ନୂଆଦିଲ୍ଲୀ,୮।୧୦: ଭାରତର ପ୍ରତିଷ୍ଠିତ ଓ ସବୁଠାରୁ ସମ୍ମାନିତ ୭୦ ତମ ନ୍ୟାସନାଲ ଆଓ୍ବାର୍ଡ ଆଜି ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହୋଇଛି। ଏହି ଉତ୍ସବରେ ଫିଲ୍ମ ଜଗତର ଭଲ ଫିଲ୍ମ,  କଳାକାର ଓ କ୍ରୁ ମେମ୍ବରଙ୍କୁ  ସମ୍ମାନ ଦିଆଯାଇଥିଲା। ଏହି ପୁରସ୍କାରର ଘୋଷଣା ଅଗଷ୍ଟରେ କରାଯାଇଥିଲା। ଆଓ୍ବାର୍ଡ ଫଙ୍କସନ୍ ପାଇଁ ନୀନା ଗୁପ୍ତା, ଋଷଭ ସେଟ୍ଟୀ, ସୂରଜ ବଡଜାତ୍ୟା ଓ ନିତ୍ୟା ମେନନ୍‌ଙ୍କ ସହ ବହୁ ଫିଲ୍ମଷ୍ଟାର ଦିଲ୍ଲୀ ପହଁଞ୍ଚିଥିଲେ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ନିଜେ ଏହି ସମ୍ମାନ କଳାକାରଙ୍କୁ ପ୍ରଦାନ କରିଛନ୍ତି। 

ଏହି ସମାରୋହରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଦାଦା ସାହେବ ଫାଲକୋ ପୁରସ୍କାରରେ ସମ୍ମାନିତ କରାଯାଇଛି। ପୁରସ୍କାର ପାଇବା ପରେ ମିଥୁନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଯାତ୍ରା ନେଇ ଅନୁଭୂତି ବଖାଣିଥିଲେ। ସେ କହିଛନ୍ତି, ମୋର ରଙ୍ଗ କଳା ହୋଇଥିବାରୁ ମୋତେ ବହୁତ କିଛି ଶୁଣିବାକୁ ପଡିଥିଲା। କୁହାଯାଇଥିଲା ବଲିଉଡରେ କଳା ରଙ୍ଗ ଚାଲିବନି। ମୁଁ ଭଗବାନଙ୍କୁ କହୁଥିଲି ହେ ଭଗବାନ ଏ ରଙ୍ଗ ନେଇ କ’ଣ କରିବି ? ତା ପରେ ମୁଁ ଭାବିଲି ଡ୍ୟାନ୍ସ କରିବି।ମୁଁ ଏଭଳି ଡ୍ୟାନ୍ସ କଲି ଯେ, ଲୋକଙ୍କ ନଜର କେବଳ ମୋ’ ଗୋଡ ଉପରକୁ ଗଲା।ସେ ଦିନଠୁ ମୁଁ ହୋଇଗଲି ସେକ୍ସି, ଡସ୍କି, ବଙ୍ଗାଳି ବାବୁ। ମୁଁ ଭଗବାନଙ୍କୁ ଅଭିଯୋଗ କରୁଥିଲି, କିନ୍ତୁ ଆଜି ଏହି ପୁରସ୍କାର ମିଳିବା ପରେ ମୁଁ ଅଭିଯୋଗ କରିବା ଛାଡି ଦେଲି। ମୁଁ କେବଳ ନୂଆ ଲୋକଙ୍କୁ କହିବି ନିଜର ସାହାସ ହରାଅନି। ସପ୍ନ ଦେଖିବା କେବେ ବନ୍ଦ କରନି। ନିଜେ ଶୋଇପଡ଼ କିନ୍ତୁ ସ୍ବପ୍ନକୁ କେବେ ଶୋଇବାକୁ ଦିଅନି। ମୁଁ ଯଦି କିଛି ହୋଇ ପାରିଛି, ତେବେ ଆପଣମାନେ ବି କିଛି ହୋଇପାରିବେ।  

ଉଲ୍ଲେଖନୀୟ ଯେ, ମିଥୁନ ୩୫୦ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି। ୧୯୭୭ ରେ ନିଜର ପ୍ରଥମ ଫିଲ୍ମ ମୃଗୟା ପାଇଁ ବେଷ୍ଟ ଆକ୍ଟର ପୁରସ୍କାର ପାଇଥିଲେ। ଏପର୍ଯ୍ୟନ୍ତ ସେ ତିନି ଥର ନ୍ୟାସନାଲ ଫିଲ୍ମ ଆଓ୍ବାର୍ଡ ପାଇ ସାରିଛନ୍ତି।  ମିଥୁନ ଏପର୍ଯ୍ୟନ୍ତ ୩୫୦ରୁ ଅଧିକ ଫିଲ୍ମ କରିସାରିଛନ୍ତି। ନ୍ୟାସନାଲ ଆଓ୍ବାର୍ଡ କୌଣସି ଫିଲ୍ମ ପର୍ସିନାଲିଟି ପାଇଁ ସବୁଠାରୁ ବଡ ସଫଳତା ବୋଲି ମନେକରାଯାଏ। ଏଥର ଏହି ପୁରସ୍କାର ସେହି ଫିଲ୍ମ ପାଇଁ ଦିଆଯାଇଛି, ଯାହାକୁ ଫିଲ୍ମ ସେନସର ବୋର୍ଡ ୧ ଜାନୁଆରୀ ୨୦୨୨ରୁ ୩୧ ଡିସେମ୍ବର ୨୦୨୨ ଭିତରେ ସେନ୍ସର ସାର୍ଟିଫିକେଟ୍ ଦେଇଛି।