ନୂଆଦିଲ୍ଲୀ,୧୭।୫: ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ନିଜର ବିଚାର ରଖିଛନ୍ତି। ସେ କହିଛନ୍ତି, ଶକ୍ତି ଯଦି ଅଛି ତେବେ ଦୁନିଆ ପ୍ରେମର ଭାଷା ଶୁଣିଥାଏ। ସେ ନିଜର ଭାଷଣରେ ଭାରତର ପ୍ରାଚୀନ ସଂସ୍କୃତି ଓ ତ୍ୟାଗର ପରମ୍ପରାକୁ ମନେପକାଇଛନ୍ତି। ସେ କହିଛନ୍ତି, ଭାରତର ଇତିହାସରେ ଭଗବାନ ଶ୍ରୀରାମଙ୍କଠାରୁ ନେଇ ଭାମାଶାହଙ୍କ ଭଳି ମହାନ ବ୍ୟକ୍ତି ତ୍ୟାଗ ଓ ସେବାର ଉଦାହରଣ ସୃଷ୍ଟି କରିଛନ୍ତି।
ମୋହନ ଭାଗବତ କହିଛନ୍ତି, ବିଶ୍ବକୁ ଧର୍ମ ଶିଖାଇବା ଭାରତର କର୍ତ୍ତବ୍ୟ। ଧର୍ମର ମାଧ୍ୟମରୁ ହିଁ ମାନବିକତାର ଉନ୍ନତି ସମ୍ଭବ ହୋଇଛି। ସେ ବିଶେଷ ଭାବରେ ହିନ୍ଦୁ ଧର୍ମର ଭୂମିକାକୁ ଗୁରୁତ୍ବପୂର୍ଣ୍ଣ ବୋଲି ମାନିଛନ୍ତି ଓ କହିଛନ୍ତି ବିଶ୍ବକଲ୍ୟାଣ ଆମର ପ୍ରମୁଖ ଧର୍ମ। ଭାରତ ଦୁନିଆର ସବୁଠାରୁ ପ୍ରାଚୀନ ଦେଶ। ଭାରତର ଭୂମିକା ବଡ଼ ଭାଇ ଭଳି ରହିଛି ବୋଲି ସେ କହିଛନ୍ତି।
ଭାରତ ବିଶ୍ବରେ ଶାନ୍ତି ଓ ସୌହାର୍ଦ୍ଧ କାୟମ କରୁଥିବା ଦିଗରେ ନିରନ୍ତର ଚେଷ୍ଟା କରୁଛି। ଭାରତ କାହା ସହ ରାଗ ରଖେନି, କିନ୍ତୁ ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ଶକ୍ତି ନଥିବ, ସେ ପର୍ଯ୍ୟନ୍ତ ବିଶ୍ବ ପ୍ରେମ ଓ ମଙ୍ଗଳର ଭାଷା ବୁଝିବେନି। ତେଣୁ ବିଶ୍ବର କଲ୍ୟାଣ ପାଇଁ ଶକ୍ତି ହେବା ଦରକାର ଓ ଆମର ଶକ୍ତି ବିଶ୍ବ ଦେଖିଛି ବୋଲି କହିଛନ୍ତି ଭାଗବତ।