୋନିକୁ ସିଲ୍‌ କରିବାରେ ସାହାଯ୍ୟ କରୁଥିଲେ । ସେ କୋଠରୀ  ଭିତରେ ସୁରକ୍ଷିତ ଅଛନ୍ତି ଏବଂ ବାଲକୋନିଠୁ ଦୂରରେ ଅଛନ୍ତି ଭାବି ସୁରକ୍ଷା  ରଶି ପିନ୍ଧିଲେ ନାହିଁ । ଏହା ତାଙ୍କ ଜୀବନକୁ ବିପଦରେ ପକାଇଦେଲା । ଦମ୍ପତି  ଏକ ଓଜନିଆ ଝରକାକୁ ତଳୁ ୧୨ ମହଲା ପର୍ଯ୍ୟନ୍ତ କ୍ରେନ୍‌ ସାହାଯ୍ୟରେ  ନେଉଥିଲେ । ଝରକା ଉପରକୁ ଉଠିବା ସମୟରେ ଗୋଟିଏ ଗଛର ଡାଳରେ  ଫସିଗଲା । ଉପରୁ ଝରକାକୁ ଟାଣୁଥିବା ପେଙ୍ଗ୍‌ ଝରକା ସହିତ ଅଟ୍ଟାଳିକାରୁ  ବାହାରକୁ ଚାଲିଗଲେ ଏବଂ ୧୨ ମହଲାରୁ ତଳେ ପଡ଼ିଗଲେ । 

ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ୍‌ର ରିପୋର୍ଟ ଅନୁସାରେ, ଘଟଣା ବିଷୟରେ  ପେଙ୍ଗ୍‌ କହିଛନ୍ତି- ମୁଁ କେବଳ ଏତିକି ଭାବୁଥିଲି ଯେ  ମୁଁ ମରିବାକୁ ଯାଉଛି । ଏ ଦୁନିଆକୁ ସବୁଦିନ  ପାଇଁ ଛାଡୁଛି । କିନ୍ତୁ ଚମତ୍କାର ହେଲା ଭଳି  ମୁଁ ବଞ୍ଚିଗଲି । କାରଣ ତଳେ ଯେଉଁଠି ମୁଁ  ପଡ଼ିଥାନ୍ତି, ସେଠାରେ କାନୋପି (ଟେଣ୍ଟ୍‌)ର ଛତା  ଭାଙ୍ଗିଯାଇଥିଲା । ତା’ରି ଉପରେ ମୁଁ ପଡ଼ିଲି । ଫଳରେ  ଭୂମିରେ ପଡ଼ିବା ପୂର୍ବରୁ ମୋ ବେଗ ବହୁ ମାତ୍ରାରେ କମିଥିଲା । ପେଙ୍ଗ୍‌ ପଡ଼ିବା ପରେ ସ୍ୱାମୀଙ୍କୁ ଚିତ୍କାର  କରି ଡାକିଲେ ଏବଂ କହିଲେ ‘ମୁଁ ଏବେ  ମରିନାହିଁ, ୧୨୦ ନମ୍ବର୍‌ରେ  ଫୋନ୍‌ କର ।’ ଏହା  ପରେ ପେଙ୍ଗ୍‌ଙ୍କୁ ହସ୍ପିଟାଲରେ ଭର୍ତ୍ତି  କରାଗଲା । ତାଙ୍କର ଅନେକ  କ୍ଷତର ଚିକିତ୍ସା କରାଗଲା । ଦୁଇ ଗୋଡ଼ ଓ ପିଠିର  ନିମ୍ନ ଭାଗରେ ଫ୍ରାକ୍‌ଚର  ହୋଇଥିଲା । ଆଗକୁ  ତାଙ୍କର ସର୍ଜରି ହେବ ।