ବନ୍ତ, ୨୦/୦୪ : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି କଳାହାଣ୍ଡିଆ ଗ୍ରାମ ନିକଟସ୍ଥ  କପାଳୀ ନଦୀ ପଠାରୁ ଗତ ଶୁକ୍ରବାର ପୁଲିସ ଏକ  କଙ୍କାଳ ଉଦ୍ଧାର କରିଛି । ତାହା ଜଣେ ମହିଳାଙ୍କର  ବୋଲି ପୁଲିସ ଜାଣିବାକୁ ପାଇଛି । କାରଣ ଏହି ଘଟଣା ଜଣାପଡ଼ିବା ପରେ ସେହି ଗ୍ରାମର ରାମ  ବେହେରାଙ୍କ ସ୍ତ୍ରୀ ରାଧା ମୁଣ୍ଡାଙ୍କ କଙ୍କାଳ ବୋଲି  ରାଧାଙ୍କ ବାପଘର ଲୋକମାନେ ଚିହ୍ନଟ କରିଥିଲେ ।  ପରେ ରାମ ବେହେରାଙ୍କୁ ପୁଲିସ କେନ୍ଦୁଆପଦା  ଫାଣ୍ଡିରେ ଅଟକ ରଖି ପଚରାଉଚରା ଜାରି ରଖିଛି ।   

୪ବର୍ଷ ତଳେ କଳାହାଣ୍ଡିଆ ଗ୍ରାମର ରାମଚନ୍ଦ୍ର  ବେହେରା ବନ୍ତ ଥାନା ଅନ୍ତର୍ଗତ ଫୁଲଗଡ଼ିଆ ଗ୍ରାମର  ନାଜିରି ମୁଣ୍ଡାଙ୍କ ଝିଅ ରାଧା ମୁଣ୍ଡା(୩୭)ଙ୍କୁ ବିବାହ  କରିଥିଲେ । କୌଣସି କାରଣକୁ ନେଇ କିଛି ମାସ  ପୂର୍ବରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଥିଲା ।  ଗତ କିଛି ଦିନ ପୂର୍ବରୁ ରାଧା ହଠାତ ନିଖୋଜ  ହୋଇଯାଇଥିଲେ । ଏହି ଖବରପାଇ ବାପଘର  ଲୋକେ ରାଧାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି  କରୁଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ ।   ଗତ ଶୁକ୍ରବାର କଳାହାଣ୍ଡିଆ ଗ୍ରାମ ନିକଟସ୍ଥ  କପାଳୀ ନଦୀ ପଠାରେ  ଏକ କଙ୍କାଳ ପଡିଥିବା  ବାପଘର ଲୋକମାନେ ଖବରପାଇ ସେଠାରେ ପହଞ୍ଚିଥିଲେ ।  ଠାବ ହୋଇଥିବା କଙ୍କାଳଟି ନିଖୋଜ ରାଧାଙ୍କର  ବୋଲି ଜାଣିବା ପରେ ରାଧାଙ୍କ ବାପା ନାଜିରି  ମୁଣ୍ଡା କେନ୍ଦୁଆପଦା ଫାଣ୍ଡିରେ ଲିଖିତ ଅଭିଯୋଗ  କରିଥିଲେ । ଅଭିଯୋଗ ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା  ପୁଲିସ, କେନ୍ଦୁଆପଦା ଫାଣ୍ଡି ପୁଲିସ, ସାଇଣ୍ଟିଫିକ୍‌  ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ  ଆଧାର କରି ତଦନ୍ତ କରିଥିଲେ । କଙ୍କାଳ ନିକଟରେ  ପଡିଥିବା ଏକ ଶାଢି ଓ ଅନ୍ୟ କେତେକ ପାରିପାଶ୍ୱିର୍କ  ପରିସ୍ଥିତିକୁ ଲକ୍ଷ୍ୟ କରି ତାହା ନିଖୋଜ ରାଧାଙ୍କର  ବୋଲି ବାପଘର ଲୋକମାନେ ଚିହ୍ନଟ କରିବା ପରେ  ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୧୯୮/୨୫ମୂଳେ ଏକ  ମାମଲା ରୁଜୁ କରି ପୁଲିସ କଙ୍କାଳକୁ ଜବତ କରିଛି ।

ଏହି ଖବରଟିକୁ ପଢନ୍ତୁ-ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