ଭୁବନେଶ୍ବର ୧୪/୦୫:  ଏଣିକି ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିପାରିବେ ବିଧାୟକ, ସାଂସଦ ।  କେବଳ ନିଜ ନିର୍ବାଚନମଣ୍ଡଳୀର  ସର୍ବାଧିକ ୧୫ ଜଣଙ୍କ ପାଇଁ ବଦଳି  ସୁପାରିସ କରିପାରିବେ । ଅନ୍ତଃଜିଲ୍ଲା  ବଦଳି ହୋଇପାରିବ । କିନ୍ତୁ  ଗ୍ରାମାଞ୍ଚଳରୁ କୌଣସି ଶିକ୍ଷକଙ୍କୁ  ସହରକୁ ବଦଳି କରାଯାଇ ପାରିବ  ନାହିଁ । ଏନେଇ ବିଦ୍ୟାଳୟ ଓ  ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ପ୍ରାଥମିକ ଶିକ୍ଷା  ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି ।   

ଚିଠିରେ ଉଲ୍ଲେଖ ରହିଛି ଯେ  ବଦଳି ପ୍ରକ୍ରିୟାରେ ସବୁବେଳେ ଛାତ୍ର ଶିକ୍ଷକ ଅନୁପାତକୁ ଧ୍ୟାନ ଦିଆଯିବ ।  ଯେପରି ଏଥିରେ ଉଲ୍ଲଂଘନ ନହୁଏ  ସେଥିଲାଗି ଦୃଷ୍ଟି ଦିଆଯିବ । ବିଧାୟକ,  ସାଂସଦମାନେ ଯେଉଁ ଶିକ୍ଷକ ବଦଳି  ପାଇଁ ଯୋଗ୍ୟ ଏବଂ  ଦାବିଦାର  ଥିବେ ସେମାନଙ୍କ ନାମକୁ ସୁପାରିସ  କରିପାରିବେ । ବିଧାୟକ, ସାଂସଦ  ସେମାନଙ୍କ ସୁପାରିସକୁ ଜିଲ୍ଲାପାଳଙ୍କ  ପାଖରେ ପ୍ରଦାନ କରିବେ । ଜିଲ୍ଲାପାଳ ଏହି ସୁପାରିସକୁ ଜିଲ୍ଲାସ୍ତରୀୟ ବଦଳି କମିଟିକୁ  ପଠାଇବେ । ଆସନ୍ତା ୧୫ ତାରିଖରୁ ଜୁନ୍‌ ୧୫ ତାରିଖ  ମଧ୍ୟରେ ସମସ୍ତ ସୁପାରିସକୁ ଦାଖଲ କରାଯିବ । ଚଳିତ  ଶିକ୍ଷା ବର୍ଷ ପାଇଁ ଏହା ଲାଗୁ କରାଯିବ ବୋଲି କୁହାଯାଇଛି ।