ଉତ୍ତରପ୍ରଦେଶ ୩୦/୧୨: ଉତ୍ତରପ୍ରଦେଶ ଗୋରଖପୁରରେ ଜିଆର୍‌ପି ପୁଲିସ ଗତ ଶୁକ୍ରବାର ରାତିରେ ମୋବାଇଲ୍‌ ଫୋନ୍‌ ଚୋରି କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । ଗୋରଖପୁର ରେଲୱେ ଷ୍ଟେସନ୍‌ ନିକଟରୁ ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଗିରଫ କରାଯାଇଛି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ କାମ କରନ୍ତୁ ବା ନକରନ୍ତୁ ସେହି ଗ୍ୟାଙ୍ଗର ସଦସ୍ୟମାନଙ୍କୁ ମାସିକ ଦରମା ମିଳୁଥିଲା । ସେହିପରି ସହର ବାହାରକୁ ଗଲେ ରହିବା ଓ ଖାଇବା ବାବଦକୁ ଭତ୍ତା ପାଉଥିଲେ ସେମାନେ । 

ଗୋରଖପୁର ଜିଆର୍‌ପି ଏସ୍‌ପି ସନ୍ଦୀପ କୁମାର ମୀନାଙ୍କ ଅନୁସାରେ, ଏହି ଗ୍ୟାଙ୍ଗର କିଙ୍ଗପିନ୍‌ ହେଲେ ଝାଡ଼ଖଣ୍ଡର ମନୋଜ ମଣ୍ଡଳ(୩୫) । ତାଙ୍କ ସହିତ କରନ୍‌ କୁମାର (୧୯) ଓ କରନ୍‌ଙ୍କର ଜଣେ ନାବାଳକ ଭାଇ କାମ କରୁଥିଲେ । ମନୋଜ ନିଜର ଦୁଇ ସହଯୋଗୀଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏଁ ଦେଉଥିଲେ । ରାଜ୍ୟ ବାହାରକୁ ଚୋରି ପାଇଁ ଗଲେ ସେମାନଙ୍କୁ ରହିବା ଓ ଖାଇବା ଲାଗି ଟଙ୍କା ବି ମିଳୁଥିଲା । ଚୋରି ଓ ଆଗ୍ନେୟାସ୍ତ୍ର ଚଳାଇବା ଲାଗି ସେମାନଙ୍କୁ ସ୍ୱତନ୍ତ୍ର ଭାବେ ୩ ମାସ ଧରି ତାଲିମ ଦେଇଥିଲେ ମନୋଜ । ଛୋଟ ଛୋଟ ଟାର୍ଗେଟ୍‌ ପୂରଣ କରି ସଫଳ ହେବା ପରେ ଗ୍ୟାଙ୍ଗରେ ସାମିଲ କରି ଏକ ନିର୍ଦ୍ଦିଷ୍ଟ ଦରମା ଦେବାର ବ୍ୟବସ୍ଥା କରିଥିଲେ । 

ଗୋରଖପୁର ଓ ନିକଟବର୍ତ୍ତୀ ଜିଲ୍ଲାର ବ୍ୟସ୍ତବହୁଳ ବଜାର, ରେଲୱେ ଷ୍ଟେସନ୍‌ ନିକଟରୁ ଲୋକଙ୍କର ମୋବାଇଲ୍‌ ଚୋରି କରିବାରେ ଗ୍ୟାଙ୍ଗର ସଦସ୍ୟମାନେ ନିପୁଣ । ସେମାନେ ଭଲ ପୋଷାକ ପିନ୍ଧୁଥିବାବେଳେ ସ୍ପଷ୍ଟ ଭାବେ ହିନ୍ଦୀ କରିଥାନ୍ତି । ଟ୍ରେନ୍‌ରେ ସବୁବେଳେ ସଂରକ୍ଷିତ ବଗିରେ ଯାତ୍ରା କରନ୍ତି । ତେଣୁ ବସ୍‌ ଓ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ସେମାନଙ୍କ ଉପରେ କେହି ସନ୍ଦେହ କରିପାରନ୍ତି ନାହିଁ । ଗୋରଖପୁର ରେଲୱେ ଷ୍ଟେସନ୍‌ ନିକଟରେ ଦୁର୍ଗା ବାରିରେ ସେମାନେ ଏକ କୋଠରୀ ଭଡ଼ା ନେଇଥିଲେ । ଗ୍ୟାଙ୍ଗର ସଦସ୍ୟମାନେ ଯୋଜନାବଦ୍ଧ ହୋଇ କାମ କରୁଥିଲେ । ରିଙ୍ଗ୍‌ ଲିଡର ମନୋଜ ପ୍ରାୟତଃ ବସ୍‌ ଓ ଅଟୋ ଷ୍ଟାଣ୍ଡରେ ଅପେକ୍ଷା କରି ଚୋରି ଜିନିଷକୁ ସଂଗ୍ରହ କରିବା ପରେ ଫେରାର ହୋଇଯାଉଥିଲେ । ସେମାନେ ଚୋରି କରୁଥିବା ମୋବାଇଲ୍‌କୁ ଏକାଠି କରି ଏକ ଉତ୍ପାଦନ ସଂସ୍ଥାକୁ ଦିଆଯାଉଥିଲା । 

ସେହି ସଂସ୍ଥା ତାକୁ ବାଂଲାଦେଶ ଓ ନେପାଳ ପଠାଉଥିଲା । ସେଥିଯୋଗୁ ଚୋରି ହେଉଥିବା ଫୋନ୍‌କୁ ଟ୍ରାକ୍‌ କରି ଗ୍ୟାଙ୍ଗକୁ ଧରିବା କଷ୍ଟକର ଥିଲା । ପୁଲିସ ଏହି ଗ୍ୟାଙ୍ଗ ସଂପର୍କରେ ଜାଣିବା ପରେ ପ୍ରାୟ ଏକ ସପ୍ତାହ ଧରି ଗ୍ୟାଙ୍ଗ ଉପରେ ନଜର ରଖିଥିଲା । ୨୦୦ଟି ସିସିଟିଭି କ୍ୟାମେରାର ଫୁଟେଜ୍‌କୁ ସଂଗ୍ରହ କରିବା ସହିତ ସେମାନଙ୍କର ଗତିବିଧି ଉପରେ କଡ଼ା ନଜର ରଖାଯାଇଥିଲା । ଶୁକ୍ରବାର ଗିରଫ ସମୟରେ ଜିଆରପି ଗ୍ୟାଙ୍ଗ ନିକଟରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ୪୪ଟି ଆଣ୍ଡ୍ରଏଡ୍‌ ଫୋନ୍‌, ଗୋଟିଏ ଆଗ୍ନେୟାସ୍ତ୍ର ଓ ଛୁରୀ ଉଦ୍ଧାର କରିଛି ।