ଭୁବନେଶ୍ୱର,୧୪/୦୬: ମୌସୁମୀ ଆସି ଛୁଇଁଦେଲା, କିନ୍ତୁ ବର୍ଷା ନାହିଁ । ବିସ୍ତୃତ ଅଞ୍ଚଳରେ ବର୍ଷାର ସମ୍ଭାବନା ବି ଦେଖାଯାଉନି । ଏପଟେ ଗରମ, ଗୁଳୁଗୁଳି ଜାରି ରହିଛି । ସାଧାରଣ ଲୋକେ କହୁଛନ୍ତି, ଏ କି ପ୍ରକାର ବର୍ଷା ବିହୀନ ମୌସୁମୀ? ପାଣିପାଗ ବିଶେଷଜ୍ଞ କହୁଛନ୍ତି, ଏଥର ମୌସୁମୀ ଆରମ୍ଭରୁ ଦୁର୍ବଳ ରହିଛି । ଏମିତିରେ କେବଳ ଲଘୁଚାପ ହିଁ ଭରସା । ଯଦି ଲଘୁଚାପ ହେବ, ମୌସୁମୀ ବର୍ଷା ଆଗେଇବ । ନଚେତ୍ ଏମିତି ସ୍ଥିତି ଲାଗି ରହିବ ।

ଗତକାଲି ସରପ୍ରାଇଜ୍ କରିଦେଇଥିଲା ପାଣିପାଗ ବିଭାଗର ମୌସୁମୀ ଘୋଷଣା । ଉତ୍ତର ଓଡ଼ିଶା ଦେଇ ମୌସୁମୀ ଆସିଥିବା ଚିତ୍ର ଆଙ୍କି ଦେଖାଇ ଦେଲେ । ଆଶା କରାଯାଉଥିଲା, ଶନିବାର ରାଜ୍ୟରେ ଭଲ ବର୍ଷା ହେବ । ମାତ୍ର ପ୍ରାୟତଃ ଅଞ୍ଚଳ ଶୁଖିଲା ପଡ଼ିଛି । ବର୍ଷା ନାହିଁ । ଓଲଟା କାଲି ତୁଳନାରେ ଖରା ପ୍ରକୋପ ବଢ଼ିଯାଇଛି । ଯେଉଁଠି କାଲି ମୌସୁମୀ ଛୁଇଁଥିଲା, ଆଜି ସେଇ ଭଦ୍ରକରେ ତାପମାତ୍ରା ୪୦ ଡିଗ୍ରୀ, ଚାନ୍ଦବାଲିରେ ୩୯.୭, ବାରିପଦାରେ ୩୯.୪, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ୱରରେ ୩୮ ଡିଗ୍ରୀ ପାର୍ କରିଥିଲା । ଦିନ ଭିତରେ ଦକ୍ଷିଣରେ କାଁ ଭାଁ ବର୍ଷା ହୋଇଥିବା ପାଣିପାଗ ବିଭାଗ ରିପୋର୍ଟରୁ ଜଣାପଡ଼ିଛି । ଚଳିତ ଜୁନ୍ ମାସରେ ଏଯାଏଁ ୩୮% ବର୍ଷା ନିଅଣ୍ଟିଆ ରହିଛି । ଗତ ୨୪ ଘଣ୍ଟାର ରେକର୍ଡ କହୁଛି, ରାଜ୍ୟରେ ହାରାହାରି ୪.୩ ମିଲିମିଟର ବର୍ଷା ହୋଇଛି । ଅର୍ଥାତ୍ ୫୬% କମ୍ ବର୍ଷା ହୋଇଛି । ବାଲେଶ୍ୱରରେ ୯୯%, ମୟୂରଭଞ୍ଜରେ ୯୮% ବର୍ଷା କମ୍ ହୋଇଛି ଗତ ୨୪ ଘଣ୍ଟାରେ । ଆଶ୍ଚର୍ଯ୍ୟ କରିଛି ଏମିତିକି ବର୍ଷାହୀନ ମୌସୁମୀ ।

ଅଧିକ ପଢ଼ନ୍ତୁ :- Raja 2026: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସ କରିବା ମଉଜ.....

