ନୂଆଦିଲ୍ଲୀ,୩୧/୧୨; ଭାରତର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବନବାସ ସରିବାକୁ ଯାଉଛି । ଦିନିକିଆ ଦଳକୁ ଫେରିବେ ୩୫ ବର୍ଷୀୟ ଦ୍ରୁତ ବୋଲର ସାମି । ଆସନ୍ତା ମାସରେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଓ ୫ଟି ଟି-ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି । ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ୩ କିମ୍ବା ୪ ତାରିଖରେ ଦଳ ଘୋଷଣା କରାଯିବ । ଗତ ଦିନିକିଆ ବିଶ୍ୱକପରେ ଘାତକ ବୋଲିଂ କରିଥିବା ପେସ୍ ବୋଲର ମହମ୍ମଦ ସାମି ଦିନିକିଆ ଦଳକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ସାମି ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ସମ୍ପ୍ରତି ବିଜୟ ହଜାରେ ଟ୍ରଫି ଖେଳୁଛନ୍ତି ଓ ୩ଟି ମ୍ୟାଚ୍ରୁ ୬ଟି ୱିକେଟ୍ ଅକ୍ତିଆର କରି ସାରିଛନ୍ତି । ଗତ ଚାମ୍ପିଅନ୍ସ ଟ୍ରଫି ପରଠୁ ସାମି ଭାରତୀୟ ଦଳକୁ ଫେରି ନାହାନ୍ତି । ସେ ନିୟମିତ ଭାବେ ରଣଜୀ ଟ୍ରଫି ଓ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଖେଳି ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିଥିଲେ । ତଥାପି ଚୟନ କମିଟି ତାଙ୍କୁ ଫିଟ୍ ନଥିବା ଦର୍ଶାଇ ଦଳରେ ସ୍ଥାନ ଦେଉ ନଥିଲା । ଚୟନ କମିଟିର ନିଷ୍ପତ୍ତିକୁ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯାଉଛି । ଫଳରେ ତାଙ୍କୁ ଏହି ଦିନିକିଆ ସିରିଜ ଜରିଆରେ ସୁଯୋଗ ଦେବାକୁ ଚୟନ କମିଟି ଚିନ୍ତା କରୁଛି । ଚୟନକର୍ତ୍ତାମାନେ ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଏହି ନିଷ୍ପତ୍ତି ନେଇପାରନ୍ତି । ଘରୋଇ ଟୁର୍ଣ୍ଣାମେଣ୍ଟରେ ସାମିଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ତାଙ୍କ ଚୟନକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି କରିଛି ।
ପୂର୍ବତନ ଭାରତୀୟ କ୍ରିକେଟର ମାନେ ମଧ୍ୟ ତାଙ୍କର କ୍ରମାଗତ ସାମିଙ୍କୁ ଅଣଦେଖା କରାଯାଉଥିବା ନେଇ ପ୍ରଶ୍ନ ଉଠାଇଛନ୍ତି । ସାମିଙ୍କୁ ODI ଦଳରୁ ବାଦ ଦିଆଯିବା ଉପରେ ଆଶ୍ଚର୍ଯ୍ୟ ହୋଇଥିଲେ ମହମ୍ମଦ କୈଫ । ବିଶେଷକରି ଯେତେବେଳେ ବରିଷ୍ଠ ଦ୍ରୁତ ବୋଲର ଜସପ୍ରିତ ବୁମରା ଏବଂ ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇଥିଲା । ସାମିଙ୍କ ଅନୁପସ୍ଥିତି ଆହୁରି ଆଶ୍ଚର୍ଯ୍ୟଜନକ, କାରଣ ସେ ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ ନିଜକୁ ପ୍ରମାଣିତ କରିଛନ୍ତି ।