ପଟ୍ଟାମୁଣ୍ଡାଇ,୨୨/୭ : ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଓଉପଦା ପଂଚାୟତ ବିଶୁନୁପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ମା'କୁ ପିଟି ପିଟି ମାରି ଦେଲା ପୁଅ। ମୃତକ ଜଣକ ହେଲେ ଶାନ୍ତିଲତା ମଲିକ।
ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଓଉପଦା ପଂଚାୟତ ବିଶୁନୁପୁରୁ ଗାଁର ମନୋଜ ମଲିକ ସୋମବାର ବିଳମ୍ବିତ ରାତିରେ ନିଜ ସ୍ତ୍ରୀ ସସ୍ମିତାକୁ ଭୀଷଣ ମାଡ ମାରୁଥିଲେ। ଏହା ଦେଖି ୭୦ ବର୍ଷ ବୟସ୍କା ବୃଦ୍ଧା ମା’ ଶାନ୍ତିଲତା ମଲିକ ପ୍ରତିବାଦ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ମନୋଜ ନିଜ ମା’ ଶାନ୍ତିଲତାକୁ ମଧ୍ୟ ନିସ୍ତୁକ ମାଡ଼ ମାରିଥିଲେ I ଯାହା ଫଳରେ ପୁଅ ମନୋଜ ମାଡରେ ମା’ ଶାନ୍ତିଲତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସାହିପଡିଶା ଓ ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି I ମା’ ମରି ଯାଇଥିବା ଦେଖି ପୁଅ ମନୋଜ ଘଟଣାସ୍ଥଳରୁ ଖସି ପଲାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ମନୋଜକୁ କାବୁ କରି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଥିଲେ I ଗ୍ରାମାଞ୍ଚଳ ଥାନା ଅଧିକାରୀ ଧୀରଜ ଲେଙ୍କା ପୁଲିସ ଟିମ ସହିତ ଘଟଣାସ୍ଥଳରେ ପହଂଚି ମନୋଜକୁ ନିଜ ହେପାଜତକୁ ନେଇଥିଲେ I ଏ ସମ୍ପର୍କରେ ଗ୍ରାମାଞ୍ଚଳ ଥାନା ପୁଲିସ ଏକ ମକଦ୍ଦମା ରୁଜୁ କରି ମନୋଜକୁ ଥାନାରେ ଅଟକ ରଖିଛି।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ମନୋଜ ଗତ ୩ ମାସ ତଳେ ବିବାହ କରିଥିଲେ I ପରବର୍ତ୍ତି ସମୟରେ ନିଜ ସ୍ତ୍ରୀ ଓ ପରିବାର ଲୋକଙ୍କୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲେ I ମାତୃ ହତ୍ୟା ଭଳି ଜଘନ୍ୟକାଣ୍ଡରେ ସମ୍ପୃକ୍ତ ପୁଅ ମନୋଜକୁ କଠୋର ଦଣ୍ଡ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତିI