ମୁମ୍ୱାଇ,୧୨/୧୧:ଥାଇଲାଣ୍ଡରେ ଚାଲିଛି ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା । ଚଳିତ ବର୍ଷ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ମନିକା ବିଶ୍ୱକର୍ମା । ପ୍ରତିଯୋଗିତାରେ ନିଜର ଆତ୍ମବିଶ୍ୱାସ, ଷ୍ଟାଇଲ୍ ଓ ବିଚାରଧାରା ଜରିଆରେ ସେ ଏବେ ଚର୍ଚ୍ଚାର କେନ୍ଦ୍ର ହୋଇଛନ୍ତି । ତାଙ୍କର ପ୍ରତ୍ୟେକ ଲୁକ୍କୁ ଫ୍ୟାଶନ୍ ଏକ୍ସପର୍ଟମାନେ ପ୍ରଶଂସା କରୁଛନ୍ତି, ଅନ୍ୟପକ୍ଷେ, ବୁଦ୍ଧିମତାପୂର୍ଣ୍ଣ ବାର୍ତ୍ତାଳାପ ଜରିଆରେ ସେ ଲୋକଙ୍କ ହୃଦୟ ଜିଣିଛନ୍ତି । ସୋସିଆଲ ମିଡିଆରେ ମନିକାଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ତାଙ୍କର ଉତ୍ତର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ପ୍ରଶ୍ନ ପଚାରିଥିବା ଜୁରି ସଦସ୍ୟଙ୍କର ସେ ପ୍ରଶଂସାର ପାତ୍ର ହୋଇଛନ୍ତି । ଇନଷ୍ଟା ପେଜ୍ ଦ ପେଜେଣ୍ଟ୍ ଭଲ୍ଟ ମନିକାଙ୍କ ଭିଡିଓ ଶେୟାର କରିଛି ।
ଏଥିରେ ଇଣ୍ଟର୍ଭ୍ୟୁଅର ତାଙ୍କୁ ପଚାରିଛନ୍ତି, ଆପଣ କହିପାରିବେ କି ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପ୍ରତ୍ୟେକ ଝିଅଙ୍କ ସ୍ୱପ୍ନ, କିନ୍ତୁ କେବଳ ଜଣେ ମହିଳାଙ୍କର ଏହା ଯାତ୍ରା କି? ମନିକା ଉତ୍ତର ଦେଲେ, ମୁଁ ଏହା ବିଶ୍ୱାସ କରେନାହିଁ? ମୁଁ ଏ ମଞ୍ଚରେ ଏଥିପାଇଁ ଠିଆ ହୋଇଛି, କାରଣ ମୋ ମା’ ପାଠ ପଢ଼ିଛନ୍ତି, ମୋତେ ଶିକ୍ଷା ଦେଇଛନ୍ତି । ମୁଁ ଏଠି ଏଥିପାଇଁ ଠିଆ ହୋଇଛି, କାରଣ ଅଡିସନ୍ ଦିନ ଅନେକ ମହିଳା ମୋତେ କହିଲେ ଯେ ମୋର ଏଥିରେ ଭାଗ ନେବା ଉଚିତ୍ । ମୋ ସାଙ୍ଗମାନେ ମୋତେ ସମର୍ଥନ କଲେ । ସେଥିପାଇଁ ମୁଁ ସେ ସମସ୍ତ ମହିଳାଙ୍କୁ ସାଙ୍ଗରେ ନେଇ ଚାଲୁଛି । ମୁଁ ସାଙ୍ଗରେ କୋଟି କୋଟି ସ୍ୱପ୍ନ ନେଇ ଚାଲୁଛି । ଏହା କେବଳ ଜଣେ ମହିଳାଙ୍କ ସ୍ୱପ୍ନ କିମ୍ବା ଯାତ୍ରା ନୁହେଁ, ବରଂ କୋଟି କୋଟି ସ୍ୱପ୍ନର ବୋଝ, ଯାହା ମୁଁ ମୋ ସାଙ୍ଗରେ ଧରି ଚାଲୁଛି । ମୁଁ ମୋର ସମୁଦାୟ ଓ ପୂରା ଦେଶର ଆଶାକୁ ପ୍ରତିନିଧିତ୍ୱ କରୁଛି । ପ୍ରତ୍ୟେକ ଦେଶରେ ଅନେକ ମହିଳା ଓ ଛୋଟ ଛୋଟ ଝିଅ ଅଛନ୍ତି, ଯେଉଁମାନେ ଆମକୁ ଦେଖି ପ୍ରେରିତ ହେଉଛନ୍ତି । ସେମାନେ ଆମ ଯାତ୍ରାକୁ ଦେଖୁଛନ୍ତି ଏବଂ ବୋଧହୁଏ ଏହି ମାର୍ଗରେ ଚାଲିବାକୁ ସାହସ ଜୁଟାଉଛନ୍ତି । ମନିକାଙ୍କ ଉତ୍ତର ଶୁଣିବା ପରେ ଇଣ୍ଟର୍ଭ୍ୟୁଅର୍ଙ୍କ ପାଟିରୁ ‘ୱାଓ’ ବାହାରି ଆସିଲା । ତାଙ୍କ ଭିଡିଓ ସୋସିଆଲ ମିଡିଆରେ ସବୁରି ଧ୍ୟାନ ଆକର୍ଷଣ କରିଛି । ଲୋକେ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି ।