moon​​​​​​​

'ଜହ୍ନ ଛିଡେ, ବଢ଼େ । ଅନ୍ଧାରରୁ ଆଲୁଅର ପୂର୍ଣ୍ଣତା ପର୍ଯ୍ୟନ୍ତ ଧିମେଇ ଧିମେଇ ଦଉଡ଼େ ଏବଂ ଶେଷରେ ପାଏ ରୁପାଥାଳି । କୋଟି କୋଟି ଆଖିରେ ଫଟୋ ପରି ଲାଖିଯାଏ । କିନ୍ତୁ ଆମର ସଚ୍ଚି ରାଉତରାୟ ଏହି ରୁପାଥାଳିର ଅବମୂଲ୍ୟାୟନ କରି ‘ଟିଣର ଜହ୍ନ’ କହନ୍ତି । ଜହ୍ନଟା ରୁପାର ହେଉ, ଟିଣର ହେଉ, ତାକୁ ପୂର୍ଣ୍ଣିମା ବିନା ଦେଖିବା ଲାଗି ଲୋକେ ରାତିଜଗା ପକ୍ଷୀ ହୁଅନ୍ତି ।'

ଭାରତର ସନାତନ ପରମ୍ପରାରେ ସୂର୍ଯ୍ୟ ଓ ଚନ୍ଦ୍ର ଭାବ ବିଶ୍ୱରେ ଅତିମାତ୍ରାରେ ତାତ୍ପର୍ଯ୍ୟପୂର୍ଣ୍ଣ । ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ନେଇ ଆମର ପାଞ୍ଜି, କାଲେଣ୍ଡର ବା ସମୟଧାରା ପାଳିତ ହୁଏ । ସଭ୍ୟତା ଆରମ୍ଭ ପୂର୍ବରୁ ଏଇ ସୂର୍ଯ୍ୟ-ଚନ୍ଦ୍ର ହିଁ ଆମର ସାଂସ୍କୃତିକ ଜୀବନର ଦିବାରାତିର କାବ୍ୟଶ୍ରୁତି ଥିଲେ ଏବଂ ଆଜି ମଧ୍ୟ ଅଛନ୍ତି । ସଙ୍ଗୀତ, କାବ୍ୟକବିତା, ଚିତ୍ର, ସ୍ଥାପତ୍ୟ ସବୁଠି ସୂର୍ଯ୍ୟଚନ୍ଦ୍ର ବିଦ୍ୟମାନ । କିନ୍ତୁ ଚନ୍ଦ୍ର ଭାରତୀୟ ଜୀବନରେ ବେଶି ଆଦୃତ, ଯେହେତୁ ଚନ୍ଦ୍ର ଶୀତଳ ଜ୍ୟୋତ୍ସ୍ନାରେ ମନରେ ଜୁଆର ସୃଷ୍ଟି କରନ୍ତି । ପ୍ରେମଭାବ ଜାଗ୍ରତ କରନ୍ତି । ବିରହକୁ ଅତିମାତ୍ରାରେ କାବ୍ୟିକ କରନ୍ତି, ନାରୀକୁ ଅନେକ ସମୟରେ ଚନ୍ଦ୍ରମୁଖୀ କୁହାଯାଏ । ପିଲାଏ ଜହ୍ନମାମୁ କହିବା ଲାଗି ମାଆମାନଙ୍କଠୁଁ ଶିଖନ୍ତି ପିଲାଦିନୁ । ଅର୍ଥାତ୍‌ ଜହ୍ନ ଆମର ଅତିପ୍ରିୟ ସଂପର୍କୀୟ । ଜହ୍ନ ଆମର ମାମୁ, ଆମ ମାଆର ଭାଇ । ଶିଶୁପୁତ୍ରକୁ ଶୁଆଇବା ପାଇଁ ମାଆ ଗାଏ- ଆ ଜହ୍ନମାମୁ ସରଗଶଶୀ, ମୋ କାହ୍ନୁ ହାତରେ ପଡ଼ ତୁ ଖସି । ଜହ୍ନ ଏକ ସୁନ୍ଦର ରତ୍ନ ପରି ମନଲୋଭା । ଛୋଟପିଲା ବଢ଼ିଲାବେଳେ ଲୋକେ କହନ୍ତି ଚନ୍ଦ୍ରକଳା ପରି ବଢ଼ୁଛି । ଚନ୍ଦ୍ରକୁ ମଣିଷର ଜୀବନ ସହିତ ତୁଳନା କରାଯାଏ । ଚନ୍ଦ୍ର ଗୋଟିଏ ଜୀବନ ମେଟାଫର ।

