ବଲାଙ୍ଗିର,୨୪/୧୨ : ବଲାଙ୍ଗିର-ବରଗଡ଼ ଜାତୀୟ ରାଜପଥର ଲୋଇସିଂହା ପେଟ୍ରୋଲ ପମ୍ପ ନିକଟରେ ସୋମବାର ସନ୍ଧ୍ୟାରେ ଜଣେ ବୃଦ୍ଧଙ୍କ ଆଖି ତାଡ଼ିନେବାକୁ ଉଦ୍ୟମ ହୋଇଛି । ଦୁର୍ବୃତ୍ତମାନେ ବୃଦ୍ଧଙ୍କୁ ବେହୋସ କରିବା ପରେ ଆଖି ତାଡ଼ିନେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ବୃଦ୍ଧ ଜଣକ ବୁଦେଲବାହାଲିର ଇନସନ ଝାଙ୍କର । ଏନେଇ ଲିଖିତ ଅଭିଯୋଗ ପରେ ପୁଲିସ୍ ତଦନ୍ତ କରୁଛି ।
ବୃଦ୍ଧ ଜଣକ ବୁର୍ଡାସ୍ଥିତ ନିଜ ସମ୍ପର୍କୀୟ ଘରୁ ଲୋଇସିଂହା ଫେରୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଇନସନଙ୍କୁ ଲିଫ୍ଟ ଦେବାକୁ କହିଥିଲେ । ହେଲେ ପାଖରେ ଘର ହୋଇଥିବା କହି ଇନସନ ମନା କରିଥିଲେ। କିଛି ସମୟ ପରେ ପଛପଟୁ ପୁଣି କେତେଜଣ ଆସି ବୃଦ୍ଧଙ୍କ ବେକକୁ ଧରି ଜବରଦସ୍ତ କିଛି ପାନୀୟ ପିଆଇ ଦେଇଥିଲେ । ବୃଦ୍ଧଜଣକ ବେହୋସ୍ ହୋଇଯିବା ପରେ ତାଙ୍କ ଆଖି ତାଡ଼ିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ବୃଦ୍ଧଙ୍କ ଚେତା ଫେରି ଆସିଥିଲା । ଚିତ୍କାର କରିବାରୁ ଦୁବୃର୍ତ୍ତମାନେ ଫେରାର ମାରିଥିଲେ। ସ୍ଥାନୀୟ ଲୋକେ ବୃଦ୍ଧଙ୍କୁ ଭୀମଭୋଇ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।