ଲାହୋର,୨୮/୧୦: ପାକିସ୍ତାନ କ୍ରିକେଟ୍‌  ବୋର୍ଡ଼ (ପିସିବି) ୱିକେଟ୍‌ କିପର ବ୍ୟାଟର ମହମ୍ମଦ ରିଜୱାନଙ୍କୁ ସୀମିତ ଓଭର କ୍ରିକେଟ୍‌ ଦଳ (ଦିନିକିଆ, ଟି-ଟ୍ୱେଣ୍ଟି)ର ନୂଆ ଅଧିନାୟକ ନିଯୁକ୍ତ କରିଛି । ସେ ବାବର ଆଜମଙ୍କ ସ୍ଥାନ ନେଇଛନ୍ତି । 

ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ବାବର ବାରମ୍ବାର ସମାଲୋଚିତ ହୋଇଥିଲେ । ପାକିସ୍ତାନ ଆସନ୍ତା  ମାସ ଅଷ୍ଟ୍ରେଲିଆ ଓ ଜିମ୍ବାୱେ ଗସ୍ତ କରି ସୀମିତ ଓଭର  କ୍ରିକେଟ ସିରିଜ ଖେଳିବ । ଏହି ସିରିଜରୁ ଅଧିନାୟକ  ଭାବେ ରିଜୱାନଙ୍କ ଅଭିଯାନ ଆରମ୍ଭ ହେବ । ଉଭୟ  ଗସ୍ତ ପାଇଁ ପାକିସ୍ତାନ ଦଳ ଘୋଷଣା କରାଯାଇଛି । 

ଗତ  ଇଂଲଣ୍ଡ ବିପକ୍ଷ ଶେଷ ୨ଟି ଟେଷ୍ଟରୁ ବାଦ୍‌ ପଡ଼ିଥିବା  ବାବର, ସାହିନ ଆଫ୍ରିଦି ଏବଂ ନସୀମ ଶାହ ଅଷ୍ଟ୍ରେଲିଆ  ବିପକ୍ଷ ଦିନିକିଆ ଓ ଟି-ଟ୍ୱେଣ୍ଟି ପାଇଁ ଘୋଷିତ ଦଳକୁ  ପ୍ରତ୍ୟାବର୍ତ୍ତନ କରିଛନ୍ତି । ସଲମାନ ଆଘା ଉପଅଧିନାୟକ  ଦାୟିତ୍ୱ ତୁଲାଇବେ । ପାକିସ୍ତାନ ଦଳ ଅଷ୍ଟ୍ରେଲିଆ ଗସ୍ତରେ  ୩ଟି ଦିନିକିଆ (ନଭେମ୍ବର ୪, ୮, ୧୦ତାରିଖ), ୩ଟି  ଟି-ଟ୍ୱେଣ୍ଟି (୧୪, ୧୬, ୧୮ତାରିଖ) ଖେଳିବ । ଏହାପରେ  ଦଳ ଜିମ୍ବାୱେ ଗସ୍ତ କରି ୩ଟି ଦିନିକିଆ (ନଭେମ୍ବର ୨୪,  ୨୬, ୨୮ତାରିଖ) ଏବଂ ୩ଟି ଟି-ଟ୍ୱେଣ୍ଟି (ନଭେମ୍ବର ୨୮,  ଡିସେମ୍ବର ୧, ୩ତାରିଖ) ଖେଳିବାର ସୂଚୀ ରହିଛି ।