ଅମାବାସ୍ୟାର ଅନ୍ଧାରରୁ ତାର ଯାତ୍ରା ପୂର୍ଣ୍ଣମୀର ଗୋଲାପି ଜ୍ୟୋତ୍ସ୍ନା ଯାକେ । ବହୁ ପ୍ରେମବିରହର ଏକ ଅତି ପୁରାତନ ମେଟାଫର । ଜହ୍ନକୁ ଆମେ ଉଭୟ ଲିଙ୍ଗରେ ବ୍ୟବହାର କରୁ । ପାଶ୍ଚାତ୍ୟ ସଂସ୍କୃତିରେ ଜହ୍ନକୁ ସ୍ତ୍ରୀଲିଙ୍ଗ ଓ ପୁ-ଲିଙ୍ଗ ବ୍ୟବହାର କରାଯାଏ । ଆମେ ମଧ୍ୟ ମାମୁ କହୁ ଏବଂ ସବୁ ସୁନ୍ଦର ଦ୍ରବ୍ୟ ବା ନାରୀ ସହିତ ଯୋଡ଼ିଦେଉ । ଟି.ଏସ. ଇଲିୟଟ ମଧ୍ୟ ଚନ୍ଦ୍ରକୁ ସ୍ତ୍ରୀ ଲିଙ୍ଗରେ ବ୍ୟବହାର କରିଛନ୍ତି । ଇଂରାଜିରେ ମୁନ୍‌ ଏବଂ ଗ୍ରୀକ୍‌ ଭାଷାରେ ଆଟିମିସ୍‌ ଏବଂ ଡାଏନା ମଧ୍ୟ ବ୍ୟବହୃତ ହୁଏ । କିନ୍ତୁ ଭାରତରେ ଜ୍ୟୋତିଷ ଶାସ୍ତ୍ରର ନବଗ୍ରହ ପରିକଳ୍ପନାରେ ଚନ୍ଦ୍ର ପୁରୁଷ ଭାବେ ସ୍ୱୀକୃତ । କିନ୍ତୁ କବିମାନେ ଚନ୍ଦ୍ରକୁ ନାରୀମୁଖ ସହିତ ଯୋଡ଼ନ୍ତି ଉପମା ଓ ରୂପକ ଭାବେ । କିନ୍ତୁ ଆଜିର ପିଢ଼ି ପାଇଁ ଚନ୍ଦ୍ର କେବଳ ଏକ ଉପଗ୍ରହ, ଯାହା ପୃଥିବୀ ଚାରିପଟେ ଘୂରେ । ପୃଥିବୀର ଅନେକ ରାଷ୍ଟ୍ର ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ସାରିଛନ୍ତି । ଭାରତର ଚନ୍ଦ୍ରଯାନ ମଧ୍ୟ ଚନ୍ଦ୍ରର ପୃଷ୍ଠଭାଗରେ, ଯାହା ଆମକୁ ଦେଖାଯାଏନାହିଁ । ସେଇଠି ଓହ୍ଲାଇ ବିଶ୍ୱକୁ ଚକିତ କରିଥିଲା । ପିଲାମାନେ ଚନ୍ଦ୍ରକୁ ସେହି ଉପଗ୍ରହ ଭାବେ ପଢ଼ନ୍ତି । କିନ୍ତୁ ମଣିଷର ପାଦଚିହ୍ନ ଓ ଯାନର ଖୁରା ଦାଗ ବହନ କରି ମଧ୍ୟ ଚନ୍ଦ୍ର ଆଜି ମଧ୍ୟ ଅନେକ ତୃଷ୍ଣାର ଜଳ ପରି