ଭୁବନେଶ୍ୱର,୧୫।୦୨: ହଜିଲା ପୁଅକୁ ୨ ମାସ ପରେ ଫେରି ପାଇଲା ମା’ । ଆଉ ଖୁସିରେ ଆତ୍ମହରା ହୋଇ ତା’ ପୁଅକୁ ଖୋଜି ଆଣିଥିବା ଥାନା ବାବୁଙ୍କୁ କୁଣ୍ଢାଇ ପକାଇ ଗେଲ କରି ପକାଇଥିଲେ । ମୁଣ୍ଡରେ ହାତ ଥୋଇ ଅଜସ୍ର ଆଶୀର୍ବାଦ ଅଜାଡ଼ି ପକାଇଥିଲେ । ଆଜି ଏଭଳି ନୂଆପଲ୍ଲୀ ଥାନାରେ ଏଭଳି ନିଆରା ଦୃଶ୍ୟ ଦେଖୁଥିବା ଦେଖଣାହାରୀ ମଧ୍ୟ ଖୁସିରେ ଭାବବିହ୍ୱଳ ହୋଇ ପଡ଼ିଥିଲେ ।
ସୂଚନା ଥାଉକି, ନୂଆପଲ୍ଲୀ ଦେବରାୟ କଲେଜ ନିକଟ ମଶାଣି ବସ୍ତିରେ ରହୁଥିବା ନାଗା ମହାକୁଡ଼ଙ୍କ ୨୩ ବର୍ଷୀୟ ପୁଅ ଆନନ୍ଦ ମହାକୁଡ଼ ପ୍ରାୟ ୨ ମାସ ହେବ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ । ସେ ଭଲରେ କଥା ହୋଇ ପାରୁ ନଥିବା ବେଳେ ମାନସିକ ଅନଗ୍ରସର ଥିଲେ । କାହାସହ ସାଙ୍ଗସାଥୀ ହେଉ ନଥିଲେ । ତେବେ ସେ ଘରୁ ଯିବା ପରେ ମା’ ନାଗା ମହାକୁଡ଼ ବହୁ ଖୋଜାଖୋଜି କରିଥିଲେ । ସାହିପଡ଼ିଶାଠାରୁ ଆରମ୍ଭ କରି ବନ୍ଧୁବାନ୍ଧବଙ୍କ ଘର ଖୋଜି ବୁଲିଥିଲେ । ହେଲେ ପୁଅର କୌଣସି ସନ୍ଧାନ ପାଇ ନଥିଲେ । ମାସକ ତଳେ ସେ ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମଧ୍ୟ ଏକ ନିଖୋଜ ମାମଲା ରୁଜୁକରି ବସିଥିଲା । ହେଲେ ଗତକାଲି ନାଗା ପୁଅର ଫଟୋକୁ ଧରି ଥାନା ଦୁଆରେ ପହଞ୍ଚିଥିଲେ । ପୁଲିସକୁ ନେହୁରା ହୋଇଥିଲେ ମୋ ପୁଅକୁ ଖୋଜିଆଣ । ସେ ଓଲା ପିଲାଟା । ତାକୁ କେହି ମାରିଦେବେ । ଏମିତି ଅନେକ ନେହୁରା ହୋଇଥିଲେ । ଥାନା ଅଧିକାରୀ ଆନନ୍ଦଙ୍କ ଫଟୋକୁ ବିଭିନ୍ନ ଥାନାକୁ ପଠାଇଥିଲେ ।
ଆହୁରି ପଢନ୍ତୁ-କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଅପରିବର୍ତ୍ତିତ, ଆଜି ସନ୍ଧ୍ୟା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ଡାକ୍ତର
ଏଥିସହ ଆଜି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହି ଖବର ପ୍ରକାଶ ପାଇଥିଲା । ଆନନ୍ଦ ଜଟଣୀର ଏକ ସୁଧାର ଗୃହରେ ଥିବା ଜଟଣୀ ଥାନା ପୁଲିସ ନୂଆପଲ୍ଲୀ ଥାନା ପୁଲିସକୁ ସୂଚନା ଦେଇଥିଲା । ସଙ୍ଗେ ସଙ୍ଗେ ନୂଆପଲ୍ଲୀ ଥାନା ଅଧିକାରୀ ମାନସ କୁମାର ସାହୁ ଜଟଣୀସ୍ଥିତ ସୁଧାର ଗୃହରୁ ଆନନ୍ଦଙ୍କୁ ଉଦ୍ଧାର କରି ଆଣିଥିଲେ । ଅପରାହ୍ଣରେ ନାଗାଙ୍କୁ ଡ଼କାଇ ପୁଅ ଆନନ୍ଦଙ୍କୁ ତାଙ୍କ ଜିମା ଦେଇଥିଲେ । ତେବେ ହଜିଲା ପୁଅକୁ ପାଇ ମା’ନାଗା ପୁଅକୁ ଗେଲ କରି ପକାଇଥିଲେ । ଏଥିସହ ଖୁସିରେ ଆତ୍ମହରା ହୋଇ କାନ୍ଦି ପକାଇବା ସହ ଥାନା ଅଧିକାରୀ ଶ୍ରୀ ସାହୁଙ୍କୁ ଖୁସିରେ କୁଣ୍ଢାଇ କାନ୍ଦି ପକାଇଥିଲେ । ତାଙ୍କ ମୁଣ୍ଡ ଉପରେ ହାତ ରଖି ଆଶୀର୍ବାଦ ଅଜାଡ଼ି ପକାଇଥିଲେ । ଏହାପରେ ପୁଅ ଆନନ୍ଦଙ୍କୁ ଧରି ନାଗା ଘରକୁ ଫେରିଥିଲେ ।