ଭୁବନେଶ୍ୱର (ପ୍ରମେୟ ଡିଜିଟାଲ): ମୁଖ୍ୟମନ୍ତ୍ରୀ ମାହନ ଚରଣ ମାଝୀ ବାଣ୍ଟିଲେ ନିଯୁକ୍ତିପତ୍ର । ରାଜ୍ୟ ସରକାରଙ୍କ ତରଫରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ମେଗା ନିଯୁକ୍ତି ମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୭ହଜାର ୨୯୩ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ୧୨ ବିଭାଗର ଏମାନଙ୍କୁ ନିଯୁକ୍ତି ମିଳିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇ କହିଲେ, ଦୁର୍ନୀତି ବିଷ । ତାଠୁ ଦୁରରେ ରୁହ । ଦୁର୍ନୀତି ନିଜ ପାଇଁ ଓ ସରକାର ପାଇଁ ବିପଦଜନକ । ଦୁର୍ନୀତିଗ୍ରସ୍ତ ହେଲେ ଭିଜିଲାନ୍‌ସ ଧରିବ । କିଛି ଦିନ ତଳେ ଓଏଏସ ଟପର ହୋଇଥିବା ଅଧିକାରୀ ଲାଞ୍ଚ ନେଇ ଏବେ ଜେଲରେ ଅଛନ୍ତି । ଏହା ଦୁଃଖଦାୟକ ଘଟଣା । ସେହିପରି ଜଣେ ଆଇଏଏସ ଅଧିକାରୀ ବି ଲାଞ୍ଚ କାରବାରରେ ଲିପ୍ତ ରହି ଜେଲରେ ଅଛନ୍ତି । ତେଣୁ ଏହି ଦାନବ ଠାରୁ ଦୂରେଇ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

​​​​​​​

  • ଦୁର୍ନୀତି ବିଷ , ତା’ଠୁ ଦୁରରେ ରୁହ
  • ଦୁର୍ନୀତି ନିଜ ପାଇଁ ଓ ସରକାର ପାଇଁ ବିପଦଜନକ 

  ପୂର୍ବତନ ଆମେରିକା ରାଷ୍ଟ୍ରପତି ଜନ୍‌ ଏଫ୍‌ କେନେଡି ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ନେଲସନ ମାଣ୍ଡେଲାଙ୍କ ଉଦାହରଣ ଦେଇଥିଲେ ମୋହନ । ସେ କହିଲେ, ଚାକିରି କ୍ଷେତ୍ରରେ ଲୋକଙ୍କୁ ସହାନୁଭୂତି ଦେଖାଇବ । ସହୃଦୟତାର ସହ ଜନ ସେବା କରିବ ଓ ନ୍ୟାୟ ଦେବେ । ଚାକିରିକୁ ମିଶନ ଭାବେ ଗ୍ରହଣ କର । ତୃଣମୂଳ ସ୍ତରରେ ନିଷ୍ଠାର ସହ କାମ କଲେ ରାଜ୍ୟର ବିକାଶ ହୋଇପାରିବ ।

ସେହିପରି ନିଯୁକ୍ତି ମେଳାରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଲେ, ଯେଉଁଠି ପୋଷ୍ଟିଂ ସେଇଠି ରହି କାମ କର । ବଦଳି ପାଇଁ ମନ୍ତ୍ରୀଙ୍କ ପାଖକୁ ଆସ ନାହିଁ । କର୍ମ, ସେବା, ଧର୍ମକୁ ଗୁରୁ ମନ୍ତ୍ର ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ କେଭି । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୋକୁଳାନନ୍ଦ ମଲ୍ଲିକ, ଗଣେଶ ରାମ ସିଂହ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ନବ ନିଯୁକ୍ତ କର୍ମଚାରୀମାନେ ଦକ୍ଷତାର ସହ ଲୋକଙ୍କ ସେବା କରିବାକୁ  ପରାମର୍ଶ ଦେଇଥିଲେ ।