କଟକ,୧୫/୦୨:  ମସ୍ତିଷ୍କାଘାତ ଯୋଗୁଁ ଗୁରୁତର ଅସୁସ୍ଥ ହୋଇ ଭେଣ୍ଟିଲେଟର୍ ସପୋର୍ଟରେ ଚିକିତ୍ସିତ ହେଉଥିବା ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ମେଡିକାଲ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଭେଣ୍ଟିଲେଟର୍ରେ ରହିବାର ୪୮ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ଆସିନାହିଁ । ଏକାଧିକ ଥର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଉଥିବା ବେଳେ ଶୁକ୍ରବାରଠୁ ସ୍ୱାସ୍ଥ୍ୟାବସ୍ଥା ଅପରିବର୍ତ୍ତିତ ରହିଛି । ନ୍ୟୁରୋଲୋଜି ଏବଂ ନ୍ୟୁରୋସର୍ଜରୀ ବିଶେଷଜ୍ଞ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ମସ୍ତିଷ୍କାଘାତରେ ଜନିତ ରକ୍ତସ୍ରାବ ହୋଇଥିବାରୁ ଅପରେସନ୍ କରିବା ସମ୍ଭବ ନୁହେଁ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ରବିବାର ସନ୍ଧ୍ୟାରେ ୭୨ ଘଣ୍ଟା ପୂରିବା ପରେ ଡାକ୍ତର ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀମତୀ ପଟ୍ଟନାୟକ ଗୁରୁବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ । ସେଠାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଆହୁରି ପଢ଼ନ୍ତୁ :- କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ, ମୃତ୍ୟୁ ଖବରକୁ ସ୍ୱାମୀଙ୍କ ଖଣ୍ଡନ