ପାଣିପାଗ ବୈଜ୍ଞାନିକ କହିଛନ୍ତି, ଏ ବର୍ଷ ମୌସୁମୀ ପୂରା ଦୁର୍ବଳ ରହିଛି । ନା ଆରବ ସାଗରୀୟ ଶାଖାରେ ବଳ ଅଛି ନା ବଙ୍ଗୋପସାଗରୀୟ ଶାଖା ସକ୍ରିୟ ଅଛି । ଅନ୍ୟପଟେ ଜମ୍ମୁ ଆଡ଼ୁ ପଶ୍ଚିମା ଝଡ଼ ଆସିଲାଣି । ଯଦି ୨/୪ ଦିନରେ ମୌସୁମୀ ସକ୍ରିୟ ନ ହେବ, ତେବେ ଆଗକୁ ବର୍ଷା ଆହୁରି କମିପାରେ । କାରଣ ପଶ୍ଚିମା ଝଡ଼ ପଛରେ ଶୁଷ୍କ ପବନ ଆସିଥାଏ । ୧୮/୧୯ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସମ୍ଭାବନା ଥିବା ପୂର୍ବରୁ ଅନୁମାନ କରାଯାଇଥିଲା । ଏବେ ସ୍ପଷ୍ଟ କୁହାଯାଇପାରିବ ନାହିଁ । ଯଦି ଏହି ଲଘୁଚାପ ହେବ, ତେବେ ମୌସୁମୀ ଆଗକୁ ବର୍ଷା କରାଇବ । ନଚେତ୍ ସ୍ଥିତି ଚିନ୍ତାଜନକ ହୋଇପାରେ ।

କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମୌସୁମୀ ଉପକୂଳ ଅଞ୍ଚଳରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି । ଏହା ସତ୍ତେ୍ୱ ସାରା ରାଜ୍ୟରେ ବ୍ୟାପକ ଓ ଚାଷ ପାଇଁ ଉପଯୋଗୀ ବର୍ଷା ହେବାରେ ବିଳମ୍ବ ହୋଇପାରେ । ପାଣିପାଗ ମଡେଲ୍ ଅନୁସାରେ ୧୯ରୁ ୨୧ ତାରିଖ ବେଳକୁ ବର୍ଷା ସ୍ଥିତିରେ କିଛି ପରିମାଣରେ ସୁଧାର ଆସିପାରେ । ତେବେ କୌଣସି ଲଘୁଚାପ କିମ୍ବା ଅବପାତ ସୃଷ୍ଟି ହେଉନଥିବାରୁ ଲଗାତାର ପ୍ରବଳ ବର୍ଷା ହେବନି । ମୁଖ୍ୟତଃ ହାଲୁକାରୁ ମଧ୍ୟମ ଧରଣର ବିରତିଆ ବର୍ଷା ହୋଇପାରେ । ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ସାରା ରାଜ୍ୟରେ ଏକସଙ୍ଗେ ବର୍ଷା ବଦଳରେ ଧୀରେ ଧୀରେ ପର୍ଯ୍ୟାୟକ୍ରମେ ଆଗକୁ ବଢ଼ିବ ।

 

ପ୍ରଫେସର ପଶୁପାଳକ କହିଛନ୍ତି, ଏଥର ବର୍ଷାର ଅସମାନ ବଣ୍ଟନ ଓ ମୌସୁମୀ ଆସିବା ପରେ ବି ଶୁଖିଲା ପାଗ କୃଷି ପାଇଁ ମୁଖ୍ୟ ଚିନ୍ତା । ତେଣୁ ଚାଷୀମାନେ ମୌସୁମୀ ଆସିବା ତାରିଖକୁ ନ ଦେଖି ବର୍ଷାର ନିରନ୍ତରତା, ମାଟିର ଓଦାଭାବ(ଆର୍ଦ୍ରତା)କୁ ଦେଖି ବିହନ ବୁଣିବା ଉଚିତ । ବର୍ତ୍ତମାନ ସ୍ଥିତି ଅନୁସାରେ ଉପକୂଳ ଓଡ଼ିଶାରେ ୧୯-୨୨୨, ପଶ୍ଚିମରେ ୧୯-୨୩, ଉତ୍ତର-କେନ୍ଦ୍ରୀୟ ଓଡ଼ିଶାରେ ୨୦ରୁ ୨୪ ଜୁନ୍ ବିହନ ବୁଣିବା ପାଇଁ ଅନୁକୂଳ ସମୟ ଜଣାପଡ଼ୁଛି । ଏହା ସ୍ଥାନୀୟ ବର୍ଷା ଓ ଜମିର ବତର ସ୍ଥିତି ଉପରେ ନିର୍ଭର କରୁଛି 

ପାଣିପାଗ ବିଭାଗ କହିଛି, ରବିବାର ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ କେତେକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା, ପବନ ଆଶଙ୍କା ଅଛି । ଉପକୂଳ ଓଡ଼ିଶାରେ ଗରମ, ଗୁଳୁଗୁଳି ଲାଗି ରହିପାରେ ।