ଲୋଭନୀୟ । ସମୁଦ୍ର କୂଳରେ ଜହ୍ନକୁ ଚାହିଁ ବାଲିରେ ରାତି ପୁହାଇଦେବା ଲୋକଙ୍କ ସଂଖ୍ୟା କିଛି କମ୍‌ ନୁହେଁ । ମୁଁ ମଧ୍ୟ ଅପଲକ ରାତି ଏଇ ଜହ୍ନକୁ ଚାହିଁ ଗୋପାଳପୁର ସମୁଦ୍ରତୀର ଓ ଗଙ୍ଗା-ଯମୁନା-ସରସ୍ୱତୀ ସଙ୍ଗମ କୂଳରେ କଟାଇଛି । ପ୍ରେମିକ ପ୍ରେମିକାମାନେ ଜହ୍ନକୁ ଦୂର ଗାଁର ପ୍ରିୟକୁ ସନ୍ଦେଶ ଦେବାଲାଗି ଅନୁରୋଧ କରନ୍ତି ଏବେ ମଧ୍ୟ ।

 ସିନେମାରେ ଲକ୍ଷାଧିକ ଗୀତ ଏଇ ମର୍ମରେ ବୋଲାଯାଇଛି ଏବଂ ତାକୁ ଏବେ ମଧ୍ୟ ଲୋକେ ଶୁଣନ୍ତି । ଏବେ ବି ମୁଁ ଗାଏ । ଏମିତି ଲକ୍ଷାଧିକ ଗୀତ ରହିଛି ସବୁ ଭାରତୀୟ ଭାଷାରେ । କବିତାରେ ଜହ୍ନ ମେଟାଫର ବିରହ-ମିଳନର ଅସରନ୍ତି ଭାବଉତ୍ସଳା ଦିଏ । ଓଡ଼ିଆର ‘ରଙ୍ଗବତୀ’ ଗୀତରେ ଦୁନିଆ ନାଚେ । ‘ଭଙ୍ଗା ଘରେ ଚକା ଚହ୍ନ’ ଏକ ଅଭୁଲା ଚିତ୍ର ଛାପିଦିଏ ସବୁ ମନରେ । ଏ ଜହ୍ନ ଗରିବ ଧନୀ, ରୋଗୀ ଭୋଗୀ, ପ୍ରେମୀ ବିରହୀ ସମସ୍ତଙ୍କର ଆପଣାର । ଏ ଜହ୍ନ ହସାଏ, କନ୍ଦାଏ । ଅମାବାସ୍ୟାର ଅନ୍ଧାରରେ ବି ଚନ୍ଦ୍ରର ପ୍ରେମମୟ ରୂପ କବି ଦେଖେ । ‘ଅମାବାସ୍ୟାର ଚନ୍ଦ୍ର’ ଓଡ଼ିଆ ଭାଷାରେ ଏକ ବହୁପଠିତ ଉପନ୍ୟାସ । ଦ୍ୱିତୀୟ ଯାମିନୀ, ଚତୁର୍ଥୀର ଫିକା ଜହ୍ନ, ଅଷ୍ଟମୀର ଜହ୍ନ... ଲମ୍ବିଯାଇଛି ପୂର୍ଣ୍ଣିମା ପର୍ଯ୍ୟନ୍ତ । ଏ ଜହ୍ନ ମଧୁଝରା... । ଶିବ ମସ୍ତକର ଶୋଭା, ସୁନ୍ଦରୀ ଛାତିର ଚନ୍ଦ୍ର ହାର, ଚନ୍ଦ୍ର କାବ୍ୟ କବିତା ଗଳ୍ପ ଉପନ୍ୟାସରେ ବହୁଳ ଭାବେ ବ୍ୟବହୃତ ଉପମା ରୂପକ । ତେବେ ସେ ଚନ୍ଦ୍ରଟା କ’ଣ? ଏ ପ୍ରଶ୍ନର ଉତ୍ତର ସ୍ୱପ୍ନଭଙ୍ଗ ସୃଷ୍ଟିକରେ । ପାଠ କହେ ଚନ୍ଦ୍ର କେବଳ ଏକ ଉପଗ୍ରହ, ଯାହା ପୃଥିବୀ ଚାରିପଟେ ସୂର୍ଯ୍ୟ ପାଖେ ପାଖେ ଘୂରେ । ଏହାର ନିଜସ୍ୱ ଆଲୋକ ନାହିଁ । ଏହା ସୂର୍ଯ୍ୟାଲୋକ ଦ୍ୱାରା ପୁଷ୍ଟ ଏବଂ ଆଲୋକ ପ୍ରତିଫଳନ କରେ । ସୂର୍ଯ୍ୟ-ପୃଥିବୀଚନ୍ଦ୍ର ସମସ୍ତେ ଘୂର୍ଣ୍ଣାୟମାନ । ଚନ୍ଦ୍ର ପୃଥିବୀ ପରିକ୍ରମା କରିବା ଲାଗି ୨୭ଦିନ ୭ଘଣ୍ଟା ୪୩ସେକେଣ୍ଡ ନିଏ । ଏହି ଘୂର୍ଣ୍ଣନ ସମୟ ନାରୀର ଋତୁଚକ୍ର ଭାବେ ଗ୍ରହଣ କରାଯାଏ । ଅବଶ୍ୟ ଏହାର ବୈଜ୍ଞାନିକ ପ୍ରାମାଣିକତା ଏଠି ଅନାବଶ୍ୟକ । କିନ୍ତୁ ଚନ୍ଦ୍ର ସବୁବେଳେ ଦୃଶ୍ୟ ବଦଳାଇ ଚାଲେ, ଯେହେତୁ ସୂର୍ଯ୍ୟାଲୋକ ଏହାର ଗୋଟିଏ ପାଖ ଆଲୋକିତ କରେ । ଯେହେତୁ ଏହା ପୃଥିବୀ ଚାରିପଟେ ଘୂରେ । କେତେବେଳେ କେଉଁ ପାଖ ଆଲୋକିତ ହୁଏ ଏବଂ କେତେ ଅଂଶ ଦୃଶ୍ୟମାନ ହୁଏ । ଆମେ ଏହାକୁ ଚନ୍ଦ୍ରକଳାର କ୍ଷୟବୃଦ୍ଧି କହୁ । ତେଣୁ ପୂର୍ଣ୍ଣିମା-ଅମାବାସ୍ୟା ସୃଷ୍ଟିହୁଏ ।

ଅନ୍ଧାରରୁ ଆଲୋକର ଯାତ୍ରାକୁ ନେଇ ଆମେ ଆମର ତିଥି ଇତ୍ୟାଦି କରୁ । ଚାନ୍ଦ୍ରମାନ ମାସ-ବର୍ଷ କରୁ । ପୂଜାପର୍ବ ପାଳନ କରୁ । କିନ୍ତୁ ପାଠ କହେ ଏହା ଏକ ନିର୍ଜୀବ ଗୋଲକ । ଏଠି ପାଣି ନାହିଁ । ଯେଉଁ ଫଟୋ ସବୁ ଗତ ୮୦ବର୍ଷ ଭିତରେ ଆସିଛି ଏବଂ ଆମର ଚନ୍ଦ୍ରଯାନ-୩ ପଠାଇଚି ତାକୁ ଦେଖିଲେ ଇଲିୟଟଙ୍କ ଧାଡ଼ି ମନେପଡ଼ିଯାଏ- ବସନ୍ତର ଧୂଆଁଦାଗ ଜହ୍ନ ମୁହଁକୁ ବିକୃତ କରେ । ଜହ୍ନପୃଷ୍ଠର ଫଟୋ ସବୁ ଦେଖିଲେ ଦୁଃଖ ଲାଗେ । ‘ଚିତ୍ରପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ଚିରି ଭିତର ଦେଖ କି ନାରଖାର ରେ...’ ଯାହା ମଣିଷର ସୁଗଠିତ ଦେହ ଓ ରୂପ-ତେଜ ଉପରେ କୁହାଯାଇଛି ତାହା ଜହ୍ନ ଲାଗି ମଧ୍ୟ ପ୍ରଯୁଜ୍ୟ । ବିଶାଳ ଆକାଶର ପ୍ରେମିକାବେଷ୍ଟିତ (ତାରାବେଷ୍ଟିତ) ଚନ୍ଦ୍ର ଯେ ଖମାଖାଲ ଗହ୍ୱରପୂର୍ଣ୍ଣ ଓ ସେଠି ପାଣି ନାହିଁ କି ଅମ୍ଳଜାନ ନାହିଁ । ଚରମ ଶୂନ୍ୟତା ଛଡ଼ା କୌଣସି ପୂର୍ଣ୍ଣତାର ସମ୍ଭାବନା ନାହିଁ, ବାସ୍ତବିକ ନୈରାଶ୍ୟ ଆମେ ମନରେ । ଏଣୁ ଆମର ସରଗଶଶୀ! ବୈଜ୍ଞାନିକମାନେ ସାରା ଚନ୍ଦ୍ରପୃଷ୍ଠର ଫଟୋ ନେଇ ସାରିଲେଣି । ଚନ୍ଦ୍ରର ଧୂଳିମାଟିର ପରୀକ୍ଷା ଭାରତ, ଆମେରିକା, ରୁଷିଆ, ଚୀନରେ ଚାଲିଛି । ପାଣି ହୁଏତ ଦିନେ ଥିଲା, ଦିନେ ଜୀବନ ଥିଲା, ଜୀବଜନ୍ତୁ ଥିଲେ ବା କିଛି ନଥିଲା ଏବଂ ନାହିଁ ତାର ପରୀକ୍ଷା ଚାଲିଛି । ପାଣି ପବନ ଆଲୋକ ନଥିବା ଏକ ଗାତ ଖାଲଖମାପୂର୍ଣ୍ଣ ଜଡ଼ପିଣ୍ଡ କେବଳ ମାଧ୍ୟାକର୍ଷଣ ଶକ୍ତିଦ୍ୱାରା ଘୂରୁଛି । ବିଶ୍ରାମ ବିରାମହୀନ ଏ ଯାତ୍ରା । ଆମର ପୃଥିବୀ ମଧ୍ୟ ଅଣନିଶ୍ୱାସୀ ହେଇ ଘୂରୁଛି ସୂର୍ଯ୍ୟ ଚାରିପଟେ । ସମସ୍ତେ ନିଜ ନିଜର କକ୍ଷ ଚାରିପଟେ ଘୂରୁଛନ୍ତି ବିନା ଲକ୍ଷ୍ୟରେ । ଏ ଘୂର୍ଣ୍ଣନର କିଛି ଉଦ୍ଦେଶ୍ୟ ଅଛି କି ନାହିଁ ତା’ ଉପରେ ଖଗୌଳିକ ଗବେଷଣା ବୈଜ୍ଞାନିକ, ଦାର୍ଶନିକ ଅନୁଶୀଳନ ଚାଲିଛି ।

ଏଷ୍ଟ୍ରୋନୋମି, ଏଷ୍ଟ୍ରୋଲଜି, ମିଥ୍‌, କାବ୍ୟ କବିତା ସବୁଠି ଚନ୍ଦ୍ରକୁ ନେଇ ଆଲୋଚନା ହେଉଛି ମଣିଷର ଏପିକଟେକ୍ସ ବୃଦ୍ଧିହେବା ଦିନଠାରୁ । କ୍ରାଉନିଂ ଚନ୍ଦ୍ରକୁ ‘ପୀତଜହ୍ନ’ ଭାବେ ଦେଖିଥିବା ଯୋଗୁଁ ସାମଲୋଚିତ ହୋଇଥିଲେ । ଜହ୍ନ କେମିତି ହଳଦିଆ ଅର୍ଥାତ୍‌ ରକ୍ତହୀନ ଜଣ୍ଡିସ ଲକ୍ଷଣ ପରି ଦେଖାଯିବ? ଗୋପୀନାଥ ମହାନ୍ତି ମଧ୍ୟ ଜହ୍ନର ଅନେକ ରଙ୍ଗ ଦେଖିଛନ୍ତି ଲୟବିଲୟ ଓ ଅମୃତର ସନ୍ତାନରେ । ଚନ୍ଦ୍ରକୁ ରୁଟି ପରି ମଧ୍ୟ ଦେଖିଛନ୍ତି ଭୋକିଲା ବାମପନ୍ଥୀ କବି । ତେବେ ଜହ୍ନର ବାସ୍ତବ ଚିତ୍ରସବୁ ଭାରତର ନାନା ବୈଜ୍ଞାନିକ ପଠାଇବା ପରେ ଆମ ମାଆମାନେ ଆଉ ସରଗଶଶୀ ତାଙ୍କ କାହ୍ନୁ ହାତରେ ଖସିବା ଗୀତ ଗାଉନାହାଁନ୍ତି । ଅର୍ଥାତ୍‌ ମିଛ ଲୋଭ ଦେଖାଇ ଶିଶୁର ମନ ଭୁଲାଇ ତାକୁ ଶୁଆଇବା ଚେଷ୍ଟା କରୁନାହାଁନ୍ତି । କିନ୍ତୁ ପ୍ରେମିକ କ’ଣ ଜହ୍ନକୁ ଘଣ୍ଟା ଘଣ୍ଟା ଧରି ଚାହିଁବା ବନ୍ଦ କରିଛି? କବି କ’ଣ ଜହ୍ନକୁ କବାଟ କିଳିଛି? ବୋଧହୁଏ ନା, ହଁ । କାହିଁକି? କାହିଁକିନା, ମଣିଷ ଏପର୍ଯ୍ୟନ୍ତ ଭ୍ରମିତ ଆନନ୍ଦ ଖୋଜି ଚାଲିଛି । ମନଲୋଭା ମରୀଚିକା ପଛରେ ଧାଇଁ ଧଇଁସଇଁ ହେବା କ’ଣ ସିସିଫସ୍‌ ଅଭିଶାପଠାରୁ ବେଶି କଷ୍ଟକର? ନା, ବରଂ ନିଜେ ଠକି ହେଇଯିବାରେ ମଧ୍ୟ ଏକ ଜୀବନବୋଧ ରହିଛି ମହତ୍ତ୍ୱାକାଂକ୍ଷା ପ୍ରେମ, ଅଭିଳାଷ ଶେଷରେ ମରଣାନ୍ତକ ପୀଡ଼ା ଦିଏ ବୋଲି ସବୁ ଦେଶରେ ସବୁ ଭାଷାରେ ବିଜ୍ଞଲୋକମାନେ କହିଆସିଛନ୍ତି । କିନ୍ତୁ ମଣିଷ ଏପରି ବିଜ୍ଞତା କେମିତି ସ୍ୱୀକାର କରିବ? ଯାହା ପଙ୍ଗୁ ପରି ବସାଇଦିଏ ମଣିଷକୁ? ଯୁଦ୍ଧରେ କେହି ଜିତେନାହିଁ । ଉଭୟପକ୍ଷ ପରାଜିତ ହୁଅନ୍ତି ଶେଷରେ । ଏକଥା ସମସ୍ତେ ବୁଝନ୍ତି, କିନ୍ତୁ ବୁଝିବା ପରେ କ’ଣ ଯୁଦ୍ଧ ବନ୍ଦ ହେଇଯାଇଛି ପୃଥିବୀରେ? ନା ବନ୍ଦ ହେଇଯିବ? ପୂର୍ଣ୍ଣତା ମିଳେନାହିଁ ବା ମିଳିଲେ ମଧ୍ୟ ସ୍ଥାୟୀ ନୁହେଁ ବୋଲି ସମସ୍ତେ କହନ୍ତି । ବାଇବଲରେ କୁହାଯାଇଛି- ଇକ୍ଷକ୍ଷ ଗ୍ଧଷର ଜସଙ୍ଖରକ୍ସଗ୍ଦ ଲକ୍ଟଙ୍ଗ ସଦ୍ଭଗ୍ଧକ୍ଟ ଗ୍ଧଷର ଗ୍ଦରବ, ଚ୍ଚରଗ୍ଧ ଗ୍ଧଷର ଗ୍ଦରବ ସଗ୍ଦ ଦ୍ଭରଙ୍ଖରକ୍ସ ଲଙ୍କକ୍ଷକ୍ଷ. ସବୁ ନଦୀ ସମୁଦ୍ରରେ ମିଶନ୍ତି, କିନ୍ତୁ ସମୁଦ୍ର କେବେହେଲେ ପୂର୍ଣ୍ଣତା ପାଏନାହିଁ । ଏହା ପଢ଼ି ମୁଁ ପ୍ରଶ୍ନ କରେ, ସମୁଦ୍ରକୁ ପୂର୍ଣ୍ଣତା ଦେବାପାଇଁ କ’ଣ ନଦୀମାନେ ସମୁଦ୍ରରେ ପଶନ୍ତି? ନଦୀ ନିଜର ପୂର୍ଣ୍ଣତା ଖୋଜେ । ସମୁଦ୍ର ତାର ପୂର୍ଣ୍ଣତା ଖୋଜେ । ମଣିଷ ତାର ପୂର୍ଣ୍ଣତା ଖୋଜେ ।

