ନୂଆଦିଲ୍ଲୀ,୧୧/୦୧: ଦେଶରେ ହାଡ଼ଭଙ୍ଗା ଶୀତ ପଡ଼ିଥିବାବେଳେ ଜମ୍ମୁ-କାଶ୍ମୀରରେ ପାରଦ ଶୂନ ତଳେ । ଏହି ସ୍ଥିତିରେ ଜଣେ ମା’ଙ୍କ ଭଲପାଇବା ‘ଜୀବନ ଓ ମୃତ୍ୟୁ’ର ସୀମା ଲଂଘିଛି । ସହୀଦ୍ ପୁଅକୁ କାଳେ ଶୀତ ଲାଗିବ ବୋଲି ପ୍ରତିମୂର୍ତ୍ତିରେ କମ୍ବଳ ଘୋଡ଼ାଇ ଦେଇଛନ୍ତି ଜଣେ ମା’। ସୋସିଆଲ ମିଡିଆରେ ଏହି ଭିଡ଼ିଓ ଭାଇରାଲ ହେଉଛି । ଯିଏ ବି ଦେଖୁଛନ୍ତି ସମସ୍ତଙ୍କ ଆଖିରେ ଲୁହ ଆସିଯାଉଛି । ସମସ୍ତେ ବୀର ପୁଅର ମା’କୁ ତାରିଫ୍ କରୁଛନ୍ତି । ବିଏସ୍ଏଫ୍ କନ୍ଷ୍ଟେବଳ ଗୁରନାମ ସିଂହଙ୍କ ମା’ଯଶୱନ୍ତ କୌରଙ୍କର ପୁଅ ପ୍ରତି ନିରୁତା ଭଲପାଇବା ଦେଶବାସୀଙ୍କ ମନ କିଣିଛି । ସହିଦ ପୁଅର ମୂର୍ତ୍ତିକୁ ସେ କମ୍ବଳ ଘୋଡ଼ାଉଥିବାର ଭିଡିଓ ଇଣ୍ଟର୍ନେଟ୍ରେ ଭାଇରାଲ ହେଉଛି ।
ମା’ସବୁବେଳେ ମା’- ଆର୍ଏସ୍ ପୁରା ବାସିନ୍ଦା ସହିଦ ଗୁରନାମ ସିଂହଙ୍କ ପାଇଁ ଏହା କେବଳ ଶ୍ରଦ୍ଧାଞ୍ଜଳି ନୁହେଁ । ଜଣେ ମା’ର ଦାୟିତ୍ୱ ଯେ ଶୀତରେ ଯେମିତି ତାଙ୍କ ପୁଅ ଥଣ୍ଡା ଅନୁଭବ ନ କରୁ । କାରଣ ଯଶୱନ୍ତ ନିଜ ସହିଦ ପୁଅର ଉପସ୍ଥିତିକୁ ସର୍ବଦା ଅନୁଭବ କରୁଛନ୍ତି । ସେଥିପାଇଁ ଗାଁରେ ଦଣ୍ଡାୟମାନ ପୁଅ ଗୁରନାମଙ୍କ ସ୍ମାରକୀ ସ୍ଥଳୀରେ ପହଞ୍ଚି ତାଙ୍କୁ ଏକ ମୋଟା କମ୍ବଳ ଘୋଡ଼ାଇଛନ୍ତି । ଯଶୱନ୍ତ କଣ୍ଠରୁଦ୍ଧ ସ୍ୱରରେ କହିଛନ୍ତି, ମୁଁ ଜଣେ ମା’ । ଏହି ହାଡ଼ଭଙ୍ଗା ଶୀତରେ ଆମେ ନିଜକୁ ଗରମ ରଖିବାକୁ ମୋଟା ପୋଷାକ, ଶୀତବସ୍ତ୍ର ଆଦି ପିନ୍ଧୁଛୁ । ମୁଁ ମୋ ପୁଅକୁ ଏଭଳି ଥଣ୍ଡାରେ ଖାଲି ଦେହରେ କେମିତି ଛାଡ଼ିଦେବି?’ତାଙ୍କ ପାଇଁ ଏହି ମୂର୍ତ୍ତି ଦେଶ ସେବାରେ ପ୍ରାଣ ହରାଇଥିବା ଜଣେ ସୈନ୍ୟର ସ୍ମାରକୀ ନୁହେଁ, ଏକ ଜୀବନ୍ତ ଉପସ୍ଥିତି । ପିଲାଙ୍କ ପାଇଁ ମା' ସବୁବେଳେ ମା' । ସେ ତା କର୍ତ୍ତବ୍ୟରୁ କେବେ ପଞ୍ଚଘୁଞ୍ଚା ଦିଏନାହିଁ ।
ସବୁବେଳେ ପୁଅ ପ୍ରତିମୂର୍ତ୍ତୀ ସହ କଥା ହୁଅନ୍ତି- ପଡ଼ୋଶୀ କହନ୍ତି, ଯଶୱନ୍ତ ପ୍ରତିଦିନ ଏହି ସ୍ମାରକୀ ସ୍ଥଳକୁ ଆସନ୍ତି ଏବଂ ମୂର୍ତ୍ତି ସହ ଏମିତି କଥା ହୁଅନ୍ତି ସତେ ଯେମିତି ଗୁରନାମ ରକ୍ତମାଂସ ଶରୀରରେ ସେଠାରେ ଠିଆ ହୋଇଛନ୍ତି । କନ୍ଷ୍ଟେବଳ ଗୁରନାମ ସିଂହଙ୍କ କାହାଣୀ ସର୍ବୋଚ୍ଚ ବଳିଦାନର ଅନ୍ୟତମ ଉଦାହରଣ । ୨୦୧୬, ଅକ୍ଟୋବର ୨୧ ରାତିରେ ଗୁରନାମ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ହୀରା ନଗର ସେକ୍ଟରରେ ମୁତୟନ ଥିଲେ । ସହିଦ ହେବାର ଦିନକ ପୂର୍ବରୁ ଗୁରନାମ ଏକାକୀ ବ୍ୟାପକ ଅସ୍ତ୍ରଶସ୍ତ୍ରଯୁକ୍ତ ପାକ୍ ଆତଙ୍କୀମାନଙ୍କର ଏକ ବଡ଼ ଅନୁପ୍ରବେଶକୁ ପଣ୍ଡ କରିଥିଲେ । ପର ଦିନ ସକାଳେ ସେ ଦେଶକୁ ସୁରକ୍ଷା ଦେଉଥିବା ବେଳେ ଜଣେ ପାକିସ୍ତାନୀ ସ୍ନାଇପର୍ ତାଙ୍କ ଉପରକୁ ଗୁଳି ଚଲାଇଲା । ଗୁଳି ତାଙ୍କ ମୁଣ୍ଡରେ ବାଜିଲା ଏବଂ ଜମ୍ମୁର ଏକ ହସ୍ପିଟାଲରେ ମୃତ୍ୟୁ ସହ ୪୮ ଘଣ୍ଟା ଲଢ଼େଇ କରିବା ପରେ ଅକ୍ଟୋବର ୨୨, ୨୦୧୬ରେ ଗୁରନାମ ପ୍ରାଣ ହରାଇଲେ । ଦେଶ ସେବାରେ ପ୍ରାଣବଳି ଦେଇଥିବାରୁ ତାଙ୍କୁ ମରଣୋତ୍ତର ପୁଲିସ ମେଡାଲରେ ସମ୍ମାନିତ କରାଗଲା ।