ଦେଶରେ ରେଳ ଚଳାଚଳ ବନ୍ଦ ନକରି ବ୍ୟାପକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ ଜାରି ରହିଛି

ନୂଆଦିଲ୍ଲୀ, ୧୦।୧୨ : ଭାରତୀୟ ରେଳବାଇ ଇତିହାସରେ ପ୍ରଥମ ଥର ପାଇଁ ସବୁଠୁ ବଡ଼ ଏବଂ ବ୍ୟାପକ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ଜାରି ରଖିଛି। ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ରେଳ ନେଟୱାର୍କ ମଧ୍ୟରୁ ଅନ୍ୟତମ ହୋଇଥିବା କାରଣରୁ ବଡ଼ ପରିଚାଳନାଗତ ଆହ୍ୱାନ ସତ୍ତ୍ୱେ ଭାରତ ଏହି କାର୍ଯ୍ୟକୁ ସୁଚାରୁ ରୂପେ ଆଗକୁ ବଢ଼ାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଅନେକ ଦେଶ ପ୍ରମୁଖ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟ ସମୟରେ ୩-୪ ବର୍ଷ ପାଇଁ ରେଳ ଚଳାଚଳ ବନ୍ଦ ରଖନ୍ତି। କିନ୍ତୁ ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତାୟାତ କରୁଥିବାରୁ, ଷ୍ଟେସନଗୁଡ଼ିକୁ ବନ୍ଦ କରିବା ସମ୍ଭବ ନୁହେଁ। ଏହି ପ୍ରତିବନ୍ଧକ ସତ୍ତ୍ୱେ ସୁରକ୍ଷା ପ୍ରତି ନିରନ୍ତର ଧ୍ୟାନ ଦିଆଯିବା ସହିତ ପୁନଃବିକାଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।

ରେଳ ମନ୍ତ୍ରୀ କହିଛନ୍ତି ଯେ , ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଭାରତ ଏହାର ଷ୍ଟେସନ ଭିତ୍ତିଭୂମିର ଏତେ ବ୍ୟାପକ ଏବଂ ରୂପାନ୍ତରଣକାରୀ ପରିବର୍ତ୍ତନ କରୁଛି। ଏହା ଦେଶ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ଅଭିଜ୍ଞତା। ଏହି କାର୍ୟ୍ୟଗୁଡ଼ିକ ପାଇଁ ଅସାଧାରଣ ଯୋଜନା ପ୍ରସ୍ତୁତି, ସମନ୍ୱୟ ଏବଂ ସଠିକ ଇଞ୍ଜିନିୟରିଂର ଆବଶ୍ୟକତା ରହିଛି । ଏହାକୁ ସୁନିଶ୍ଚିତ କରାଯିବା ସହିତ ଦୈନନ୍ଦିନ ଟ୍ରେନ ଚଳାଚଳକୁ ବାଧା ନ ପହଞ୍ଚାଇ ବିକାଶ କାର୍ଯ୍ୟ କାର୍ଯ୍ୟକାରୀ କରାଯାଉଛି।

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୬୦,୦୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗ କରାଯାଇ ୧,୩୦୦ ରୁ ଅଧିକ ଷ୍ଟେସନକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନଦଣ୍ଡରେ ଉନ୍ନତିକରଣ କରାଯାଉଛି। ଏବେ ସୁଦ୍ଧା ୧୬୦ ଷ୍ଟେସନକୁ ପୁନଃବିକଶିତ କରାଯାଇସାରିଛି। ଆଧୁନିକ ଇଞ୍ଜିନିୟରିଂ ସମାଧାନଠାରୁ ଉନ୍ନତ ଯାତ୍ରୀ ସୁବିଧା ପର୍ଯ୍ୟନ୍ତ, ପ୍ରତ୍ୟେକ ପ୍ରକଳ୍ପକୁ ପର୍ଯ୍ୟାୟକ୍ରମେ ଏବଂ ସତର୍କତାର ସହିତ ଯୋଜନାବଦ୍ଧ ଭାବରେ କାର୍ଯ୍ୟକାରୀ କରାଯାଉଛି।

ଚଳିତ ବର୍ଷ ପ୍ରାରମ୍ଭରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ବିକାନେରରୁ ୧୦୩ଟି ଅମୃତ ଭାରତ ଷ୍ଟେସନର ଲୋକାର୍ପଣ କରିଥିଲେ। ଏହା ଦେଶବ୍ୟାପୀ ଆଧୁନିକୀକରଣ ଅଭିଯାନରେ ଏକ ପ୍ରମୁଖ ମାଇଲଖୁଣ୍ଟ ଥିଲା। ଅମୃତ ଭାରତ ଷ୍ଟେସନ ଯୋଜନା ଭାରତର ଜଟିଳ ଭିତ୍ତିଭୂମି ଉନ୍ନତିକରଣକୁ ରେକର୍ଡ ଗତିରେ ଆଗକୁ ବଢ଼ାଇବା କ୍ଷମତାର ଏକ ଶକ୍ତିଶାଳୀ ପ୍ରମାଣ ଭାବରେ ଦଣ୍ଡାୟମାନ ହୋଇଛି । ଏହା ସହିତ ପ୍ରତିଦିନ ଟ୍ରେନ ଚଳାଚଳ, ଯାତ୍ରୀଙ୍କ ଗମନାଗମନ ଏବଂ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ରୂପେ ଧ୍ୟାନ ଦିଆଯାଉଛି।