ନୂଆଦିଲ୍ଲୀ, ୨୮/୦୯: କିଏ ହେବ ବିସିସିଆଇ ପରବର୍ତ୍ତୀ ଅଧ୍ୟକ୍ଷ ? ରୋଜର ବିନ୍ନିଙ୍କ ସ୍ଥାନରେ କିଏ ସମ୍ଭାଳିବେ ମଙ୍ଗ ? ସବୁ ପ୍ରଶ୍ନର ଉତ୍ତର ମିଳିଛି । ବିସିସିଆଇକୁ ମିଳିଛନ୍ତି ନୂଆ ବସ୍‌ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନୂଆ ଅଧ୍ୟକ୍ଷ ହୋଇଛନ୍ତି ମିଥୁନ ମନହାସ । ଦିଲ୍ଲୀ ରଣଜୀ ଟ୍ରଫି ଟିମ୍‌ର ପୂର୍ବ ଅଧିନାୟକ ମିଥୁନ  ବିସିସିଆଇ ଅଧ୍ୟକ୍ଷ ହୋଇଛନ୍ତି । ଜମ୍ମୁ-କାଶ୍ମୀରରେ ଜନ୍ମିତ ଏହି କ୍ରିକେଟର ବିସିସିଆଇର ନୂଆ ସଭାପତି ହେବା ପାଇଁ ଦୌଡ଼ ଆଗରେ ରହିଥିଲେ। ଆଜି ବିଧିବଦ୍ଧ ଭାବେ ବିସିସିଆଇ ଅଧ୍ୟକ୍ଷ ଭାବେ ମାନହାସଙ୍କ ନାମ ଘୋଷଣା ହୋଇଛି । ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ମାନହାସଙ୍କ ନାମ ଘୋଷଣା ହୋଇଛି । ରୋଜର ବିନ୍ନିଙ୍କ ସ୍ଥାନ ନେଇଛନ୍ତି ମାନହାସ । ଏବେ ମାନହାସଙ୍କ ହାତରେ ରହିବ ବିସିସିଆଇ କମାଣ । ସେହିପରି ଦେବଜିତ୍‌ ସାଇକିଆ ସଚିବ ଭାବରେ କାର୍ଯ୍ୟ ଜାରି ରଖିଛନ୍ତି । ପ୍ରବତେଜ ଭାଟିଆଙ୍କୁ ଯୁଗ୍ମ ସଚିବ କରାଯାଇଛି ।

କିଏ ମିଥୁନ ମନହାସ ? ୪୫ ବର୍ଷୀୟ ମିଥୁନ ରୋଜର ବିନ୍ନିଙ୍କ ଜାଗା ନେଇଛନ୍ତି । କୌଣସି ଅନକ୍ୟାପ୍‌ଡ ଖେଳାଳି ଭାବେ ବିସିସିଆଇର ନେତୃତ୍ୱ ନେଇଛନ୍ତି । ଅର୍ଥାତ୍‌ ମିଥୁନ ମନହାସ ପ୍ରଥମ କ୍ରିକେଟର ହୋଇଛନ୍ତି ଯିଏ ଅନ୍ତର୍ଜାତୀୟ କ୍ରିକେଟ୍ ନ ଖେଳିବା ସତ୍ତ୍ୱେ ବିସିସିଆଇର ମୁଖ୍ୟ ହୋଇଛନ୍ତି । ସେ ୧୫୭ ପ୍ରଥମ ଶ୍ରେଣୀ ମ୍ୟାଚରେ ୯,୭୧୪ ରନ୍ କରିଛନ୍ତି । ସେଥିରେ ୨୭ ଶତକ ରହିଛି । ୧୩୦ ଲିଷ୍ଟ ଏ ମ୍ୟାଚ୍ ଏବଂ ୯୧ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ମିଥୁନ ମନହାସ ଘରୋଇ କ୍ରିକେଟରେ ପ୍ରାୟ ୧୫,୦୦୦ ରନ୍ କରିଛନ୍ତି । ମିଥୁନ ମନହାସ ବର୍ତ୍ତମାନ ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନରେ ପ୍ରଶାସକ କାର୍ଯ୍ୟ କରୁଛନ୍ତି । ସେପ୍ଟେମ୍ବର ୩୦ରେ କାର୍ଯ୍ୟକାଳ ସରିବ  ଏହା ପୂର୍ବରୁ ସେ ଦୁଲୀପ ଟ୍ରଫିରେ ଉତ୍ତର ଜୋନ୍‌ ପାଇଁ ସଂଯୋଜକ ଥିଲେ । ଆଇପିଏଲ ଫ୍ରାଞ୍ଚାଇଜ୍ ଗୁଜରାଟ ଟାଇଟନ୍ସର ସର୍ପୋର୍ଟ ଷ୍ଟାଫ୍ ଭାବେ କାର୍ଯ୍ୟ କରୁଛନ୍ତି । ଆଇପିଏଲରେ, ମିଥୁନ ଦିଲ୍ଲୀ ଡେୟାରଡେଭିଲ୍ସ, ପୁନେ ୱାରିୟର୍ସ ଇଣ୍ଡିଆ ଏବଂ ସିଏସକେ ପାଇଁ ଖେଳିଛନ୍ତି ।