ନୂଆଦିଲ୍ଲୀ ୧୧/୦୪: ଚଳିତ କ୍ୟାଲେଣ୍ଡର ବର୍ଷରେ ଭାରତୀୟ  ଅର୍ଥବ୍ୟବସ୍ଥା ୬.୧% ହାରରେ ବଢ଼ିବ ।  ମୁଡିସ୍‌ ରେଟିଙ୍ଗ୍‌ସ ଗୁରୁବାର ଭାରତୀୟ ଅର୍ଥନୀତି ପାଇଁ ଏହାର ଅଭିବୃଦ୍ଧି  ଅନୁମାନକୁ ଖସାଇଛି । ପୂର୍ବରୁ ଏହା  ୬.୪% ଅନୁମାନ କରିଥିଲା । ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କନୀତି  ଯୋଗୁ ମୁଡିସ୍‌ ଏହାର ପୂର୍ବାନୁମାନକୁ  ସଂଶୋଧିତ କରିଛି । ଏହା ପ୍ରକାଶ କରିଛି  ଯେ, ହୀରା, ପୋଷାକ ଏବଂ ମେଡିକାଲ  ଉପକରଣଗୁଡ଼ିକ ଉପରେ ଶୁଳ୍କ ଦ୍ୱାରା  ରପ୍ତାନି ଖସିବାର ଆଶଙ୍କା ରହିଛି ।  ଏହାଦ୍ୱାରା ଆମେରିକା ସହ ବାଣିଜ୍ୟ  ନିଅଣ୍ଟ ବଢ଼ିପାରେ । ମୁଡିସ୍‌ ପ୍ରକାଶ  କରିଛି ଯେ, ଟାରିଫ୍‌ ଉପରେ ଟ୍ରମ୍ପଙ୍କ  ୯୦ ଦିନର ସ୍ଥଗିତାଦେଶ ଦ୍ୱାରା କିଛିଟା  ଆଶ୍ୱସ୍ତି ମିଳିପାରେ କିନ୍ତୁ ଟାରିଫ୍‌ ସମ୍ପୂର୍ଣ୍ଣ  ଭାବେ ଲାଗୁ ହେବା ଦ୍ୱାରା ଭାରତର ଜିଡିପି  ଅଭିବୃଦ୍ଧି ୦.୩% ପର୍ଯ୍ୟନ୍ତ ଖସିବ । 

ଆର୍ଥିକବର୍ଷ ୨୦୨୫-୨୬ରେ  ଭାରତୀୟ ଅର୍ଥବ୍ୟବସ୍ଥା ୬.୫% ହାରରେ  ବଢ଼ିବ । ଏହା ୨୦୨୪-୨୫ର ୬.୩%  ଅଭିବୃଦ୍ଧି ଅନୁମାନ ତୁଳନାରେ ଅଧିକ ।  ମୁଡିସ୍‌ ରିପୋର୍ଟ ଅନୁସାରେ, ସରକାର  ଅଧିକ ପୁଞ୍ଜି ଖର୍ଚ୍ଚ କରିବେ । ଏହାବ୍ୟତୀତ  ଟିକସ ଏବଂ ସୁଧ ହାରରେ ହ୍ରାସ ଦ୍ୱାରା  ଖର୍ଚ୍ଚ ବଢ଼ିବ, ଯାହା ଅଭିବୃଦ୍ଧିକୁ ସହାୟକ  ହେବ । ଏହି ଅବଧିରେ ବ୍ୟାଙ୍କିଙ୍ଗ୍‌  କ୍ଷେତ୍ରରେ ସ୍ଥିରତା ରହିବ । ଭାରତୀୟ  ବ୍ୟାଙ୍କଗୁଡ଼ିକର ପରିଚାଳନାଗତ  ପରିବେଶ ଆସନ୍ତା ଆର୍ଥିକବର୍ଷରେ  ଅନୁକୂଳ ରହିବ କିନ୍ତୁ ଗତ ବର୍ଷରେ  ଜରୁରୀ ସୁଧାର ପରେ ବ୍ୟାଙ୍କଗୁଡ଼ିକର  ଆସେଟ୍‌ ମାନରେ ହ୍ରାସ ଦେଖାଦେବ ।  

ଆର୍ଥିକବର୍ଷ ୨୦୨୪-୨୫ର  ଅକ୍ଟୋବର-ଡିସେମ୍ବର ତ୍ରୟମାସରେ  ଜିଡିପି ଅଭିବୃଦ୍ଧି ୬.୨% ରହିଥିଲା ।  ବର୍ଷେ ତଳେ ସମାନ ଅବଧିରେ ଏହା  ୮.୪% ଥିଲା । ଜାତୀୟ ପରିସଂଖ୍ୟାନ  କାର୍ଯ୍ୟାଳୟ(ଏନ୍‌ଏସ୍‌ଓ) ଫେବ୍ରୁଆରୀ  ୨୮ରେ ଏହି ତଥ୍ୟ ଜାରି କରିଛି ।  ୨୦୨୪-୨୫ ଆର୍ଥିକବର୍ଷରେ ଅର୍ଥନୀତି  ୬.୫% ହାରରେ ବଢ଼ିବାର ଅନୁମାନ  ରହିଛି । ଏହାପୂର୍ବରୁ ଜାନୁଆରୀରେ ଜାରି  କରାଯାଇଥିବା ଅନୁମାନରେ କୁହାଯାଇଥିଲା  ଯେ, ୨୦୨୪-୨୫ରେ ଭାରତର ବିକାଶ  ହାର ୬.୪% ରହିବ, ଯାହାକି ୪ ବର୍ଷର  ସର୍ବନିମ୍ନ ସ୍ତର । ୨୦୨୩-୨୪ରେ ଜିଡିପି  ଅଭିବୃଦ୍ଧି ହାର ୮.୨% ଥିଲା ।