ଇଲନ ମସ୍କ ଏତେ ଥାଇ ମଧ୍ୟ ଅପୂର୍ଣ୍ଣ, ତେଣୁ ସେ ଆହୁରି ଚାହାଁନ୍ତି ଆଧିପତ୍ୟ, ଯଶ ଏବଂ ପୌରୁଷର ପୂର୍ଣ୍ଣତା । କିନ୍ତୁ ଏହା ମଧ୍ୟ ଅପୂର୍ଣ୍ଣ ରହିଯିବ । ଏଇଆ ତ ଆମର ଜହ୍ନର ପ୍ରକୃତି! ଜହ୍ନ ଛିଡେ, ବଢ଼େ । ଅନ୍ଧାରରୁ ଆଲୁଅର ପୂର୍ଣ୍ଣତା ପର୍ଯ୍ୟନ୍ତ ଧିମେଇ ଧିମେଇ ଦଉଡ଼େ ଏବଂ ଶେଷରେ ପାଏ ରୁପାଥାଳି । କୋଟି କୋଟି ଆଖିରେ ଫଟୋ ପରି ଲାଖିଯାଏ । କିନ୍ତୁ ଆମର ସଚ୍ଚି ରାଉତରାୟ ଏହି ରୁପାଥାଳିର ଅବମୂଲ୍ୟାୟନ କରି ‘ଟିଣର ଜହ୍ନ’ କହନ୍ତି । ଜହ୍ନଟା ରୁପାର ହେଉ, ଟିଣର ହେଉ, ତାକୁ ପୂର୍ଣ୍ଣିମା ବିନା ଦେଖିବା ଲାଗି ଲୋକେ ରାତିଜଗା ପକ୍ଷୀ ହୁଅନ୍ତି । ଜହ୍ନରେ କଳଙ୍କ ଅଛି, ଦାଗ ଅଛି ଜାଣିଲା ପରେ ମଧ୍ୟ ପୂର୍ଣ୍ଣଚନ୍ଦ୍ର ହେବାଲାଗି ଅପେକ୍ଷା କରନ୍ତି ନିଜ ନିଜର ଜୀବନରେ । ଗ୍ରହଣ ଲାଗିଲେ ଉପାସ କରି ପ୍ରାର୍ଥନା କରନ୍ତି ‘ହେ ରାହୁ କେତୁ ଛାଡ଼ିଦିଅ, ମୁକ୍ତ କର ଆମ ଜହ୍ନକୁ । ଆମର ଅତି ଆପଣାର ଜହ୍ନକୁ’ । ଆମ ଉଆଁସ, ଅଧିବାସର ଗୋଲାପୀ ଗୋଲକକୁ ସବୁଦିନ ଆକାଶରେ ଝୁଲାଇବା ପାଇଁ ମନ୍ତ୍ର ଲେଖନ୍ତି । ମଣିଷ ହିଁ ଚନ୍ଦ୍ର । ପ୍ରତ୍ୟେକ ମଣିଷ ଅମାବାସ୍ୟା-ପୂର୍ଣ୍ଣିମା ଭିତରେ ଗତି କରେ । ଶିଖର ଉଠେ । ଶିଖରରୁ ଖସେ । ପୁଣି ଶିଖର ଛୁଏଁ । ପୁଣି ସଜାଇ ହୁଏ ଅସୁମାରୀ ଆକାଶରେ ବାସର ସାଜିବା ପାଇଁ ନକ୍ଷତ୍ରମାନଙ୍କ ସହ ଜ୍ୟୋତ୍ସ୍ନାବିହାର ପାଇଁ । ବାଃ! ଜୀବନ କି ସୁନ୍ଦର! ଜୀବନ କି ଅମୂଲ୍ୟ!