ନୂଆଦିଲ୍ଲୀ,୦୮/୦୨: ସ୍ୱର୍ଗତଃ ରତନ ଟାଟାଙ୍କ ଇଚ୍ଛାପତ୍ର ସମସ୍ତଙ୍କୁ ଚକିତ କରିଛି । ଟାଟା ନିଜ ଇଚ୍ଛାପତ୍ରରେ  ଏଭଳି ଜଣେ ବ୍ୟକ୍ତିଙ୍କ ନାଁରେ ୫୦୦  କୋଟି ଟଙ୍କାରୁ ଅଧିକ କରିଛନ୍ତି,  ଯାହାଙ୍କ ବିଷୟରେ କେହି ଜାଣନ୍ତି  ନାହିଁ । ସେ ହେଲେ ଜାମସେଦପୁର ବାସିନ୍ଦା ମୋହିନୀ ମୋହନ ଦତ୍ତା । 

ଦତ୍ତାଙ୍କୁ ରତନ ଟାଟାଙ୍କ ସମ୍ପତ୍ତିରୁ  ୫୦୦ କୋଟି ଟଙ୍କାରୁ ଅଧିକ ମିଳିବ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରତନ ଟାଟା ଏବଂ ମୋହିନୀ ମୋହନ ଦତ୍ତାଙ୍କ ସମ୍ପର୍କ ବହୁ ବର୍ଷ ପୁରୁଣା । ତେବେ ବେଶି ଲୋକ ଏହା ବିଷୟରେ ଜାଣନ୍ତି ନାହିଁ । ଇଚ୍ଛାପତ୍ରରେ ଦତ୍ତାଙ୍କ ନାଁ ଟାଟା ପରିବାରକୁ ଚକିତ କରିଛି । 

ଟାଟାଙ୍କ ସହ ମୋହିନୀ ମୋହନ  ଦତ୍ତାଙ୍କ ପ୍ରଥମ ଦେଖା ୧୯୬୦ ଦଶକ  ଆରମ୍ଭରେ ଜାମସେଦପୁରର ଡିଲର୍ସ  ହଷ୍ଟେଲରେ ହୋଇଥିଲା । ଏହି  ଦେଖାରେ ଦତ୍ତାଙ୍କ ଜୀବନ ବଦଳିଗଲା । ସେତେବେଳେ ରତନ ଟାଟାଙ୍କୁ ୨୪  ବର୍ଷ ବୟସ ହୋଇଥିଲା । ଦତ୍ତା ଏବେ  ବୟସର ୮୦ ଦଶକରେ ଅଛନ୍ତି । ସେ  ନିଜ କ୍ୟାରିୟରର ଆରମ୍ଭ ତାଜ ଗ୍ରୁପ୍‌  ସହ କରିଥିଲେ ଏବଂ ଏହା ପରେ  ଷ୍ଟାଲିଅନ୍‌ ଟ୍ରାଭେଲ ଏଜେନ୍ସି ନାମରେ ନିଜର ଏକ କମ୍ପାନି ଆରମ୍ଭ କରିଥିଲେ, ଯାହାର ମିଶ୍ରଣ ୨୦୧୩ରେ ତାଜ  ଗ୍ରୁପ୍‌ ଅଫ୍‌ ହୋଟେଲ୍ସର କମ୍ପାନି ତାଜ୍‌  ସର୍ଭିସେସ୍‌ ସହ ହୋଇଥିଲା । 

ମୋହିନୀ  ମୋହନ ଦତ୍ତା ଏବଂ ତାଙ୍କ ପରିବାରର  ଷ୍ଟାଲିଅନ୍‌ରେ ୮୦% ଅଂଶଧନ ରହିଲା ।  ଅବଶିଷ୍ଟ ଅଂଶ ଟାଟା ଇଣ୍ଡଷ୍ଟ୍ରିଜ୍‌  ପାଖରେ ଥିଲା । ଏହି କମ୍ପାନିକୁ  ପରେ ଟାଟା କ୍ୟାପିଟାଲ କିଣିଲା ଏବଂ  ଏହାକୁ ଥମାସ୍‌ କୁକ୍‌(ଭାରତ)କୁ  ବିକ୍ରି କରିଦେଲା । ଏବେ ଏହା ଟିସି  ଟ୍ରାଭେଲ ସର୍ଭିସେସ୍‌ ନାମରେ କାର୍ଯ୍ୟ କରୁଛି ଏବଂ ଦତ୍ତା ଏହାର ନିର୍ଦ୍ଦେଶକ ।  ଶ୍ରୀ ଦତ୍ତାଙ୍କ ପାଖରେ ଆଗକୁ ପୁଞ୍ଜି  ବଜାରରେ ସୂଚୀଭୁକ୍ତ ହେବାକୁ ଥିବା  ଟାଟା କ୍ୟାପିଟାଲ ସମେତ ଟାଟା ଗ୍ରୁପ୍‌  କମ୍ପାନିଗୁଡ଼ିକର ସେୟାର ଅଛି ।