ନୂଆଦିଲ୍ଲୀ,୧୫।୭:  ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ଘାତକ ବୋଲିଂ। ମାତ୍ର ୨୭ ରନ୍‌ରେ ଅଲ୍‌ ଆଉଟ୍ ହେଲା ୱେଷ୍ଟଇଣ୍ଡିଜ୍ ଟିମ୍। ଏହାସହ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ସୃଷ୍ଟି କରିଛନ୍ତି ରେକର୍ଡ। ମାତ୍ର ୧୫ ବଲରେ ୫ ଓ୍ବିକେଟ ନେଇ ୱେଷ୍ଟଇଣ୍ଡିଜ୍‌ର ଅଧା ଟିମ୍‌କୁ ପାଭିଲିଅନ୍ ପଠାଇ ଦେଇଥିଲେ ଷ୍ଟାର୍କ। ଏହା ସହ ଟେଷ୍ଟ କ୍ରିକେଟରେ ସବୁଠାରୁ କମ୍‌ ବଲ୍‌ରେ ୫ ଓ୍ବିକେଟ ହାସଲ କରିଥିବା ଖେଳାଳି ହୋଇଛନ୍ତି। 

ନିଜର ୧୦୦ ତମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ବିଶ୍ବରେକର୍ଡ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କିଙ୍ଗଷ୍ଟନ୍ ଟେଷ୍ଟରେ ରଚିଛନ୍ତି ଇତିହାସ। ଅଷ୍ଟ୍ରେଲିଆର ୨୦୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ୍ ହୋଇଛି ଧରାଶାୟୀ। ମାତ୍ର ୨୭ ରନ୍‌ରେ ଟିମ୍ ହୋଇଥିଲା ଅଲଆଉଟ୍। ଷ୍ଟାର୍କ ଦ୍ବିତୀୟ ଇନିଂସରେ ୯ ରନ୍‌ ଦେଇ ୬ ଓ୍ବିକେଟ ନେଇଛନ୍ତି। ଏହା ସହ ମାତ୍ର ୧୫ ବଲ୍‌ରେ ୫ ଓ୍ବିକେଟ ନେଇ ରଚିଛନ୍ତି ଇତିହାସ। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ଏର୍ନି ଟୋଶାକ୍, ଷ୍ଟୁଆର୍ଟ ବ୍ରଡ ଏବଂ ସ୍କଟ୍ ବୋଲାଣ୍ଡଙ୍କ ନାଁରେ ଥିଲା। ତାଙ୍କଠାରୁ ୪ଟି ବଲ୍‌ କମ୍‌ରେ ଷ୍ଟାର୍କ ଏହି ରେକର୍ଡ ଭାଙ୍ଗିଛନ୍ତି। ୧୯୪୭ ରେ ଭାରତୀୟ ଟିମ୍ ବିପକ୍ଷରେ ୧୯ ବଲ୍‌ରେ ୫ ଓ୍ବିକେଟ ନେଇଥିଲେ ଅଷ୍ଟ୍ରେଲିଆର ଏର୍ନି ଟୋଶାକ୍।  

ଷ୍ଟାର୍କ ଦ୍ବିତୀୟ ଇନିଂସର ପ୍ରଥମ ବଲ୍‌ରେ ଜନ୍ କ୍ୟାମ୍ପବେଲ୍‌ଙ୍କୁ ଗୋଲ୍ଡେନ୍ ଡକ୍‌ରେ ଆଉଟ୍ କରି ନିଜର ଓ୍ବିକେଟ ଖାତା ଖୋଲିଥିଲେ। କ୍ୟାମ୍ପବେଲଙ୍କୁ ସବଷ୍ଟିଚ୍ୟୁଟ୍‌ ଫିଲ୍ଡର ଜୋଶ୍ ଇଲିଂସ କ୍ୟାଚ୍ କରିଥିଲେ। ସେହି ଓଭରର ପଞ୍ଚମ ବଲ୍‌ରେ ଷ୍ଟାର୍କ କେଭଲନ୍ ଆଣ୍ଡରସନ୍‌ଙ୍କୁ ଆଉଟ୍ କରିଥିଲେ। ଷଷ୍ଠ ବଲ୍‌ରେ ଆଉଟ୍ ହୋଉଥିଲେ ବ୍ରାଡନ୍ କିଙ୍ଗ। ଷ୍ଟାର୍କ ତାଙ୍କ ଦ୍ବିତୀୟ ଓଭରରେ କୌଣସି ଓ୍ବିକେଟ ପାଇନଥିଲେ, କିନ୍ତୁ କିଛି ରନ୍‌ ବି ଦେଇନଥିଲେ। ତୃତୀୟ ଓଭରର ପ୍ରଥମ ବଲ୍‌ରେ ସେ ମିକାଇଲ ଲୁଇସ୍‌ଙ୍କୁ ଆଉଟ୍ କରିଥିଲେ। ଏହାପରେ ଷ୍ଟାର୍କ ୱେଷ୍ଟଇଣ୍ଡିଜ୍ର ଇନିଂସ ପଞ୍ଚମ ଓଭରର ତୃତୀୟ ବଲ୍‌ ଶାଇ ହୋପଙ୍କୁ LBW  ଆଉଟ୍ କରି ନିଜର ପଞ୍ଚମ ଓ୍ବିକେଟ ହାସଲ କରିଥିଲେ।