ଭୁବନେଶ୍ୱର, ୩/୧୨ : ବଡ଼ଗଡ଼ ଅଞ୍ଚଳରେ ସନ୍ଧ୍ୟା ହେଲେ ଲୋକଙ୍କ ଝରକା କବାଟ ବନ୍ଦ। ମୁଖ୍ୟ କାରଣ ପାଲଟିଛନ୍ତି ମଶା। ଚାରି ଦିଗରୁ ଦଳ ଦଳ ହୋଇ ମାଡ଼ି ଆସୁଛନ୍ତି। ଦିନ-ରାତି ଲୋକେ ମଶା ବାଡ଼େଇ ବାଡ଼େଇ ନୟାନ୍ତ । ହେଳେ ମଶା କମୁ ନାହାନ୍ତି । ଦୟା ୱେଷ୍ଟ ବ୍ରାଞ୍ଚ କେନାଲ, ଗଙ୍ଗୁଆ ନଦୀ ଓ ତିନିଟି ୱାର୍ଡର ଅଳିଆ ପ୍ରକ୍ରିୟାକରଣ କେନ୍ଦ୍ର(ବୈଭବ କେନ୍ଦ୍ର) ଓ ବିଏମ୍ସିର ବକ୍ସ ଡ୍ରେନ ମଶାଙ୍କ ଘର ପାଲିଟିଛି । ଏହି ସ୍ଥାନରୁ ମାଡ଼ି ଆସୁଛନ୍ତି ମଶା । ବିଏମ୍ସି ପକ୍ଷରୁ ମୁଖ୍ୟ ରାସ୍ତା ମଝିରେ ଧୂଆଁ ଦିଆଯାଉଛି ଓ କଲୋନୀ ଭିତରେ ମଶା ଧୂଆଁ ଗାଡ଼ି ବୁଲିବାର ଦେଖା ଯାଉନାହିଁ । ଫଳରେ ଗଳିକନ୍ଦିରେ ମଶା ହାଉଯାଉ ହେଉଛନ୍ତି । ଘର କବାଟ ଝରକା ଫାଙ୍କରେ ପଶି ଲୋକଙ୍କୁ କାମୁଡ଼ି ଅଥୟ କରି ପକାଉଛନ୍ତି ।
ବଡ଼ଗଡ଼ ଦକ୍ଷିଣ ପୂର୍ବ ପଟେ ଗଙ୍ଗୁଆ ନଦୀ, ପଶ୍ଚିମ ପଟେ ଦୟା ୱେଷ୍ଟ ବ୍ରାଞ୍ଚ କେନାଲ, ପୂର୍ବ ପଟେ ତିନିଟି ୱାର୍ଡର ଅଳିଆ ପ୍ରକ୍ରିୟାକରଣ(ବୈଭବ) କେନ୍ଦ୍ର । ଏହି ଅଳିଆ ପ୍ରକ୍ରିୟାକରଣରେ ଗଦା ହୋଇଥିବା ଦୁର୍ଗନ୍ଧ ଯୁକ୍ତ ବର୍ଜ୍ୟ ପଦାର୍ଥରେ ମଶା ବଂଶ ବିସ୍ତାର କରିବା ଅନୁକୂଳ ହେଉଛି । ଦିନରେ ଯାହା ମଶା କାମୁଡୁଛନ୍ତି, କିନ୍ତୁ ସନ୍ଧ୍ୟା ପରେ ପରିସ୍ଥିତି ସାଙ୍ଘାତିକ ହୋଇ ପଡୁଛି । ମଶା ଭୟରେ ଲୋକେ ସନ୍ଧ୍ୟା ପରେ ଘରୁ ବାହାରୁ ନାହାନ୍ତି । କବାଟ ଝରକା କିଳି ଘରେ ରହୁଛନ୍ତି । ଉଠା ଦୋକାନୀ ମଶା ତଡ଼ିବାକୁ ଅଣ୍ଡା କ୍ୟାରେଟ୍, କାର୍ଟୁନ ପୋଡ଼ି ଧୂଆଁ ଦେଇ ବେପାର କରୁଛନ୍ତି । ଆଗରୁ କେବେ ଏଭଳି ମଶା ଆତଙ୍କ ଦେଖା ଯାଇ ନଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।
ବିଜେବି ନଗର, ନାଗେଶ୍ୱରଟାଙ୍ଗୀ, ବଡ଼ଗଡ଼ ଗ୍ରାମ, ପତିତପାବନ ନଗର, ନୀଳକଣ୍ଠ ନଗର, ଲକ୍ଷ୍ମୀ ବିହାର, ଓସ୍କାର ସିଟି, ବଡ଼ଗଡ଼ ବ୍ରିଟ୍ କଲୋନୀ, ପାଣ୍ଡବନଗର, ଇଏ କଲୋନୀ ବଡ଼ଗଡ଼ ବ୍ରିଟ୍, ମେଘେଶ୍ୱର କଲୋନୀ, ବ୍ରହ୍ମେଶ୍ୱର ପାଟଣା, ରତ୍ନାକାର ବାଗ, ରାଜାରାଣୀ କଲୋନୀ, ପଶ୍ଚିମ ଦୟା ୱେଷ୍ଟ ବ୍ରାଞ୍ଚ କେନାଲ ରାସ୍ତା ଓ କଳ୍ପନା ଫ୍ଲାଟ ଆଦି ଅଞ୍ଚଳରେ ମାତ୍ରାଧିକ ମଶାଙ୍କ ପ୍ରାଦୁର୍ଭାବ ବଢ଼ିଛି । ବିଏମ୍ସି ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ ଓ ମଶା ଅଣ୍ଡା ଦେଉଥିବା ସ୍ଥାନ ଯଥା ଡ୍ରେନ୍ଗୁଡ଼ିକରୁ ଅଳିଆ ସଫା କରାଯାଉ ନାହିଁ କି ଲାର୍ଭାକୁ ନଷ୍ଟ କରିବା ଲାଗି ତେଲ ପକାଯାଉ ନାହିଁ । ଏ ସମ୍ପର୍କରେ ବିଏମ୍ସିର ଦକ୍ଷିଣ ପୂର୍ବ ଜୋନ୍ର ଜୋନାଲ ଡେପୁଟି କମିଶନର ଧନଞ୍ଜୟ ମହାନ୍ତିଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ ।