ପାଟଣାଗଡ଼, ୨୨/୧ : ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ହିର୍ଲି କାଦୋପାଣି ଛକ ନିକଟରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣଙ୍କ ହେଲେ ଉକ୍ତ ଥାନା ମରାଳ ଗାଁ ଅଘରିଆ ପଡ଼ାର ଶିବ ସାହୁ ବୋଲି ଜଣାପଡ଼ିଛି । ମୃତକଙ୍କ ସ୍ତ୍ରୀ ସ୍ନେହଲତା ମୋ ସ୍ବାମୀକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ, ବୁଧବାର ସନ୍ଧ୍ୟା ହେବା ପୂର୍ବରୁ ମୃତ ଯୁବକ ଶିବ ତାଙ୍କ ନିଜ ସାଇକିଳରେ ଘରୁ ୧୦ହଜାର ଟଙ୍କା ନେଇ କୁଆଡ଼େ ଚାଲି ଯାଇଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସେ ଆଉ ଘରକୁ ଫେରି ନ ଥିବାରୁ ପରିବାର ବର୍ଗ ତାଙ୍କୁ ଖୋଜାଖୋଜି କରିଥିଲେ ।
ଏପରିକି ଆଜି ଦିନ ତମାମ ମଧ୍ୟ ପରିବାର ବର୍ଗ ତାଙ୍କୁ ଖୋଜାଖୋଜି କରୁଥିବାରେ ବ୍ୟସ୍ତ ଥିଲେ । ଗୁରୁବାର ଅପରାହ୍ନ ସାଢେ ୩ଟା ସମୟରେ ଶିବଙ୍କ ରକ୍ତାକ୍ତ ମୃତଦେହ ହିର୍ଲି କୋଦୋପାଣି ଛକ ନିକଟରେ ପଡ଼ିଥିବା ନେଇ ଲୁହାସିଂହା ପଞ୍ଚାୟତର ଜନୈକ କର୍ମଚାରୀ ସରପଞ୍ଚ ଦେବାଶିଷ ସାହୁଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ । ଦେବାଶିଷ ଘଟାଣା ସ୍ଥଳକୁ ପହଞ୍ଚି ଆମ୍ବୁଲାନ୍ସ ସହ ପୁଲିସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ପହଞ୍ଚିବା ପୁର୍ବରୁ ଶିବଙ୍କ ମୃତ୍ୟୁ ଘଟି ସିରିଥିଲା। ପୁଲିସ ପହଞ୍ଚିବା ପୁର୍ବରୁ ମୃତ ଶିବଙ୍କ ସ୍ତ୍ରୀ ଓ ତାଙ୍କ ପୁଅ ଘଟଣାସ୍ଥଳକୁ ପହଞ୍ଚି ସାରିଥିଲେ । ମୃତଦେହକୁ ପୁଲିସ ଉଦ୍ଧାର କରିବା ପୂର୍ବରୁ ଶିବଙ୍କ ପ୍ୟାଣ୍ଟ୍ ପକେଟରୁ ୬ହଜାର ୫ଶହ ଟଙ୍କା ସହ ସେ ବ୍ୟବହାର କରୁଥିବା ଫୋନକୁ ମା’ଓ ପୁଅଙ୍କ ଉପସ୍ଥିତି ପୁଲିସ ଜବତ କରିଥିଲା ।
ବର୍ତ୍ତମାନ ଶିବଙ୍କ ମୃତଦେହ ପାଟଣାଗଡ଼ ଡ଼ାକ୍ତରଖାନା ପରିସରରେ ଥିବା ଶବ ଗୃହରେ ରଖାଯାଇଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ପ୍ରକାଶ ଯେ, ମୃତ ଶିବ ଓ ତାଙ୍କ ସ୍ତ୍ରୀ ସ୍ନେହଲତା ଗତ ସପ୍ତାହରେ ତାମିଲନାଡୁର ଏକ ଇଟାଭାଟିକୁ ମୁଣ୍ଡ ପିଛା ଅଗ୍ରିମ ଟଙ୍କା ନେଇ ଇଟା ଗଢିବାକୁ ଯାଇଥିଲେ । ମୃତ ଯୁବକଙ୍କ ସ୍ତ୍ରୀ କୌଣସି କାରଣକୁ ନେଇ ସେଠାରୁ ପ୍ରଥମେ ପଲାଇ ଆସିଥିଲେ । ତାର କିଛିଦିନ ପରେ ମୃତ ଶିବ ଘରେଆସି ପହଞ୍ଚିଥିଲେ । ଏହାପରେ ସ୍ବାମୀ ସ୍ତ୍ରୀ ମିଶି ତାଙ୍କ ନିଜ ଗାଁ ମରାଳରେ ନିଜ ଘର ତିଆରି କରିବାପାଇଁ କିଛି ଇଟା ଗଢୁଥିବା ଜଣାପଡ଼ିଛି ।
ଆହୁରି ପଢନ୍ତୁ : ପ୍ରମେୟ ଡିଜିଟାଲର ସ୍ୱତନ୍ତ୍ର ଲାଇଭ୍ ସୋ ‘ମେଡିକାଲ ଆଷ୍ଟ୍ରୋ’: ଫୋନ୍ କରି ବାସ୍ତୁ ଓ ଆପଣଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଜାଣନ୍ତୁ