ଭୁବନେଶ୍ବର ୧୪/୦୫: ଏଣିକି ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିପାରିବେ ବିଧାୟକ, ସାଂସଦ । କେବଳ ନିଜ ନିର୍ବାଚନମଣ୍ଡଳୀର ସର୍ବାଧିକ ୧୫ ଜଣଙ୍କ ପାଇଁ ବଦଳି ସୁପାରିସ କରିପାରିବେ । ଅନ୍ତଃଜିଲ୍ଲା ବଦଳି ହୋଇପାରିବ । କିନ୍ତୁ ଗ୍ରାମାଞ୍ଚଳରୁ କୌଣସି ଶିକ୍ଷକଙ୍କୁ ସହରକୁ ବଦଳି କରାଯାଇ ପାରିବ ନାହିଁ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି ।
ଚିଠିରେ ଉଲ୍ଲେଖ ରହିଛି ଯେ ବଦଳି ପ୍ରକ୍ରିୟାରେ ସବୁବେଳେ ଛାତ୍ର ଶିକ୍ଷକ ଅନୁପାତକୁ ଧ୍ୟାନ ଦିଆଯିବ । ଯେପରି ଏଥିରେ ଉଲ୍ଲଂଘନ ନହୁଏ ସେଥିଲାଗି ଦୃଷ୍ଟି ଦିଆଯିବ । ବିଧାୟକ, ସାଂସଦମାନେ ଯେଉଁ ଶିକ୍ଷକ ବଦଳି ପାଇଁ ଯୋଗ୍ୟ ଏବଂ ଦାବିଦାର ଥିବେ ସେମାନଙ୍କ ନାମକୁ ସୁପାରିସ କରିପାରିବେ । ବିଧାୟକ, ସାଂସଦ ସେମାନଙ୍କ ସୁପାରିସକୁ ଜିଲ୍ଲାପାଳଙ୍କ ପାଖରେ ପ୍ରଦାନ କରିବେ । ଜିଲ୍ଲାପାଳ ଏହି ସୁପାରିସକୁ ଜିଲ୍ଲାସ୍ତରୀୟ ବଦଳି କମିଟିକୁ ପଠାଇବେ । ଆସନ୍ତା ୧୫ ତାରିଖରୁ ଜୁନ୍ ୧୫ ତାରିଖ ମଧ୍ୟରେ ସମସ୍ତ ସୁପାରିସକୁ ଦାଖଲ କରାଯିବ । ଚଳିତ ଶିକ୍ଷା ବର୍ଷ ପାଇଁ ଏହା ଲାଗୁ କରାଯିବ ବୋଲି କୁହାଯାଇଛି ।