ବୌଦ୍ଧ,୧୧/୦୨: ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଭାଲିଆପଦର୍ ଗ୍ରାମରେ ବଡଧରଣର ଡକାୟତି । ଗାଁ ର ଦେବବ୍ରତ ମିଶ୍ରଙ୍କ ଘରେ ପଶି ୧୦ରୁ ଉର୍ଦ୍ଧ୍ୱ ମୁଖାପିନ୍ଧା ସଶସ୍ତ୍ର ଦୁର୍ବୁତ୍ତ କରିଛନ୍ତି ଲୁଟ୍। ମାରଣାସ୍ତ୍ର ଦେଖାଇ ସମସ୍ତ ସୁନା, ରୂପା ଓ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ ।
ଆହୁରି ପଢନ୍ତୁ-ଘରୋଇ ସ୍କୁଲରେ ଇଡବ୍ଲୁଏସ୍ ଶିକ୍ଷାର୍ଥୀଙ୍କ ମାଗଣା ନାମଲେଖା,ମାର୍ଚ୍ଚ ୧୦ ଯାଏ ଅନ୍ଲାଇନ୍ ପଞ୍ଜୀକରଣ
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଘର ଭିତରକୁ ପଶି ଘର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅନ୍ୟ ଦୁଇଟି ଘରକୁ ବାହାରୁ ତାଲା ପକାଇ ଦେଇଥିଲେ । ଏହାପରେ ଆଲମିରା ତାଡ଼ି ସମସ୍ତ ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିଲେ । ପରିବାର ଲୋକେ ଛାତ ଉପରକୁ ଯାଇ ପାଟି କରିବାରୁ, ଦୁର୍ବୁତ୍ତମାନେ ଖସି ପଳାଇବା ସମୟରେ ୫ଟି ବୋମାମାଡ଼ କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛନ୍ତି । ଘଟଣାସ୍ଥଳରେ ଆଦର୍ଶ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ପରିବାର ଲୋକ କହିଛନ୍ତି ଯେ, ରାତିରେ ହଠାତ୍ ସେମାନେ ମୁହଁ ବାନ୍ଧି ପଶି ଆସିଥିଲେ । ମାରଣାସ୍ତ୍ର ଦେଖାଇ ମାରିଦେବୁ ବୋଲି କହିଲେ ଆଉ ମାଡ଼ ମଧ୍ୟ ମାରିଥିଲେ । ପ୍ରାୟ ୧୦-୧୨ ଜଣ ଥିବା ବେଳେ ଆମକୁ ବାହାରୁ ଲକ୍ କରିଦେଇଥିଲେ । ଆମେ ଛାତ ଉପରୁ ପାଟି କରିବାରୁ ସେମାନେ ବୋମା ଫୋପାଡ଼ି ପଳାଇଲେ ବୋଲି କହିଛନ୍ତି।