ନୂଆଦିଲ୍ଲୀ,୦୨/୦୬: ଦେଶରେ ବଡ଼ ମାତ୍ରାରେ ନିଯୁକ୍ତି ସୃଷ୍ଟି ହେବ । ଗବେଷଣା, ବିକାଶ ଓ ନବସୃଜନକୁ ମିଳିବ ବଳ । କ୍ରୀଡା ଉନ୍ନୟନ ଏବଂ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଦ୍ରୁତ ବେଗରେ ଆଗେଇ ଚାଲିବ । ଏହି ଦିଗରେ କେନ୍ଦ୍ର କ୍ୟାବିନେଟ୍ ୨ ଲକ୍ଷ କୋଟିର ଏକ ପ୍ୟାକେଜ୍କୁ ଅନୁମୋଦନ କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସରକାର ଲକ୍ଷେ କୋଟି ଟଙ୍କାର ଆର୍ଡିଆଇ ଯୋଜନାକୁ ମଞ୍ଜୁରି ଦେଇଛନ୍ତି । ଆର୍ଡିଆଇ ଅର୍ଥ ଗବେଷଣା, ବିକାଶ ଏବଂ ନବସୃଜନ । ଏ ଯୋଜନା ଦ୍ୱାରା ଦେଶରେ ନୂଆ ଉଦ୍ଭାବନକୁ ତ୍ୱରାନ୍ୱିତ କରାଯିବ। ଫଳରେ ଭାରତର ବିନିର୍ମାଣ କ୍ଷମତା ବଢ଼ିବ । ନୂଆ ନୂଆ ଉତ୍ପାଦ ବିକାଶରେ ଦେଶ ହେବ ଅଗ୍ରଦୂତ । ନୂତନ ପ୍ରଯୁକ୍ତି ବିକାଶ କ୍ଷେତ୍ରରେ ଭାରତର ନାଁ ଆଗରେ ରହିବ । ସ୍ୱଚ୍ଛ ଶକ୍ତି, ଜଳବାୟୁ କାର୍ଯ୍ୟକ୍ରମ, କୃଷି କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସ୍ୱାସ୍ଥ୍ୟ, ଡିଜିଟାଲ ଅର୍ଥନୀତି, ଡିପ୍ ଟେକ୍, ମହାକାଶ ଓ ଜୈବ- ପ୍ରଯୁକ୍ତି ଆଦି କ୍ଷେତ୍ରରେ ଘରୋଇ ନବସୃଜନ ଉପରେ ଧ୍ୟାନକେନ୍ଦ୍ରିତ କରିବ ଏ ଯୋଜନା ।
ସରକାର ଏହି ଯୋଜନା ପ୍ରସ୍ତୁତ କରିବା ପୂର୍ବରୁ ଇସ୍ରାଏଲ, ଆମେରିକା, ଜର୍ମାନୀ ଏବଂ ସିଙ୍ଗାପୁର ଭଳି ଦେଶଗୁଡ଼ିକର ବିକାଶ ମଡେଲ୍କୁ ଅନୁଧ୍ୟାନ କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ୍ ମଧ୍ୟ ୯୯,୪୪୬ କୋଟି ଟଙ୍କାର ଏକ ନିଯୁକ୍ତି ସଂକ୍ରାନ୍ତ ପ୍ରୋତ୍ସାହନ(ଇଏଲ୍ଆଇ) ସ୍କିମ୍କୁ ଅନୁମୋଦନ ଦେଇଛି । ଏହି ସ୍କିମ୍ ମାଧ୍ୟମରେ ଦୁଇ ବର୍ଷରେ ୩.୫ କୋଟିରୁ ଊଦ୍ଧ୍ୱର୍ ନିଯୁକ୍ତି ସୃଷ୍ଟି ହେବାର ଅନୁମାନ ରହିଛି । ସ୍କିମ୍ ବିଶେଷକରି ବିନିର୍ମାଣ କ୍ଷେତ୍ର ଉପରେ ଗୁରୁତ୍ୱ ଦେବ । ଉଭୟ କର୍ମଚାରୀ ଓ ନିଯୁକ୍ତିଦାତାଙ୍କୁ ଏ ସ୍କିମ୍ ପ୍ରୋତ୍ସାହନ ଯୋଗାଇଦେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଶ୍ରୀ ବୈଷ୍ଣବ କହିଲେ, ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି, ବିନିର୍ମାଣ କ୍ଷେତ୍ରରେ ବୃହତ୍ ମାତ୍ରାରେ ନିଯୁକ୍ତି ସୃଷ୍ଟି କରିବା । ଏ ଯୋଜନା ଉକ୍ତ କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ ଦେବ ଯେଉଁଠାରେ ରୋଜଗାର ସମ୍ଭାବନା ଅଧିକ ରହିଛି ।
ସ୍କିମ୍ର ପ୍ରଥମ ପର୍ଯ୍ୟାୟରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ମାସିକିଆ ପାରିଶ୍ରମିକ ପ୍ରୋତ୍ସାହନରୁ ପ୍ରଥମ କରି ଚାକିରି କରୁଥିବା ପ୍ରାୟ ୧.୯୨ କୋଟି କର୍ମଚାରୀ ଉପକୃତ ହେବେ । ଦୁଇଟି କିସ୍ତିରେ ଏହା ମିଳିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ଷ୍ଟାଫ୍ ନିଯୁକ୍ତି ଲାଗି ନିଯୁକ୍ତିଦାତାମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବ। କର୍ମଚାରୀ ପିଛା ଦୁଇ ବର୍ଷ ପାଇଁ ମାସିକ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ କମ୍ପାନିଙ୍କୁ ପ୍ରଦାନ କରାଯିବ । ବିନିର୍ମାଣ କ୍ଷେତ୍ରରେ ଏହି ଲାଭ ୪ ବର୍ଷକୁ ସମ୍ପ୍ରସାରଣ ହେବ । ତେବେ ସ୍କିମ୍ର ଲାଭ ନେବା ପାଇଁ ନିଯୁକ୍ତିଦାତାଙ୍କ ନିମନ୍ତେ ଇପିଏଫ୍ଓ ପଞ୍ଜୀକରଣ ବାଧ୍ୟତାମୂଳକ । ଯଦି ସଂସ୍ଥାର କର୍ମଚାରୀଙ୍କ ସଂଖ୍ୟା ୫୦ରୁ କମ୍ ହୋଇଥାଏ ତେବେ ଉକ୍ତ କମ୍ପାନିକୁ ଅନ୍ୟୁନ ଦୁଇ ଏବଂ କର୍ମଚାରୀ ସଂଖ୍ୟା ୫୦ରୁ ଅଧିକ ହୋଇଥିଲେ ଅତିରିକ୍ତ ୫ ନିଯୁକ୍ତି ଦେବାକୁ ପଡ଼ିବ । ଉକ୍ତ କର୍ମଚାରୀମାନେ ସଂସ୍ଥାରେ ଅତିକମ୍ରେ ୬ ମାସ ରହିବା ଦରକାର ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ କ୍ୟାବିନେଟ୍ ପକ୍ଷରୁ ଖେଲୋ ଭାରତ ନୀତି ୨୦୨୫କୁ ଅନୁମୋଦନ ଦିଆଯାଇଛି । ଏଥିସହିତ ଦୁଇ ଦଶନ୍ଧି ପୁରୁଣା ଜାତୀୟ କ୍ରୀଡା ନୀତି-୨୦୦୧ ହଟିଯିବ । ଏହି ନୀତି ୫ ପ୍ରମୁଖ ସ୍ତମ୍ଭକୁ ନେଇ ପ୍ରସ୍ତୁତ ହୋଇଛି । ତାହା ହେଲା ବିଶ୍ୱସ୍ତରୀୟ ଉତ୍କର୍ଷ, କ୍ରୀଡା ମାଧ୍ୟମରେ ଅର୍ଥନୈତିକ ବିକାଶ, ସାମାଜିକ ଅନ୍ତର୍ଭୁକ୍ତୀକରଣରେ ସୁଧାର, ଗଣ ଯୋଗଦାନର ପ୍ରୋତ୍ସାହନ ଏବଂ ଶିକ୍ଷା ବ୍ୟବସ୍ଥାରେ କ୍ରୀଡାର ଅନ୍ତର୍ଭୁକ୍ତୀକରଣ । ଅନ୍ୟ ଏକ ନିଷ୍ପତ୍ତିକ୍ରମେ ତାମିଲନାଡୁରେ ୪୬.୭ କିମି ପରମକୁଡି-ରାମନାଥପୂରମ ଜାତୀୟ ରାଜପଥ-୮୭କୁ ୪-ଲେନ୍ କରାଯିବାର ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଥିବା ଜଣାପଡ଼ିଛି ।