ମାଲକାନଗିରି,୪/୫ : ବୋହୂ ଘରୁ ଚୋରି କରି ଧରା ପଡିଗଲା।  ଏହା ପରେ  ଶାଶୂ  ଉପରେ ରାଗ ଶୁଝାଇଲା।  ଶାଶୂଙ୍କୁ ନିଆଁ ଲଗାଇ ପୋଡି ଦେଲା। ଗୁରୁତର ଅବସ୍ଥାରେ ଶାଶୂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।   ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଗୁରୁତର ଶାଶୂ ଜଣକ ହେଲେ ରେଣୁକା ବୈଦ୍ୟ।

ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୧୮ଗ୍ରାମର ଶାଶୁ ରେଣୁକା ବୈଦ୍ୟ (୫୫)ନିଜ ଘରେ ଶୋଇଥିଲେ। ବୋହୂ  ଜୟା ବୈଦ ଶାଶୂଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ପରେ ଘରର କବାଟ ବନ୍ଦ କରି ଚାରି ମାସର ପୁଅକୁ ନେଇ ବାପ ଘରକୁ ଚାଲି ଯାଇଥିଲେ। ଗୁରୁତର ଅବସ୍ଥାରେ ରେଣୁକାଙ୍କୁ  ଗାଁ ଲୋକେ ପ୍ରଥମେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ରେଣୁକାଙ୍କ ଶରୀରର ୬୦ପ୍ରତିଶତ ପୋଡି ଯାଇଥିବାରୁ ତାଙ୍କୁ ବିଶାଖାପାଟଣା  ର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।  ରେଣୁକାଙ୍କ ଦେଢଶୁର ଗୋସାଇଁ ଦାସ ବୈଦ ମାଲକାନଗିରି ଥାନାରେ ଏ ନେଇ  ଅଭିଯୋଗ କରିଛନ୍ତି । ମାଲକାନଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର   ତଦନ୍ତ କରୁଛି।