ବେଙ୍ଗାଲୁରୁ,୨୨/୧୦: ଗତ ଦିନିକିଆ ବିଶ୍ୱକପ୍‌ ସମୟରେ ଆହତ ହୋଇଥିବା ମହମ୍ମଦ ସାମି ସମ୍ପ୍ରତି ଅଭ୍ୟାସ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସମ୍ପୂର୍ଣ୍ଣ ଯନ୍ତ୍ରଣାମୁକ୍ତ ହୋଇଥିବା ଓ ପୂର୍ଣ୍ଣ ରନ୍‌ ଅପ୍‌ରେ ବୋଲିଂ ଅଭ୍ୟାସ ଚଳାଇଥିବା ସାମି ପ୍ରକାଶ କରିଛନ୍ତି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ପରେ ପରେ ସାମିଙ୍କୁ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ  ଦେଖିବାକୁ ମିଳିଥିଲା । ଟିମ୍‌ ଇଣ୍ଡିଆର ସହକାରୀ  କୋଚ ଅଭିଷେକ ନାୟାର ନେଟ୍ସରେ ବ୍ୟାଟିଂ କରିଥିଲେ ଓ ସାମି ତାଙ୍କୁ ବୋଲିଂ କରିଥିଲେ ।  

ସାମିଙ୍କ ଅଭ୍ୟାସ କ୍ରିକେଟ୍‌ ପ୍ରେମୀଙ୍କୁ ଉତ୍ସାହିତ କରିଛି । କାରଣ ଆଗକୁ ବର୍ଡର-ଗାଭାସ୍କର ଟ୍ରଫି ରହିଛି । ସାମି ଏହା ପୂର୍ବରୁ ଫିଟ୍‌ ହେବା ଦଳ ପାଇଁ ଜରୁରି ବୋଲି  ସମସ୍ତେ ଅନୁଭବ କରୁଛନ୍ତି । ମାତ୍ର ଅଷ୍ଟ୍ରେଲିଆ ଗସ୍ତ  ପୂର୍ବରୁ ସାମି କିଛି ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବାକୁ  ଚାହୁଁଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ  ଯନ୍ତ୍ରଣାମୁକ୍ତ । ପୂର୍ବ ରନ୍‌ ଅପ୍‌ରେ ବୋଲିଂ ଅଭ୍ୟାସ  କରୁଛି । ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଯଥେଷ୍ଟ ସମୟ  ରହିଛି । ତେଣୁ ଏହା ପୂର୍ବରୁ ରଣଜୀ ଟ୍ରଫିର ଗୋଟିଏ  କିମ୍ବା ୨ଟି ମ୍ୟାଚ୍‌ ଖେଳିବାକୁ ଯୋଜନା କରିଛି ।  

ସୂଚନାଯୋଗ୍ୟ, ଦିନିକିଆ ବିଶ୍ୱକପ୍‌ ପରେ ସାମି ପାଦରେ ଅସ୍ତ୍ରୋପଚାର କରିଥିଲେ । ଫିଟ୍‌ ହୋଇ ସେ ଅଭ୍ୟାସ ଚଳାଇଥିଲେ ହେଁ କିଛି ଦିନ ତଳେ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ତାଙ୍କୁ ନ୍ୟୁଜିଲାଣ୍ଡ  ବିପକ୍ଷ ସିରିଜ ପାଇଁ ଦଳରେ ସାମିଲ କରାଯାଇନଥିଲା ।