ନୂଆଦିଲ୍ଲୀ ୦୮/୧୦: ଚଳିତ ବର୍ଷ ମେଡିସିନ୍‌ରେ ନୋବେଲ ପୁରସ୍କାର ଲାଭ କରିଛନ୍ତି ଭିକ୍ଟର ଆମ୍ବ୍ରୋସ ଓ ଗ୍ୟାରୀ ରୁଭ୍‌କୁନ୍‌ । ମାଇକ୍ରୋ ଆର୍‌ଏନ୍‌ଏର ଅଦ୍ଭୁତପୂର୍ବ ଆବିଷ୍କାର ପାଇଁ ଉଭୟ ଏହି ସମ୍ମାନାସ୍ପଦ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ମାଇକ୍ରୋ ଆର୍‌ଏନ୍‌ଏ ଜିନ୍‌ ନିୟନ୍ତ୍ରଣର ଏକ ମୌଳିକ ତନ୍ତ୍ର । ଜୀବିତ ଜୀବଙ୍କଠାରେ ଜିନ୍‌ କିଭଳି ନିୟନ୍ତ୍ରିତ ଓ ଅଭିବ୍ୟକ୍ତ ହୁଅନ୍ତି, ଏହି ଆବିଷ୍କାର ଆମ ଧାରଣାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । 

ଆମ୍ବ୍ରୋସ ଓ ରୁଭ୍‌କୁନ୍‌ଙ୍କ କାର୍ଯ୍ୟ ସୂକ୍ଷ୍ମ ଆର୍‌ଏନ୍‌ଏ ଅଣୁର ନୂଆ ବର୍ଗ ଉନ୍ମୋଚନ କରିଛି, ଯାହା ଜିନ୍‌ କାର୍ଯ୍ୟକଳାପ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଏହି ମାଇକ୍ରୋ ଆର୍‌ଏନ୍‌ଏ ଆଣବିକ ସ୍ୱିଚ୍‌ ଭଳି କାମ କରନ୍ତି । ବିଭିନ୍ନ କୋଷିକା ପ୍ରକାର ଓ ଭିନ୍ନ ଭିନ୍ନ ପରିସ୍ଥିତିରେ ଜିନ୍‌ର ପୂର୍ଣ୍ଣ ଅଭିବ୍ୟକ୍ତ ଭାବେ ଏମାନେ କାମ କରନ୍ତି । ଦୁଇ ବୈଜ୍ଞାନିକଙ୍କ ଅନୁସନ୍ଧାନ ଜିନ୍‌ ନିୟନ୍ତ୍ରଣର ଏକ ସମ୍ପୂର୍ଣ୍ଣ ନୂଆ ଦିଗକୁ ଦର୍ଶାଇଛି । ଏହା ମାନବ ସମେତ ବହୁକୋଷୀ ଜୀବଙ୍କ ବିକାଶ ଓ କାର୍ଯ୍ୟକଳାପ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ । 

ମାଇକ୍ରୋଆର୍‌ଏନ୍‌ଏ କ’ଣ? 

ମାଇକ୍ରୋ ଆର୍‌ଏନ୍‌ଏ (ଏମ୍‌ଆଇଆର୍‌ଏନ୍‌ଏ) ଏକ କ୍ଷୁଦ୍ର, ନନ୍‌-କୋଡିଂ ଆର୍‌ଏନ୍‌ଏ ଅଣୁ, ଯାହା ଜିନ୍‌ ଅଭିବ୍ୟକ୍ତିରେ ମୁଖ୍ୟ ଭୂମିକା ନିର୍ବାହ କରେ । ପ୍ରୋଟିନ୍‌ ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦେଉଥିବା ମେସେଞ୍ଜର ଆର୍‌ଏନ୍‌ଏ (ଏମ୍‌ଆର୍‌ଏନ୍‌ଏ)ଠୁ ଏହା ଭିନ୍ନ । ସ୍ୱତନ୍ତ୍ର ମେସେଞ୍ଜର ଆର୍‌ଏନ୍‌ଏକୁ ଏହା ବାନ୍ଧିବା କାମ କରେ ଏବଂ ସେଗୁଡ଼ିକୁ ପ୍ରୋଟିନ୍‌ରେ ରୂପାନ୍ତର ହେବାରୁ ରୋକେ ବା ମେସେଞ୍ଜର ଆର୍‌ଏନ୍‌ଏକୁ ସମ୍ପୂର୍ଣ୍ଣ ରୂପେ ବିଘଟିତ କରେ । ମାଇକ୍ରୋ ଆର୍‌ଏନ୍‌ଏ ପ୍ରୋଟିନ୍‌ ସୃଷ୍ଟି କରୁଥିବା ମେସେଞ୍ଜର ଆର୍‌ଏନ୍‌ଏକୁ ନିୟନ୍ତ୍ରଣ କରି ବିକାଶ, ବୃଦ୍ଧି ଓ ମେଟାବଲିଜମ୍‌ ଭଳି ବିଭିନ୍ନ କୋଷିକୀୟ ପ୍ରକ୍ରିୟାଗୁଡ଼ିକର ପୂର୍ଣ୍ଣ ପରିଚାଳନା କରନ୍ତି । ସାଧାରଣ କୋଷିକାର କାର୍ଯ୍ୟକୁ ବଜାୟ ରଖିବାରେ ଏମାନଙ୍କ ଭୂମିକା ଏବଂ ମାଇକ୍ରୋଆର୍‌ଏନ୍‌ଏ କାର୍ଯ୍ୟକଳାପରେ ବାଧକ ମଧ୍ୟରେ କର୍କଟ ଭଳି ରୋଗର ସମ୍ପର୍କ ରହିଛି ।

ମାନବ ଜିନୋମ୍‌ ହଜାରରୁ ଅଧିକ ମାଇକ୍ରୋ ଆର୍‌ଏନ୍‌ଏକୁ କୋଡ୍‌ କରେ, ଯାହା ନିୟାମକ ତନ୍ତ୍ରର ବ୍ୟାପକ ମହତ୍ୱକୁ ଆଲୋକପାତ କରେ । ସଦ୍ୟ ଆବିଷ୍କାର କୋଷିକୀୟ ବିଭିନ୍ନତା, ବିକାଶ ଓ ରୋଗ ପ୍ରକ୍ରିୟା ସମ୍ପର୍କିତ ଆମ ଧାରଣା ଉପରେ ଗଭୀର ପ୍ରଭାବ ପକାଇବ । ଏହା କେବଳ ଜୀବବିଜ୍ଞାନର ମୌଳିକ ଜ୍ଞାନରେ ଉନ୍ନତି କରିନାହିଁ, ବରଂ ନୂଆ ଚିକିତ୍ସା ବିକାଶ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛି । ନୋବେଲ ବିଜେତା ଏହି ଅନୁସନ୍ଧାନ ବିଭିନ୍ନ ରୋଗକୁ ବୁଝିବା ଓ ସେଗୁଡ଼ିକର ଚିକିତ୍ସାର ନୂଆ ମାର୍ଗ ଖୋଲିଛି ।