ଭୁବନେଶ୍ୱର, ୨୩।୩: ରାଜ୍ୟରେ ଆଇନ ଶୃଙ୍ଖଳା ଏବଂ ଶିଶୁ ସୁରକ୍ଷାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ବିଧାନସଭାରେ ଗୃହ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ଲିଖିତ ଉତ୍ତରରୁ ରାଜ୍ୟର ଅପରାଧିକ ଚିତ୍ର ସ୍ପଷ୍ଟ ହୋଇଛି । ବିଶେଷ କରି ଶିଶୁ ନିଖୋଜ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କଟକ ଓ ଭୁବନେଶ୍ୱରର ହତ୍ୟାକାଣ୍ଡ ମାମଲାରେ ଭିନ୍ନ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ରାଜ୍ୟରେ ଶିଶୁ ନିଖୋଜ ହେବା ଘଟଣା ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ରିପୋର୍ଟ ଅନୁସାରେ, ୨୦୨୪ ମସିହାରେ ମୋଟ ୬,୮୩୮ ଜଣ ଶିଶୁ ନିଖୋଜ ହୋଇଥିଲେ, ଯେଉଁଥିରୁ ୫,୯୪୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେହିଭଳି ୨୦୨୫ ମସିହାରେ ଏହି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ୮,୨୦୬ ରେ ପହଞ୍ଚିଛି । ତେବେ ପୁଲିସ ମାତ୍ର ୬,୦୩୬ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । 

ଏହା ବି ପଢ଼ନ୍ତୁ... ପ୍ରଶାସନିକ ଅବହେଳାର ଚରମ ସୀମା; ବୃଦ୍ଧଙ୍କୁ ମିଳୁନି ଭତ୍ତା, କେବଳ ମିଳୁଛି ଆଶ୍ୱାସନା ଓ ତାରିଖ

ଅନ୍ୟପଟେ କଟକରେ ବଢ଼ୁଛି ଅପରାଧ । କଟକ ଓ ଭୁବନେଶ୍ୱର ଭଳି ଦୁଇ ପ୍ରମୁଖ ସହରରେ ହତ୍ୟାକାଣ୍ଡ ମାମଲାରେ ଏକ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିଛି । କଟକ ସହରରେ ଅପରାଧିକ ଗ୍ରାଫ୍ ଉପରମୁହାଁ ରହିଛି । ୨୦୨୪ରେ ୨୧ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୫ରେ ଏହା ୨୪କୁ ବୃଦ୍ଧି ପାଇଛି, ଯାହା ସ୍ଥାନୀୟ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଜଧାନୀରେ ହତ୍ୟାକାଣ୍ଡ ସଂଖ୍ୟା କଟକ ଅପେକ୍ଷା ଅଧିକ ରହିଥିଲେ ମଧ୍ୟ ଏଥିରେ ଆଖିଦୃଶିଆ ହ୍ରାସ ଘଟିଛି । ୨୦୨୪ରେ ଭୁବନେଶ୍ୱରରେ ୪୩ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ୨୦୨୫ରେ ଏହା ୩୩କୁ ଖସି ଆସିଛି । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ସୂଚନାମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଏହି ପରିସଂଖ୍ୟାନ ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର ଦର୍ଶାଉଛି । ଶିଶୁ ସୁରକ୍ଷା ପାଇଁ ଆହୁରି କଡ଼ା ପଦକ୍ଷେପ ନେବା ସହ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନକୁ ଅଧିକ ତତ୍ପର ହେବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।