କେନ୍ଦ୍ରାପଡ଼ା, ୨୪/୦୭: କେନ୍ଦ୍ରାପଡା ଟାଉନ୍ ଥାନାରୁ ମାତ୍ର ୫ଶହ ମିଟର ଦୂରରୁ ଜଣେ ଠିକାଦାରଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ । ପରିବାର ଲୋକଙ୍କ ଅଭିଯୋଗ ପରେ ୧୨ ଘଣ୍ଟା ଭିତରେ ଅପହର୍ତ୍ତାଙ୍କ କବଳରୁ ଠିକାଦାର ସୁନୀଲ ମହାନ୍ତିଙ୍କୁ ଉଦ୍ଧାର କଲା ପୁଲିସ । ଏହା ସହ ଦୁଇ ଅପହର୍ତ୍ତାଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି । ଅଟକ ୨ଜଣଙ୍କ ଘର ସଦର ଥାନା ଅନ୍ତର୍ଗତ ଦେପୁରାରେ ବୋଲି ଜଣାପଡିଛି।
ଅଭିଯୋଗ ଅନୁଯାୟୀ, ଠିକାଦାର ସୁନୀଲ ବୁଧବାର ଦିନ ନିଜ ବନ୍ଧୁମାନଙ୍କ ସହ ଟାଉନ୍ ଥାନା ପାଖ ପୋଲ ନିକଟରେ ଭୋଜି କରୁଥିଲେ । ଦିନ ପ୍ରାୟ ୩ଟା ବେଳେ ୮ରୁ୧୦ ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ସୁନୀଲଙ୍କୁ ଜୋରଜବରଦସ୍ତ ଏକ କଳା କାର୍ରେ ପୁରାଇ ନେଇ ଯାଇଥିଲେ । ପରିବାରଲୋକେ ଖବର ପାଇ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସୁନୀଲଙ୍କ ମୋବାଇଲ ନମ୍ବର ଟ୍ରାକ୍ କରି ତାଙ୍କୁ ରାଜନଗର ବ୍ଲକ୍ ଅନ୍ତର୍ଗତ ବାବର ଅଞ୍ଚଳରୁ ରାତି ପ୍ରାୟ ୩ଟା ବେଳେ ଉଦ୍ଧାର କରିଥିଲା । ଘଟଣାରେ ସମ୍ପୃକ୍ତ ୨ ଅପହର୍ତ୍ତାଙ୍କୁ ପୁଲିସ ଅଟକ ରଖିଛି । ବ୍ୟବସାୟିକ ଶତ୍ରୁତାରୁ ଏହି ଅପହରଣ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ।